କାୟା ବଢ଼ାଉଛି ଓମିକ୍ରନ : ୪୦% ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

73

ଭୁବନେଶ୍ୱର : ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୧୦ଜଣ ଓ ପୁନେରୁ ୬ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୩୦ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କୁ ଏଲଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ । ଆକ୍ରାନ୍ତ ଯୁବକ ନିକଟରେ ତାଞ୍ଜାନିଆରୁ ଫେରିଥିଲେ । ବିଦେଶରୁ ଫେରିଥିବା ୧୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଜିନୋମ ସିକ୍ୱେନ୍ସିଂ ପାଇଁ ସାମ୍ପଲ ପଠାଯାଇଥିଲା । ସେଥିରୁ ଜଣଙ୍କ ସାମ୍ପୁଲରେ ଅତି ସଂକ୍ରାମକ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାନପୁର ଆଇଆଇଟି ପ୍ରଫେସର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି,୨୦୨୨ଜାନୁଆରୀ କିମ୍ବା ଫେବୃଆରୀରେ ଦେଶରେ ଆସିପାରେ ତୃତୀୟ ଲହର । ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍ ମାରାତ୍ମକ ହେବ । ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ପରେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନେକ ଦେଶରେ ଓମିକ୍ରନ୍ ମାମଲା ଆସିବା ପରେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ଅଧିକ ମୃତ୍ୟୁ ହୋଇନି । ନୂଆ ଅଧ୍ୟୟନରୁ ତୃତୀୟ ଲହର ଆସିବା ଆଶଙ୍କା ରହିଛି ବୋଲି ପ୍ରଫେସର ଅଗ୍ରୱାଲ କହିଛନ୍ତି ।

ଅନ୍ୟପକ୍ଷରେ ଓମିକ୍ରନ୍ ଭାରିଏଣ୍ଟର ଭୟ ମଧ୍ୟରେ କର୍ଣ୍ଣାଟକର ଏକ ସରକାରୀ ସ୍କୁଲ୍ ଏବଂ ତେଲେଙ୍ଗାନାର ଏକ ମେଡିକାଲ୍ କଲେଜରେ କରୋନା ବିସ୍ଫୋରଣ ଘଟିଛି । କର୍ଣ୍ଣାଟକର ଚିକମାଙ୍ଗାଲୁରୁର ଏକ ସରକାରୀ ସ୍କୁଲରେ ୫୯ ଛାତ୍ର ଏବଂ ୧୦ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ତେଲେଙ୍ଗାନାର କରୀମନଗରରେ ଥିବା ଚଲମେଡା ଆନନ୍ଦ ରାଓ ମେଡିକାଲ୍ ସାଇନ୍ସେସ୍ ଇନଷ୍ଟିଚ୍ୟୁଟରେ ୪୩ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି । କର୍ଣ୍ଣାଟକର ଚିକମାଙ୍ଗାଲୁରୁର ଜିଲ୍ଳାପାଳଙ୍କ ଅନୁସାରେ, ସଂକ୍ରମିତଙ୍କଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥିଲା । ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ସେହି ଅଞ୍ଚଳରେ ଏକାଧିକ ଆମ୍ବୁଲାନ୍ସ ରଖାଯାଇଛି । ଜରୁରି ହେଲେ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ସ୍କୁଲରେ ୪୫୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ବିଦ୍ୟାଳୟକୁ ସିଲ୍ କରାଯାଇଛି । ସଂକ୍ରମିତ ଛାତ୍ର ଏବଂ ଶିକ୍ଷକଙ୍କ ଛାତ୍ରାବାସରେ କ୍ୱାରେଣ୍ଟାଇନ୍ କରିଦିଆଯାଇଛି । ସେପଟେ ତେଲେଙ୍ଗାନାର ଏକ ମେଡିକାଲ୍ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସ୍ତୃôତ ବିବରଣୀ ମିଳିପାରି ନାହିଁ । ସୋମବାର ତେଲେଙ୍ଗାନରୁ ମୋଟ ୩ ହଜାର ୭୮୭ ଆକ୍ଟିଭ୍ ମାମଲା ଥିଲା । ରାଜ୍ୟରେ ଏବେ ସୁଦ୍ଧା ୩,୯୯୯ ରୋଗୀଙ୍କ ଜୀବନ ନେଇଛି କରୋନା ।

Comments are closed.