ଓମିକ୍ରନ୍ ଡେଲ୍ଟା ଠାରୁ ୭୦ ଗୁଣ ଅଧିକ ସଂକ୍ରାମକ

0 78

ନୂଆଦିଲ୍ଲୀ : ଗୋଟିଏ ପରେ ଗୋଟିଏ କରି ପ୍ରାୟ ୮୦ ଦେଶକୁ ମାଡିଚାଲିଛି ଓମିକ୍ରନ୍ । ଅତି ଦ୍ରୁତ ଗତିରେ ବ୍ୟାପୁଛି ଏହି ନୂଆ ଭାରିଆଣ୍ଟ । ଓମିକ୍ରନ୍ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ମାତ୍ର ସଂକ୍ରମଣ ହାର ଯେପରି ଭାବେ ବଢ଼ୁଛି ସବୁ ମେଡିକାଲ ଓ ଆଇସିୟୁ ବେଡ୍ର ଅଭାବ ଦେଖାଦେବ । ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଗରୁ କହିସାରିଛି । ଏପରି ସ୍ଥଳେ ହଂକଂ ୟୁନିଭର୍ସିଟି ଗବେଷକଙ୍କ ଚାଞ୍ଚଲ୍ୟକର ତଥ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଡେଲ୍ଟା ଠାରୁ ୭୦ ଗୁଣା ସଂକ୍ରାମକ ଓମିକ୍ରନ ଭୂତାଣୁ । ହେଲେ ଡେଲଟାଠାରୁ ୧୦ଗୁଣା କମ୍ କ୍ଷତିକାରକ ହେବ ଓମିକ୍ରନ ଭୂତାଣୁ । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ତଥ୍ୟ ଆଧାରରେ ହଂକଂ ୟୁନିଭର୍ସିଟି ଏହି ରିପୋର୍ଟ ଦେଇଛି । କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ଜଣାପଡିଥିଲା । ତେବେ ଓମିକ୍ରନ କେତେ ଅଧିକ ସଂକ୍ରାମକ, ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ମତପ୍ରକାଶ ପାଉଛି । ଏବେ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁସାରେ ଓମିକ୍ରନ ୭୦ ଗୁଣ ଅଧିକ ବେଗରେ ସଂକ୍ରମିତ କରିପାରେ । ୟୁନିଭର୍ସିଟି ଅଫ୍ ହଂକଂର ତଥ୍ୟ ଅନୁଯାୟୀ ଓମିକ୍ରନ ପ୍ରଜାତି ଡେଲଟା ଭୂତାଣୁ ତୁଳନାରେ ପ୍ରାୟ ୭୦ ଗୁଣ ଅଧିକ ବେଗରେ ବ୍ୟାପିପାରେ ।

ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବ୍ୟାପିବା ନେଇ ଅନୁଧ୍ୟାନ ପରେ ଏହି ତଥ୍ୟ ମିଳିଛି । ତେବେ ଏହି ରିପୋର୍ଟରୁ
କିଛି ଆଶ୍ୱସ୍ତିକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯଦିଓ ଓମିକ୍ରନ ଅତି ଦ୍ରୁତ ଗତିରେ ବ୍ୟାପେ, ତେବେ ଏହା କମ୍ କ୍ଷତି କରିଥାଏ । ଏପରିକି ଡେଲଟା ତୁଳନାରେ ଏହା ୧୦ ଗୁଣା କମ୍ କ୍ଷତି ପହଞ୍ଚାଇବ ବୋଲି ଆକଳନ କରାଯାଇଛି । ଡେଲ୍ଟା ଭୂତାଣୁ ଯେପରି ଭାବେ ଆକ୍ରାନ୍ତଙ୍କ ଫସ୍ଫୁସ୍କୁ ପ୍ରଭାବିତ କରେ, ଓମିକ୍ରନ୍ ସେଭଳି ପ୍ରଭାବିତ କରେ ନାହିଁ । ଏହାସହ ଏହି ନୂଆ ଭୂତାଣୁରେ ଆକ୍ରାନ୍ତ ହେବା ପରେ ଜଣେ ସଂକ୍ରମିତଙ୍କ ପାଖରେ ଖୁବ୍ କମ୍ କିମ୍ବା ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଏ ଓ ସେ ଗୁରୁତର ହୋଇନଥାନ୍ତି । ଏଯାଏଁ ପ୍ରାୟ ୭୭ ଦେଶରେ ଓମିକ୍ରନ ବ୍ୟାପି ସାରିଲାଣି । ବ୍ରିଟେନ୍ରେ ଓମିକ୍ରନ୍ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ବୁଧବାର ଦିନ ୭୮ହଜାର ୬୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାମାରୀ ଆରମ୍ଭ ପରଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଏପରିକି ଲଣ୍ଡନରେ ୧୦ହଜାର ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ଭାରତରେ ମଧ୍ୟ ଦିନକରେ ୧୬ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ୯ଟି ରାଜ୍ୟକୁ ଓମିକ୍ରନ୍ କବଳିତ କରିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡିଚାଲିଛି । ମାତ୍ର ଓଡ଼ିଶାରେ ଏଯାଏ ଏହି ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ମଣିଷ ଶରୀରର ଶ୍ୱାସନଳୀରେ ଡେଲଟା ତୁଳନାରେ ଏହା ୭୦ଗୁଣ ବେଗରେ ସଂକ୍ରମଣ କରୁଛି । ହଂକଂର ଏକ ଷ୍ଟଡିରୁ ଏହି ତଥ୍ୟ ମିଳିଛି । ଏପରିକି ଫୁସ୍ଫୁସ୍ରେ ମୂଳ କରୋନା ଷ୍ଟ୍ରେନ୍ ଅପେକ୍ଷା ୧୦ଗୁଣା ବେଗରେ ନିଜର ପ୍ରତିରୂପ ସୃଷ୍ଟି କରୁଥିବା ଜଣାପଡ଼ିଛି । ସମୟ ଗଡ଼ିବା ସହିତ ଏହି ଭାରିଆଣ୍ଟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କରୋନା ଟିକା ଏହି ନୂଆ ଭାରିଆଣ୍ଟ ଉପରେ କେତେ ପ୍ରଭାବୀ ତାର ଗବେଷଣା ମଧ୍ୟ ଚାଲିଛି ।

Leave A Reply

Your email address will not be published.