ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରଶଂସା : ଓଡ଼ିଶାରେ ବଢ଼ିଛି ମୁଣ୍ଡପିଛା ଆୟ

0 70

-କେନ୍ଦ୍ରରୁ ସ୍ୱତନ୍ତ୍ର ଅନୁଦାନ ଲୋଡିଲେ ମୁଖ୍ୟମନ୍ତ୍ରୀ
-ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି
-ବିତ୍ତୀୟ ନିଅଣ୍ଟ ୫ ପ୍ରତିଶତ ତଳେ ରହିଛି
-ଖଣିଜ ସମ୍ପଦରେ ଏଫ୍ଡିଆଇ ବିନିଯୋଗ ହେଲେ ଓଡ଼ିଶା ହେବ ଅଷ୍ଟ୍ରେଲିଆ
-ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ବାସଗୃହ ଓ ମହିଳା ସଶକ୍ତିକରଣରେ ରାଜ୍ୟ ଆଗୁଆ

ଭୁବନେଶ୍ୱର : ଓଡ଼ିଶା ଉଭୟ ମାକ୍ରୋ ଇକୋନୋମିକ୍ ଏବଂ ସାମାଜିକ ଅର୍ଥନୈତିକ ସୂଚକାଙ୍କରେ ବିଶେଷ ଭାବେ ଅଗ୍ରଗତି କରିଛି । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ଓ ବନ୍ୟା ଯୋଗୁ ରାଜ୍ୟର ଭିତ୍ତିଭୂମି ବିକାଶରେ ବାଧକ ସାଜିଛି । ରାଜ୍ୟର ନିରନ୍ତର ବିକାଶ ପାଇଁ କେନ୍ଦ୍ରର ସହଯୋଗ ଦରକାର । ଅନ୍ୟ ପ୍ରମୁଖ ରାଜ୍ୟ ସହ ସମକକ୍ଷ ହେବା ପାଇଁ କେନ୍ଦ୍ରଠାରୁ ସ୍ୱତନ୍ତ୍ର ଅନୁଦାନ ଆବଶ୍ୟକ ବୋଲି ନୀତି ଅ।।ୟୋଗ ଉପାଧ୍ୟକ୍ଷଙ୍କ ଟିମ୍ ସହିତ ଆଲୋଚନା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଓଡ଼ିଶାର ନିଜର ହେଲଥ୍ ଆସ୍ୟୁରାନ୍ସ ଯୋଜନା ରହିଛି, ଯାହାକି ଚିକିତ୍ସା ଖର୍ଚ୍ଚ ବୋଝକୁ କମାଇ ପାରିଛି । ପିଡିଏସ ଯୋଗାଣ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ଓଡ଼ିଶା ଏବେ ପୁଞ୍ଜିନିବେଶକାରୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ଏହାବାଦ୍ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ପ୍ରକଳ୍ପ ନେଇ ବୈଠକରେ ଆଲୋଚନା ହୋଇଛି । ଇଣ୍ଟରନେଟ୍ ସଂଯୋଗୀକରଣ, ଟେଲିଫୋନ୍ ଟାୱାର ଓ ଅଧିକ ବ୍ୟାଙ୍କ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଉଭୟ ଅର୍ଥନୀତି ଓ ସାମାଜିକ ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ହୋଇଛି ।’ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ତାଳ ରଖି ନୀତି ଆୟୋଗ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ସେ କହିଛନ୍ତି, “ଏଭଳି ହେଲେ ରାଜ୍ୟଗୁଡିକ ନୀତି ଆୟୋଗ ନିକଟରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ଲୁପ୍ରିଣ୍ଟ ରଖିପାରିବେ । ଏଥିସହ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ସୁଚାରୁ ରୂପେ ପରିଚାଳନା ପାଇଁ ବାଟ ବାହାରିବ ।’ ଅପରପକ୍ଷରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୨୦୧୧ରୁ ୨୦୨୦ ମଧ୍ୟରେ ଦେଶ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି । ପୋଷଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଭଲ କାମ କରିଛି । ପୋଷଣ, ସ୍ୱାସ୍ଥ୍ୟ,ମୁଣ୍ଡପିଛା ଆୟ ଓ ଜିଡିପି ଅଭିବୃଦ୍ଧି ଘଟିଛି । ଆକାଂକ୍ଷୀ ଜିଲ୍ଳାଗୁଡ଼ିକରେ ଆହୁରି କ’ଣ କରାଯିବ ସେଥିନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ରାଜ୍ୟରେ ଖଣି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଓଡ଼ିଶାରେ ଯେତିକି ପରିମାଣର ଖଣିଜ ସମ୍ପଦ ରହିଛି ସେଥିରେ ଏଫ୍ଡିଆଇ ବିନିଯୋଗ ହେଲେ ଅଷ୍ଟ୍ରେଲିଆ ଭଳି ଓଡ଼ିଶା ମଧ୍ୟ ସମୃଦ୍ଧ ହୋଇପାରିବ ବୋଲି ନୀତିଆୟୋଗ ଉପାଧ୍ୟକ୍ଷ କହିଛନ୍ତି । ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହାସହ ଏସ୍ଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତ୍ତନ ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୀତି ଆୟୋଗ ହେଉଛି ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା । ଏଭଳି ସଂସ୍ଥାର ଉପାଧ୍ୟକ୍ଷ ଓଡ଼ିଶାକୁ ପ୍ରଶଂସା କରିବା ବାସ୍ତବିକ୍ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । ୨୧ବର୍ଷ ତଳେ ରାଜ୍ୟରେ ଯେପରି କ୍ଷୁଧା, ଦାରିଦ୍ର୍ୟ ଆଦି କଷାଘାତ କରିଚାଲିଥିଲା । ଏପରିକି ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନଥିଲା । କଳାହାଣ୍ଡିର ଦାରିଦ୍ର୍ୟତା ସାରା ବିଶ୍ୱ ଦରବାରରେ ରାଜ୍ୟକୁ ଯେପରି ନିନ୍ଦିତ କରିଥିଲା ସେଭଳି ସ୍ଥିତି ଏବେ ଆଉ ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ,
ଖାଦ୍ୟ, ବାସଗୃହ ଓ ମହିଳା ସଶକ୍ତିକରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଏବେ ଆଗୁଆ । ୨୦୧୧ ପରଠାରୁ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିବା ସହିତ ବିତ୍ତୀୟ ନିୟଣ୍ଟ ୫ ପ୍ରତିଶତ ତଳେ ରହିଛି । ସାମାଜିକ ଓ ମାକ୍ରୋ ଅର୍ଥନୀତିରେ ଓଡ଼ିଶା ଅଗ୍ରଗତି କରୁଛି । ଏବେ ରାଜ୍ୟରେ ସ୍ଥିର ଅର୍ଥନୀତି ଆସିବା ସହିତ ଅନେକ କ୍ଷେତ୍ରରେ ରାଜ୍ୟର ବିକାଶର ଚିତ୍ର ବଦଳିଛି । ଯାହାକୁ ଲକ୍ଷ୍ୟ କରି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାଜ୍ୟକୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ।

Leave A Reply

Your email address will not be published.