ପାଇକ ବିଦ୍ରୋହ : ଜୋର ଧରିଲା ପ୍ରଥମ ସଂଗ୍ରାମ ମାନ୍ୟତା ଦାବି

59

-କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବିବାଦ
-ସଂସଦରୁ ବିଧାନସଭା ସବୁଠୁ ପ୍ରତିବାଦର ସ୍ୱର
-୧୯୯୦ରେ ବିଜୁବାବୁ ପ୍ରଥମେ ଦାବି କରିଥିଲେ
-୨୦୧୭ ଜୁଲାଇ ୧୮ରେ କ୍ୟାବିନେଟ୍ରେ ନିଷ୍ପତ୍ତି

ଭୁବନେଶ୍ୱର : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପାଇକଙ୍କ ବଳିଦାନ ଅତୁଳନୀୟ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମେ ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମ କରିଥିଲେ । ଯେଉଁ ବିଦ୍ରୋହର ସ୍ୱର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ଓଡ଼ିଆ ସଂଗ୍ରାମୀଙ୍କ ଏହି ତ୍ୟାଗକୁ ଦେଶବାସୀ କେବେ ଭୂଲି ପାରିବେ ନାହିଁ । ମାତ୍ର ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ ବୋଲି ସଂସଦରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ପ୍ରତିବାଦରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଖାଲି ସାଂସଦମାନେ ନୁହଁନ୍ତି ବିଧାନସଭାରେ ମଧ୍ୟ ବିଧାୟକମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିବା ସହ ବିଜେଡି ବିଧାୟକମାନେ ପ୍ଲାକାର୍ଡ ଓ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । କେନ୍ଦ୍ରର ଏଭଳି ବୈମାତୃକ ମନୋଭାବ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ କୁଠାରଘାତ କରିଛି । ୧୯୯୦ ମସିହାରେ ମହାନ ଜନନାୟକ ତଥା କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଦାବି କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିନେଇ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । ୨୦୧୭ ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତକ୍ରାଳୀନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ମାନ୍ୟତା ଦେବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟର ସ୍ୱାଭିମାନ, ଅସ୍ମିତା ଓ ବୀରତ୍ୱର ସମ୍ମାନ ପାଇଁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ହୃଦୟର ସହ ସମର୍ଥନ କରିଥିଲେ । ସେହିବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍ଘାଟନ କରିବା ସହ ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ଦାବିକୁ ଦୋହରାଇଥିଲେ । ୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଘୋଷଣା କରିଥିଲେ ଯେ, ଇତିହାସ ବହିରେ ଖୁବ୍ଶୀଘ୍ର ପାଇକ ବିଦ୍ରୋହ ସ୍ଥାନ ପାଇବ । ମାତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ମେଘୱାଲଙ୍କ ମନ୍ତବ୍ୟ ଏବେ ସମଗ୍ର ଓଡ଼ିଆବାସୀଙ୍କ ସମ୍ମାନ ପ୍ରତି କୁଠାରଘାତ କରିଛି । କେନ୍ଦ୍ର ସରକାର ରାଜ୍ୟର ଏ ଦାବିକୁ ଗୋଡରେ ଆଡେଇ ଦେବା ବାସ୍ତବିକ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରତି ଅପମାନ । କେନ୍ଦ୍ର ସରକାର ରାଜନୈତିକ ଅଭିଷନ୍ଧି ରଖି ଏପରି କରୁଛନ୍ତି ବୋଲି ବହୁ ବୁଦ୍ଧିଜୀବୀ ଏବଂ ରାଜନୈତିକ ସମୀକ୍ଷକମାନେ ଏବେ କହିବା ଆରମ୍ଭ କଲେଣି । ତେଣୁ ତୁରନ୍ତ କେନ୍ଦ୍ର ସରକାର ଏହାର ପୁନର୍ବିଚାର କରି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି ହେଉଛି ।

Comments are closed.