ଦୋକାନ ଭଙ୍ଗା ବନ୍ଦ ଦାବିରେ ଉଠା ଦୋକାନୀଙ୍କ ବିଏମ୍ସି ଘେରାଉ

0 81

ଭୁବନେଶ୍ୱର : ଦୋକାନ ଭଙ୍ଗା ଅଭିଯାନ ବନ୍ଦ କରି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକଅଶୋକନଗର, ମାଷ୍ଟରକ୍ୟାଂଟିନ, ନିକୋ ପାର୍କ ରୋଡ଼ ଓ ବାୟାବାବା ମଠ ଛକର ଉଠା ଦୋକାନୀମାନଙ୍କୁ ସ୍ଥାୟୀ ଦୋକାନ ଘର ଯୋଗାଇବା ଦାବିରେ ଆଜି ଉଠା ଦୋକାନୀମାନେ ବିଏମ୍ସି ଅଫିସ ଘେରାଉ କରିଛନ୍ତି ।

ମଙ୍ଗଳବାର ପୂର୍ବାହ୍ନରେ ଏଆଇଟିୟୁସି ସହ ଅନୁବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଅଶୋକନଗରସ୍ଥ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାକାରୀମାନେ

ମାଷ୍ଟରକ୍ୟାଂଟିନ, ରାଜମହଲ ଓ କଳ୍ପନା ଛକ ଅତିକ୍ରମ ପୂର୍ବକ ବିଏମ୍ସି ଅଫିସ ନିକଟରେ ପହଂଚି ବିକ୍ଷୋଭ

ପ୍ରଦର୍ଶନ କରିଥିଲେ । ସେଠାରେ ସଂଘର ସଭାପତି ସୁର ଜେନା ଉଦ୍ବୋଧନ ଦେଇ କହିଲେ– ଆମ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶମତେ ଭାରତର ପାର୍ଲାମେଂଟ ଉଠାଦୋକାନୀମାନଙ୍କ ଥଇଥାନ ଆଇନ ପାଶ୍ କରିଛି ଏବଂ ବିଏମ୍ସି ସର୍ଭେ କରି ଉଠାଦୋକାନୀମାନଙ୍କୁ କୁପନ ପ୍ରଦାନ କରିଛନ୍ତି ।

ବିକ୍ଷୋଭ ପ୍ରଦର୍ଶନ ପରେ ସୁର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଏମ୍ସି ଡେପୁଟି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ । ଡେପୁଟି କମିଶନର ୫ଦିନ ମଧ୍ୟରେ ସମସ୍ତ ପକ୍ଷଙ୍କୁ ଡାକି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ କୈଳାସ ପୁହାଣ, ରମେଶ ରାଉତ, ବଟକୃଷ୍ଣ ସାହୁ, ବିକ୍ରମ ସ୍ୱାଇଁ, ଦେବ ସାହୁ, ସନ୍ତୋଷ ନାୟକ, ଅନ୍ନପୂର୍ଣ୍ଣା ପ୍ରଧାନ ଓ ପ୍ରକାଶ ସାହୁ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.