ମାଡ଼ୁଛି ଓମିକ୍ରନ୍, ବଢ଼ୁଛି ଭୟ

0 63

-ଚୀନ୍ ରେ ପଶିଲା ନୂଆ ଭାରିଆଣ୍ଟ
-ବ୍ରିଟେନ୍ ରେ ପ୍ରାୟ ୫ହଜାର ମାମଲା
-ନରୱେରେ ସ୍ଥିତି ସଂଗୀନ୍
-ଭାରତରେ ୪୫ଜଣ ସଂକ୍ରମିତ

ନୂଆଦିଲ୍ଲୀ : ମାଡ଼ୁଛି ଓମିକ୍ରନ୍ ବଢ଼ୁଛି ଭୟ । ଗୋଟିଏ ପରେ ଗୋଟିଏ ଦେଶ ନୂଆ ଭାରିଆଣ୍ଟ କବଳକୁ ଆସିଲେଣି । ଏପରିକି କରୋନାର ଉତ୍ପତ୍ତିସ୍ଥଳ ପଶିଛି ଏହି ଓମିକ୍ରନ୍ । ତିଆନ୍ଜିନ୍ ସହରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଆଇସୋଲେସନ୍ରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି । ଏଥିସହିତ ଚୀନ୍ରେ ଏବେ ଚିନ୍ତା ବଢ଼ାଇଛି ଡେଲ୍ଟା ସଂକ୍ରମଣ । କୋଚିଆନ୍ ପ୍ରଦେଶରେ ଡେଲ୍ଟାର ନୂଆ ଷ୍ଟ୍ରେନ୍ ଏୱାଇ.୪ ପ୍ରକୋପ ଦେଖାଉଛି । ସାର୍ବଜନୀନ ସମାରୋହ ଓ କୋଚିଆନ୍ ପ୍ରଦେଶ ବାହାରକୁ ଯାତ୍ରା ଉପରେ କଟକଣା ଲାଗିଛି । ବ୍ରିଟେନ୍ରେ ମଧ୍ୟ ହୁ ହୁ ହୋଇ ମାଡ଼ୁଛି ଏହି ଓମିକ୍ରନ୍ ଭାରିଆଣ୍ଟ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ୪୭୧୩ଜଣ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ନୂଆ ଭାରିଆଣ୍ଟ ଦ୍ୱାରା ପ୍ରତି ଦୁଇ ତିନିଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢ଼େଇ ଗୁଣ ହୋଇଯାଇଛି । ଚଳିତ ମାସ ଶେଷ ସୁଦ୍ଧା ବ୍ରିଟେନ୍ରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ହୋଇଯାଇପାରେ । ଏପରିକି ୧୮ବର୍ଷରୁ ଅଧିକ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ଦ୍ଧିତ ସଂକ୍ରମଣକୁ ଦେଖି କଡ଼ା ଚେତାବନୀ ଦେଇଛନ୍ତି ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ।

ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇଲକ୍ଷ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ନରୱେରେ ମଧ୍ୟ ଓମିକ୍ରନ୍ କାୟାବିସ୍ତାର କରିବାରେ ଲାଗିଛି । ଗତକାଲି ଗୋଟିଏ ଦିନରେ ୯୫୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଓସଲରୁ କେବଳ ୭୭୨ ସଂକ୍ରମିତ ବାହାରିଛନ୍ତି । ଜାନୁଆରୀ ସୁଦ୍ଧା ସେଠାରୁ ଦୈନିକ ସଂକ୍ରମଣ ୩ଲକ୍ଷ ଛୁଇଁବ ବୋଲି କୁହାଯାଇଛି । ବାର ଓ ରେଷ୍ଟୁରାଣ୍ଟରେ ମଦ ପରଷିବା ମନା ହେବା ସହିତ ଜିମ୍ ଓ ସ୍ୱିମିଂ ପୁଲ୍କୁ ମନା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୬୫ରୁ ଅଧିକ ଦେଶକୁ ଏହା ମାଡ଼ିଗଲାଣି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀରେ ଆଉ ଚାରିଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୨୦ଟି ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ସାରା ବିଶ୍ୱରେ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ ଏନେଇ ସତର୍କ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭୂତାଣୁ ଘାତକ ହୋଇପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ବଢିପାରେ ଏବଂ ହସ୍ପିଟାଲରେ ଅଧିକ ଓମିକ୍ରନ ସଂକ୍ରମିତ ଭର୍ତ୍ତି ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । ତେବେ ମହାମାରୀ ସ୍ଥିତିକୁ ଏହା ଅଧିକ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଉଛି । ତେବେ ଓମିକ୍ରନ ସଂକ୍ରମଣ ନେଇ ଅଧିକ ତଥ୍ୟ ଦେବା ପାଇଁ ଏନେଇ ଅଧିକ ଗବେଷଣା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ବୋଟସ୍ୱାନା, ୩ ସପ୍ତାହରେ ୮୦୦% ବଢିଛି ଓମିକ୍ରନ ସଂକ୍ରମଣ :

କେପଟାଉନ : ସାରା ବିଶ୍ୱକୁ ଘନେଇଛି କରୋନାର ଓମିକ୍ରନ ଭାଇରସ ଭୟ । ଭୂତାଣୁର ଏହି ଖାସ ପ୍ରକାରକୁ ନଭେମ୍ବର ୨୪ ତାରିଖ ଦିନ ପ୍ରଥମେ ଦକ୍ଷିଣ ଆଫ୍ରିକା ବୋଟସୱାନାରେ ଚିହ୍ନଟ କରାଯାଇଥିଲା । ଏ ନେଇ ସାରା ବିଶ୍ୱକୁ ତୁରନ୍ତ ସୂଚିତ କରିଦିଆଯାଇଥିବା ବେଳେ ଡବ୍ଲୁଏଚ୍ଓ ମଧ୍ୟ ନୂଆ ଭୂତାଣୁ ପ୍ରକାରକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ଭୂତାଣୁର ନୂଆ ପ୍ରକାର ଚିହ୍ନଟ ପରଠାରୁ ଏପର୍ଯ୍ୟନ୍ତ ବିଶ୍ୱର ୬୦ରୁ ଅଧିକ ଦେଶକୁ ପହଞ୍ଚିସାରିଲାଣି । ୩ ସପ୍ତାହରେ ଭୂତାଣୁର ଏପରି ପ୍ରସାର ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ଓମିକ୍ରନ ବାବଦେ ବୈଜ୍ଞାନିକ ଦେଇଥିବା ସବୁଠୁ ତାଜା ସୂଚନାରେ ଏହା ଡେଲ୍ଟାଠାରୁ ମଧ୍ୟ ଅଧିକ ସଂକ୍ରମଣକାରୀ । ହେଲେ ଏଥିଯୋଗୁ ଉପୁଜିବାକୁ ଥିବା ଜଟିଳତା ନେଇ ଏବେବି ଅଙ୍କକଷା ଚାଲିଛି । ଏହି ଭୂତାଣୁ ପ୍ରକାର ଯେଉଁ ବେଗରେ ବ୍ୟାପୁଛି ଏଥିରୁ ଚିକିତ୍ସା ସେବା ପାଇନପାରିଲେ ଆକ୍ରାନ୍ତଙ୍କ ଅବସ୍ଥା କ’ଣ ହେବ ତାହାହିଁ ଚିନ୍ତାର କାରଣ ପାଲଟିଛି । ଏଥିରୁ ଯେଉଁ ଦେଶରେ ଓମିକ୍ରନ ପ୍ରଥମେ ଚିହ୍ନଟ ହୋଇଥିଲା ଆସନ୍ତୁ ଜାଣିବା ଏବେ ସେଠାକାର ହାଲ କିପିରି ।

ନଭେମ୍ବର ୯ ତାରିଖ ଦିନ ଦକ୍ଷିଣ ଆଫ୍ରିକାରେ କରୋନାର ସବୁଠୁ କମ୍ କେସ୍ ଥିଲା । ସେଦିନ ସାରା ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୧୬ ହଜାର ପାଖାପାଖି ଦେଖାଯାଇଥିଲା । ଲୋକେ ବେଶ୍ ଆଶ୍ୱସ୍ଥ ଥିଲେ । ହେଲେ ଦେଖୁ ଦେଖୁ ଦେଶରେ ମାମଲା ସଂଖ୍ୟା ଅଚାନକ ବଢିବାରେ ଲାଗିଥିଲା । ନଭେମ୍ବର ୨୩ ତାରିଖ ବେଳକୁ ଆକ୍ଟିଭ କେସ ଲୋଡ ୨୦ ହଜାର ପାର ହୋଇଯାଇଥିଲା । ଏଥିରୁ ମାମଲାର ଯାଞ୍ଚ ବେଳେ ନଭେମ୍ବର ୨୪ ତାରିଖ ଦିନ ପ୍ରଥମ ଥର ଓମିକ୍ରନର ଉପସ୍ଥିତି ଜଣାପଡିଥିଲା । ଏଥିରୁ କରୋନାର ଏହି ନୂଆ ପ୍ରକାର ଚିହ୍ନଟ ହେବାର ସପ୍ତାହେ ଅଥବା ୨ ସପ୍ତାହ ପୂର୍ବରୁ ଆଫ୍ରିକା ମହାଦ୍ୱୀପରେ ଏହା ବ୍ୟାପିବା ଆରମ୍ଭ କରିସାରିଥିଲା ବୋଲି ଏବେ ଆକଳନ କରାଯାଉଛି । ତଥ୍ୟକୁ ଦେଖିଲେ ନଭେମ୍ବର ୨୪ ତାରିଖ ଦିନ ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ୧ ଡିସେମ୍ବର ବେଳକୁ ଆକ୍ଟିଭ କେସ୍ ସଂଖ୍ୟା ୩୬ ହଜାର ୬୦୦ ପହଞ୍ଚି ସାରିଥିଲା । ଯାହା ଡିସେମ୍ବର ୮ ତାରିଖ ବେଳକୁ ୧ ଲକ୍ଷ ୧୩ ହଜାରରେ ପହଞ୍ଚିବା ସରକାରଙ୍କ ନିଦ ହଜାଇଥିଲା । ସେତେବେଳକୁ ଦେଶରେ ଭୂତାଣୁ ସଂକ୍ରମଣ ହାର ୨୦୦ ପ୍ରତିଶତକୁ ଛୁଇଁ ସାରିଥିଲା । ତାଜା ତଥ୍ୟକୁ ବିଚାରକୁ ନେଲେ ଦେଶରେ ମହଜୁଦ କରୋନା ମାମଲରୁ ୬୦ ପ୍ରତିଶତ କେବଳ ଓମିକ୍ରନ ସଂକ୍ରମିତ । ଗତ ସୋମବାର ୬ ଡିସେମ୍ବର ଦିନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୮୬ ହଜାରରୁ ଅଧିକ ଥିଲା । ସପ୍ତାହକ ପରେ ଅର୍ଥାତ ଡିସେମ୍ବର ୧୩ ତାରିଖ ବେଳକୁ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୭ ହଜାରରେ ପହଞ୍ଚିଯାଇଛି । ଅର୍ଥାତ ଓମିକ୍ରନ ଯୋଗୁ ଦକ୍ଷିଣ ଆଫ୍ରିକାରେ କରୋନା ମାମଲା ହାର ପ୍ରାୟ ୧୧୦ ପ୍ରତିଶତକୁ ବଢି ଯାଇଛି । ଦକ୍ଷିଣ ଆଫ୍ରିକା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ କମ୍ୟୁନିକେବଲ ଡିଜିଜେସ୍ (ଏନଆଇସିଡି)ଙ୍କ ଅନୁସାରେ ଦେଶରେ ଏବେ ପ୍ରତି ୧୦୦ ଜଣରେ ୩୧ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ହସ୍ପିଟାଲ ଆଡମିସନ ହାର ମଧ୍ୟ ବଢିଛି ।

Leave A Reply

Your email address will not be published.