ବିଶ୍ୱରେ ଓମିକ୍ରନ୍ ନେଲା ପ୍ରଥମ ମୁଣ୍ଡ

66

ଲଣ୍ଡନ : ଧୀରେ ଧୀରେ ଘାତକ ହେଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ବ୍ରିଟେନରେ ଓମିକ୍ରନ୍ ନେଇଛି ପ୍ରଥମ ମୁଣ୍ଡ । ଏଥିନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ସ୍ପଷ୍ଟ କରିଛନ୍ତି । ସଂକ୍ରମଣ ବ୍ୟାପକତାକୁ ଦୃଷ୍ଟିରେ ରଖି ଓମିକ୍ରନ୍ ଏମରଜେନ୍ସିଂ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ଏଯାଏ ୟୁକେରେ ଚିହ୍ନଟ ହୋଇଛନ୍ତି ୩୧୩୭ଜଣ ଓମିକ୍ରନ୍ ଆକ୍ରାନ୍ତ । ଓମିକ୍ରନ୍ ସଂକ୍ରମଣର ଜୁଆର ଆଣିବ ବୋଲି ସେ ସତର୍କ କରାଇଛନ୍ତି । ଏହାର ମୁକାବିଲା ପାଇଁ ଚଳିତ ମାସ ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସି ଓ ଲଣ୍ଡନ ସ୍କୁଲ ଅଫ୍ ଆଇଜିନାଲ୍ ଟପିକାଲ ମେଡିସିନ୍ କହିଛି ଯେ, ପ୍ରାୟ ଅଢ଼େଇ ଦିନରେ ଦ୍ୱିଗୁଣିତ ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା । କିଛି ସପ୍ତାହ ମଧ୍ୟରେ ଓମିକ୍ରନ୍ ମାମଲା ସଂଘାତିକ ଭାବରେ ବଢ଼ିବ । ହସ୍ପିଟାଲଗୁଡିକରେ ମଧ୍ୟ ରୋଗୀ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ଇଂଲଣ୍ଡରେ ୩୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତି ପାଇଁ କରୋନା ଟିକାର ବୁଷ୍ଟର ଡୋଜ୍ ପାଇଁ ସୋମବାରଠାରୁ ବୁକିଂ ଆରମ୍ଭ ହେଉଛି । ଏନେଇ ଅଧିକାରୀଙ୍କ ପକ୍ଷରୁ ରବିବାର ସୂଚନା
ଦିଆଯାଇଥିଲା । ଇଂଲଣ୍ଡରେ ୩୦ରୁ ୩୯ ବର୍ଷ ବୟସର ୭୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଏଥିରୁ ୩୫ ଲକ୍ଷ ଲୋକ ସୋମବାର ବୁଷ୍ଟର ଡୋଜ୍ ନେବେ ।

ଓମିକ୍ରନ୍ ଟିକାର ପ୍ରଭାବକୁ ହ୍ରାସ କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିଛି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ଏପର୍ଯ୍ୟନ୍ତ ୩୮ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇସାରିଛନ୍ତି । ଏସବୁ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ ହେଉଛି ବୋଲି ସତର୍କ କରିଛି । ଏହା ସହିତ ଓମିକ୍ରନ ଫଳରେ ଯେଉଁମାନେ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିକାର ପ୍ରଭାବ ମଧ୍ୟ କମିଛି । ଭାରତରେ ଆତଙ୍କ ଖେଳାଇଥିବା କରୋନାର ଡେଲଟା ଭାରିଆଣ୍ଟ ପୂରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କି ଡେଲଟା ଭାରିଆଣ୍ଟଠାରୁ କମ୍ କ୍ଷତିକାରକ ଓମିକ୍ରନ୍ ଭାରିଆଣ୍ଟ । ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଓମିକ୍ରନ ଭାରିଆଣ୍ଟ ଭୟ ଫଳରେ କିଛି ଦେଶ ଆଫ୍ରିକାର ଦେଶ ଉପରେ ଯାତ୍ରାର ପ୍ରତିବନ୍ଧତା ଲଗାଇଛି । ଡିସେମ୍ବର ୯ ସୁଦ୍ଧା ୬୩ ଦେଶରେ ଓମିକ୍ରନ୍ ପହଞ୍ଚିସାରିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆହୁରି କହିଛି କି ଯେଉଁ ଲୋକମାନେ କରୋନାର ଦୁଇଟି ଡୋଜ ଟିକା ନେଇଥିବେ ସେମାନେ ମଧ୍ୟ ଓମିକ୍ରନ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଗୋଷ୍ଠୀ ସଂକ୍ରମଣ କଥା ଯଦି କହିବା ତାହାଲେ ଡେଲଟା ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ଲୋକମାନଙ୍କୁ ସଂକ୍ରମିତ କରୁଛି ଓମିକ୍ରନ୍ ।

ସଜାଗ ଓଡ଼ିଶା :

ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହେଲା ଓଡ଼ିଶା । ରାଜ୍ୟର ସମସ୍ତ ବର୍ଡର ଜିଲ୍ଲାଗୁଡିକୁ ସଜାଗ କରାଇଲେ ସରକାର । ଏ ନେଇ ପ୍ରତିକ୍ରିୟା ରଖି ଡ଼ିଏମଇଟି କହିଛନ୍ତି, ଆନ୍ଧ୍ରରେ ଓମିକ୍ରନ ବାହାରିବା ନେଇ ଆମ ପାଖରେ ଖବର ଅଛି । କିନ୍ତୁ ଏଥିପାଇଁ ରାଜ୍ୟବାସୀ ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଏ ପର୍ଯ୍ୟନ୍ତ ଆମ ଓଡିଶାରେ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । କ୍ଲଷ୍ଟରରୁ ପଜିଟିଭ ହେଉଥିବା କିମ୍ବା ବିଦେଶ ଫେରନ୍ତାଙ୍କର ଜେନମ ସିକ୍ୟୁଏନ୍ସିଂ କରାଯାଉଛି ।

Comments are closed.