ଆହାର ଉପରେ ପାହାର ପକାଇଲା ‘ଜୱାଦ’ : ପାଣିରେ ଭାସୁଛି ବର୍ଷକର ଶ୍ରମ

71

-ରିଲିଫ୍ କୋଡ୍ ଅନୁଯାୟୀ ସହାୟତା: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ଟଳିଯାଇଛି । ଛାଡ଼ିଯାଇଛି ବିତ୍ପାତ୍ । ଦକ୍ଷିଣରୁ ଉପକୂଳ ସବୁଠି ଉଜୁଡିଛି ସୁନାର ଫସଲ । ଏକର ଏକର ବିଲରେ ପାଣିରେ ପଡ଼ିରହିଛି ଧାନ । କେଉଁଠି ପଚିବାକୁ ବସିଲାଣି ତ ଆଉ କେଉଁଠି ଗଜା ହେବାକୁ ବସିଲାଣି । ଅମଳ ବେଳେ ପ୍ରକୃତିର ଏଭଳି ଅକାଳ ବିପତ୍ତି ଚାଷୀ ମୁଣ୍ଡରେ ଚଡ଼କ ପକାଇଛି । ଓଦା ଧାନକୁ ଏବେ ଖରାରେ ଶୁଖାଇ ସେଥିରୁ କିଛି ଅମଳ କରିବାକୁ ତଥାପି ଆଶା ରଖିଛି । ଉଜୁଡ଼ା କ୍ଷେତରୁ ସାମାନ୍ୟ କିଛି ମିଳିଯିବ ବୋଲି ସାଉଁଟି ଚାଲିଛି ଭିଜାଧାନ । କେବଳ ଧାନ ନୁହେଁ, କ୍ଷତିଗ୍ରସ୍ତ ହୋଇଛି ପରିବା ଚାଷ । ପାଣିରେ ବୁଡ଼ିରହିଛି କୋବି, ବିଲାତି, କାକୁଡ଼ି ଏଭଳି ଅନେକ ପନିପରିବା । ଜୱାଦ ପ୍ରଭାବରେ ଶନିବାର ରାତିରୁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ସମେତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମାଠାରେ ୨୩୪ ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାର ମାର୍ଶାଘାଇରେ ୧୨୮ ମିମି,ପୁରୀର କାକଟପୁରରେ ୧୧୭.୨ ମିମି ବର୍ଷା ହୋଇଛି । ଏହା ପ୍ରଭାବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଚାଷ । ବର୍ଷାରେ ଧୋଇଯାଇଛି ବର୍ଷକର ଶ୍ରମ । ବିଲରେ ଫସଲର ଅବସ୍ଥା କ’ଣ ହୋଇଥିବ ତାହା ଆକଳନ କରିବା କଷ୍ଟକର ।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ତଳି ଅଞ୍ଚଳ ଡେରାବିଶ ଓ ଗରଦପୁର ବ୍ଲକରେ ଚାଷ ଜମିଗୁଡିକର ଅଧିକ କ୍ଷୟକ୍ଷତି କରିଦେଇଛି ଏହି ଅଦିନିଆ ବର୍ଷା । ବାତ୍ୟା ଜନିତ ବର୍ଷା ଅଧିକ କ୍ଷତି କରିଛି ଗଞ୍ଜାମ ଜିଲ୍ଲାରେ । ଆସିକାର ବିଭିନ ଅଞ୍ଚଳରେ ପାଣିରେ ଲୋଟିଛି ସୁନାର ଫସଲ । ପ୍ରଥମେ ଗଜା ମରୁଡି ଆଉ ଏବେ ବାତ୍ୟା ଜୱାଦ ପରେ ହିନ୍ଦୋଳ ଚାଷୀଙ୍କ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି । ବାଲେଶ୍ୱରରେ ଧାନ ଅମଳ ହୋଇନଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି । ନୀଳଗିରିରେ ଅଯୋଧ୍ୟା, ବାଡ଼ିଆ, କାଠପାଳ, ମାଟିଆଳି, ସଜନାଗଡ଼ ଏବଂ ଔପଦା ବ୍ଲକରେ ଶ୍ୟାମସୁନ୍ଦରପୁର,ଦକ୍ଷିଣ ନରସିଂହପୁର, ବାଉଁଶବଣିଆ, କାଣ୍ଡଗରଡି, ଈଶ୍ୱରପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ ପାଖାପାଖି ୮୬ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଲଗାଣ ବର୍ଷା ସବୁକିଛି ନଷ୍ଟ କରିଦେଇଛି । ଜିଲ୍ଲାର ଆଳିପିଙ୍ଗଳ ଦେବୀନଦୀ ପଠା, ଦଳେଇଘାଇ ପଠା, ମଧ୍ୟ ଶାସନ, ଉତ୍ତର ଶାସନ ଅଞ୍ଚଳ ଓ ତରପୁରଠାରେ ମହାନଦୀ ପଠାରେ ଶହ ଶହ ଚାଷୀ କରିଥିବା ପନିପରିବା ସବୁ ନଷ୍ଟ ହୋଇଛି । ଚାନ୍ଦବାଲି, ଆରଡି, ଧାମରା ଅଞ୍ଚଳରେ ଲୁଣାଢେଉ ମାଡି ଆସିବାରୁ ଧାନତଳି ନଷ୍ଟ ହୋଇଥିଲା । ଏବେ ବାତ୍ୟା ଜନିତ ବର୍ଷାରେ କ୍ଷେତରେ ଲହଡି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି । ରିଲିଫ୍ କୋଡ୍ ଅନୁସାରେ ଚାଷୀଙ୍କୁ ସହାୟତା ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ କହିବା ସହିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି ।

Comments are closed.