ଶିକ୍ଷୟତ୍ରୀଙ୍କୁ ଆକ୍ରୋଶମୂଳକ ଭାବେ ଦୀର୍ଘ ୪୦ କିମି ଦୂର ବଦଳି କାହା ସ୍ୱାର୍ଥରେ ?

0 69

ସାଲେପୁର : ମାହାଙ୍ଗା ବ୍ଲକର ଓଷଙ୍ଗ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀ ବାଣୀ ରାଉତ (୫୫)ଙ୍କୁ ମାହାଙ୍ଗା ବ୍ଲକରୁ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ୪୦ କି.ମି. ଦୂର ଦୁଇଟି ନଦୀ ପାରି ଚିତ୍ରୋତ୍ପଳା ଓ ଲୁଣା ଆର ପାଖରେ ଥିବା ପାଳଦା ୟୁ.ଜି.ଏମ୍.ଇ ସ୍କୁଲକୁ ମାହାଙ୍ଗା ବ୍ଲକ ବି.ଇ.ଓ.ଙ୍କ କାର୍ଯ୍ୟାଳୟ ପକ୍ଷରୁ ମନମୁଖୀ ଭାବରେ ବଦଳି କରାଯାଇଛି । ଯାହା ଏବେ ମାହାଙ୍ଗା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ ସଂଖ୍ୟା ୪୨ । ଶ୍ରେଣୀ ସଂଖ୍ୟା ୫ଟିକୁ ଜଣେ ଶିକ୍ଷକ ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିବା ଓ କୋଭିଡ୍ ସମୟରେ ନିଜର କର୍ତ୍ତବ୍ୟକୁ ପାଳନ କରିବା, ଏସ୍.ଏମ୍.ସି. ସଭାପତି ତଥା ସଦସ୍ୟମାନଙ୍କର ପ୍ରିୟଭାଜନ ଓ ସ୍ଥାନୀୟ ସରପଂଚଙ୍କ ସହ ସୁସମ୍ପର୍କ ଥିଲାବେଳେ ଉକ୍ତ ଶିକ୍ଷୟିତ୍ରୀଙ୍କୁ କେଉଁ କାରଣ ପାଇଁ ବଦଳି କରାଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଣୀ ରାଉତଙ୍କ ବୃଦ୍ଧା ଶାଶୁ (୮୫) ବର୍ଷ । ସ୍ୱାମୀ ବାହାରେ ରହୁଛନ୍ତି । ତାଙ୍କର ସେବା ସୁଶୃଶା କରିବାର ଆବଶ୍ୟକତା ରହିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ବଦଳି ଆଦେଶକୁ ୭.୧୨.୨୦୨୧ ମାହାଙ୍ଗା ବ୍ଳକ ଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀ ବାଣୀ ରାଉତଙ୍କୁ ରିଲିଫ୍ କରି ତାଙ୍କ ହ୍ୱାଟ୍ସ ଆପ୍ ମାଧ୍ୟମରେ ୧୩.୧୨.୨୦୨୧ ସଂଧ୍ୟା ଘ.୬.୦୨ ମିନିଟରେ ପ୍ରଦାନ କରିବା ବେଳେ ୧୪.୧୨.୨୦୨୧ ଘ. ୨.୩୦ ମିନିଟ୍ ସମୟରେ ଓଷଙ୍ଗ କ୍ଲଷ୍ଟରର ସିଆରସିସି ନିହାର ରଂଜନ ସାମଲ ଶ୍ରୀମତୀ ରାଉତଙ୍କୁ ଅରିଜିନାଲ ବଦଳି ଆଦେଶ ନ ଦେଇ ଏକ ପ୍ରିଣ୍ଟେଡ୍ କପି ଦେଇଛନ୍ତି । ଯାହାକୁ ଶ୍ରୀମତୀ ବାଣୀ ରାଉତ କଟକ ଡି.ଓ.ଙ୍କ ପାଖକୁ କାଉଣ୍ଟର ସାଇନ୍ କରିବାକୁ ନେଇଥିବା ବେଳେ ସେ ଅରିଜିନାଲ କପି ନ ଆଣିଲେ କାଉଣ୍ଟର ସାଇନ କରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଣୁ ଶିକ୍ଷୟିତ୍ରୀ ଜଣକ ନିରାଶ ହୋଇ ଘରକୁ ଫେରିଥିଲେ । ଏ ସଂପର୍କରେ ସଂପୃକ୍ତ ଶିକ୍ଷୟିତ୍ରୀ ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅବଗତ କରାଇଥିବା ତାଙ୍କର ସ୍ୱାମୀ ଶିକ୍ଷାବିତ୍ ତଥା ସ୍ତମ୍ଭକାର ଭାବଗ୍ରାହୀ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ମାହାଙ୍ଗା ବ୍ଳକର ଅଧ୍ୟକ୍ଷଙ୍କ ସଂପର୍କୀତଙ୍କୁ ବଦଳି କରି ଆଣିବା ପାଇଁ ମାହାଙ୍ଗା ବ୍ଲକ ବି.ଇ.ଓ. ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ଏହାର ନିରପେକ୍ଷ ତଦନ୍ତ ଦାବି କରିବା ସହ କେଉଁ କାରଣ ପାଇଁ ମାହାଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଜଣେ ଶିକ୍ଷୟିତ୍ରୀଙ୍କୁ ୪୦ କି.ମି ଦୂର ବଦଳି କଲେ ସେ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ସହ ବଦଳିର ପୁନଃ ବିଚାର କରିବାକୁ ସେ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.