ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ, ବନ ବିଭାଗ ନୀରବ

0 68

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଆଭ୍ୟନ୍ତରୀଣ ବନାଞ୍ଚଳରେ ବ୍ୟାପକ ଭାବରେ ଗଞ୍ଜେଇ ଚାଷ କରାଯାଉଛି । ଗଞ୍ଜେଇ ଚୋରା ଚାଲାଣ ବେଳେ ଜିଲ୍ଲାର ମାଫିଆମାନେ ବିଭିନ୍ନ ସ୍ଥାନରେ ଧରା ପଡୁଛନ୍ତି । ଆନ୍ଧ୍ର, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଓଡ଼ିଶାର ବିଭିନ୍ନ ଥାନା ଅଞ୍ଚଳରେ ଧରା ପଡୁଥିବା ଗଞ୍ଜେଇ ଓ ମାଫିଆଙ୍କ ମାଲକାନଗିରି ଜିଲ୍ଲା ସହ ଲିଙ୍କ୍ ଥିବା ନଜରକୁ ଆସୁଛି । ଏଥିଯୋଗୁଁ ଜିଲ୍ଲା ବଦନାମ ହେଉଛି । ଏହି କାରବାର ଜିଲ୍ଲାର ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ପୁଲିସ ଓ ଅବକାରୀ ବିଭାଗକୁ ଗଞ୍ଜେଇ ଚାଷରେ ରୋକ୍ ଲଗାଇବା ପାଇଁ ସ୍ବତନ୍ତ୍ର ଦାୟିତ୍ଵ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଥରକୁ ଶତାଧିକ ଏକର ଜମିରୁ ଗଞ୍ଜେଇ ଗଛ କାଟି ନଷ୍ଟ କରୁଛନ୍ତି । ପୁଲିସ ମହାନିର୍ଦ୍ଦେଶକ ମାଓ ଦମନକୁ ନେଇ ସମୀକ୍ଷା କଲାବେଳେ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରା ଚାଲାଣ ରୋକିବା ନେଇ ମଧ୍ୟ ସମୀକ୍ଷା କରୁଛନ୍ତି । ତେବେ ଅଧିକାଂଶ ଚାଷ ଜଙ୍ଗଲ ଅଞ୍ଚଳରେ ହେଉଥିବାରୁ ବନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ି ଚାଲିଛି । ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ କରିବା ନିଶାରେ କଲେଜ ଛାତ୍ର, ପୋଲିସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ଏହି କାରବାରରେ ଧରାପଡ଼ି ଜେଲ୍ ଯାଇଛନ୍ତି । ମାଫିଆଙ୍କ ପୃଷ୍ଠପୋଷକତାରେ ସ୍ଥାନୀୟ ଲୋକେ ଜଙ୍ଗଲ କାଟି ଗଞ୍ଜେଇ ଚାଷ କରୁଛନ୍ତି । ଜଙ୍ଗଲର ଦୁର୍ଗମ ସ୍ଥାନରେ ଥିବା ସମତଳ ଭୂମିକୁ ସଫା କରି ଚାଷ କରାଯାଉଛି । ଏଥିପାଇଁ ହଜାର ହଜାର ମୂଲ୍ୟବାନ ଗଛ ବଳି ପଡ଼ୁଛନ୍ତି । ବିଭିନ୍ନ ସମୟରେ ଅବକାରୀ ଓ ପୁଲିସ ସଂରକ୍ଷିତ ଜଙ୍ଗଲରେ ଥିବା ଗଞ୍ଜେଇ ଚାଷ ନଷ୍ଟ କରୁଛନ୍ତି । ହେଲେ ନିଜ ଜଙ୍ଗଲରେ ହେଉଥିବା ଅବୈଧ ଚାଷ ବିଷୟରେ ବନ ବିଭାଗ କିପରି ଜାଣି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ସ୍ବତନ୍ତ୍ର କାର୍ଯ୍ୟପନ୍ଥା ରହିଛି । ଅଞ୍ଚଳ ଭାଗ କରି ଜିଲ୍ଲାର ସମସ୍ତ ବନାଞ୍ଚଳ ଦାୟିତ୍ବରେ କର୍ମଚାରୀ ଓ ବନ ସୁରକ୍ଷା ସମିତି ରହିଛନ୍ତି । କେଉଁ ଅଞ୍ଚଳରେ କି ଗଛ ରହିଛି, କେତେଟା ପାହାଡ଼ ଅଛି, କେତେ ସମତଳ ଭୂମି ରହିଛି ସବୁ ହିସାବ କର୍ମଚାରୀଙ୍କ ପାଖରେ ରହିବା ସ୍ଵାଭାବିକ । ସେହି ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଶିକାର ଓ ଗଛକଟା ରୋକିବା ହିଁ ଏମାନଙ୍କ ଦାୟିତ୍ୱ । ତେବେ ସେହି ବନାଞ୍ଚଳରେ ଗଞ୍ଜେଇ ଚାଷ ଠାବ କରି ଅବକାରୀ ଓ ପୁଲିସ ବିଭାଗ ନଷ୍ଟ କରୁଛନ୍ତି । ନିଜ ଅଞ୍ଚଳରେ ଗଛ କାଟି ଗଞ୍ଜେଇ ଚାଷ କରାଯାଉଥିବା ବିଷୟ ବିଭାଗୀୟ କର୍ମଚାରୀ ଜାଣି ପାରୁନଥିବା ପରିବେଶବିତ୍ମାନେ ସହଜେ ଗ୍ରହଣ କରି ପାରୁନାହାନ୍ତି । ବିଭାଗୀୟ କର୍ମଚାରୀଙ୍କ ଜାଣତରେ ଗଞ୍ଜେଇ ଚାଷ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଯଦି ଅଭିଯୋଗ ସତ୍ୟ ହୁଏ ତେବେ ସାଂଘାତିକ ବନ ବିଭାଗ ନ ଚାହିଁଲେ ଜଙ୍ଗଲରେ ଗଞ୍ଜେଇ ଚାଷ ରୋକାଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.