ଇକୋ ରିଟ୍ରିଟ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ : ନିଆରା ଅନୁଭୂତି ସହ ମଜା ଉଠାଇବେ ପର୍ଯ୍ୟଟକ

0 67

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ଚଳିତ ବର୍ଷର ଇକୋ ରିଟ୍ରିଟ୍ । ଭର୍ଚୁଆଲରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋ ରିଟ୍ରିଟ୍ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍ର ମଜା । ପ୍ରଥମକରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ,ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇପାରିବେ । କରୋନା କାଳରେ ଉଦାସ ପଡିଥିବା ପର୍ଯ୍ୟଟନସ୍ଥଳୀଗୁଡିକ ପୁଣିଥରେ ହସି ଉଠିବ । ରାଜ୍ୟ ତଥା ଦେଶବିଦେଶରୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ସାଙ୍ଗକୁ ଦୌଡ଼ିବ ବିକାଶର ଧାରା । ପ୍ରକୃତି କୋଳରେ ଭିନ୍ନ ଅନୁଭୂତି ଦେବାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ କରିଥିବା ପ୍ରୟାସ ବେଶ ଆଦୃତ ହୋଇଛି । ପୂର୍ବବର୍ଷ ଗୁଡିକ ଭଳି ଏଥର ବି ପର୍ଯ୍ୟଟକମାନେ ହିଁ ବସିଥିଲେ କେବେ ଆରମ୍ଭ ହେବ ପର୍ଯ୍ୟଟନର ମହାପର୍ବ ଇକୋ-ରିଟ୍ରିଟ୍ । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ହୋଇଥିଲା । ଚଳିତବର୍ଷ ପୂର୍ବ ୫ସ୍ଥାନ କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସହ ଦୁଇଟି ନୂଆ ସ୍ଥାନ କୋରାପୁଟ ଓ ଗଞ୍ଜାମ ଯୋଡା ଯାଇଛି । କୋଭିଡ୍ କଟକଣାରେ ପ୍ରକୃତି କୋଳରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ ସହ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ ୭୦ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି ।

ସେହିପରି ଭିତରକନିକା ପେଙଋ ବେଳାଭୂମିରେ ହୋଇଛି ଇକୋ ରିଟ୍ରିଟ୍ । ଦାରିଙ୍ଗବାଡ଼ି, ସମ୍ବଲପୁର ଆଦି ସ୍ଥାନରେ ହୋଇଥିବା ଇକୋ-ରିଟ୍ରିଟର ମଜା ନେଇପାରିବେ ପର୍ଯ୍ୟଟକ । ଏହି ଇକୋ ରିଟ୍ରିଟ୍ ତିନିମାସ ପର୍ଯ୍ୟନ୍ତ ·ଲିବ । ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ । ଅନ୍ୟପଟେ ୨୦୨୬ ମସିହା ପର୍ଯ୍ୟନ୍ତ ଏହି ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ କରିବାକୁ ବିଭାଗ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି । ଯଦି ଚଳିତ ବର୍ଷ ଏହିସବୁ ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ଠିକ୍ ରୁହେ ଏବଂ ଉତ୍ସବ ସଫଳ ହୁଏ, ଆଗାମୀ ୫ ବର୍ଷ ଲାଗି ଉତ୍ସବ ସ୍ଥଳ ଅପରିବର୍ତ୍ତିତ ରହିବ । ପର୍ଯ୍ୟଟକ ବିଭାଗର ଜଣେ ଅଧିକାରୀ ସୂଚନା ମୁତାବକ, ଏଥର ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକଙ୍କ ପସନ୍ଦ ରହିଛି କୋଣାର୍କ ଏବଂ ଭିତରକନିକା । ସର୍ବାଧିକ ପର୍ଯ୍ୟଟକ ଉକ୍ତ ସ୍ଥଳ ଲାଗି ବୁକିଂ କରିଛନ୍ତି । ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ସୁରକ୍ଷା, ନିରାପତ୍ତା ସହିତ ବିଭିନ୍ନ ସୁବିଧା ସୁଯୋଗ ରହିଛି । ବେଳାଭୂମି ଓ ପ୍ରାକୃତିକ ପରିବେଶଭରା ଘଞ୍ଚ ଜଙ୍ଗଲର ସବୁଜବନାନୀରେ ବିଳାସପୂର୍ଣ୍ଣ ରହଣି, ଦୁଃସାହସିକ କ୍ରୀଡ଼ାକୌଶଳ, ଜଳକ୍ରୀଡ଼ା, ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ଓ ପାନୀୟ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.