ଆଜି ବାୟୁ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ : ଗୁରୁତର ରୋଗୀଙ୍କ ଦୁଆରେ ପହଞ୍ଚିବେ ଡାକ୍ତର

69

-ବିଏସ୍କେୱାଇ ପରେ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ
-ପ୍ରଥମେ ୫ ଜିଲ୍ଲାରେ ଆରମ୍ଭ ହେବ ଏହି ଯୁଗାନ୍ତକାରୀ ସେବା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହେବ ଆଉ ଏକ ନୂଆ ଅଧ୍ୟାୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ଆଉ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିବେ । ଗୁରୁତର ରୋଗୀଙ୍କ ପାଖରେ ଯଥାଶୀଘ୍ର ସମସ୍ତ ସୁବିଧା ସହ ଉତ୍ତମ ଡାକ୍ତର ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତ୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ରୋଗୀ ଏହି ବାୟୁ ସ୍ୱାସ୍ଥ୍ୟସେବା ପାଇବେ । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ କୋରାପୁଟ ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଟିମ୍ । ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।

ରାଜ୍ୟର ଉପାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ଯୋଗାଯୋଗ ସୁବିଧା ନଥିବାରୁ ପ୍ରଥମେ ଏହି ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଞ୍ଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇପାରିବେ । ସମୟ ବଞ୍ଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମୁକ୍ତି ମିଳିବ । ଗୁରୁତର ରୋଗୀଙ୍କ ନିକଟରେ ହେଲକପ୍ଟରରେ ପହଞ୍ଚିବେ ଡାକ୍ତରୀ ଦଳ । ଯଦି ଆବଶ୍ୟକ ପଡେ ତେବେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟିଂ କରାଯାଇ ଅନ୍ୟ ମେଡିକାଲରେ ଭର୍ତ୍ତି କରାଯିବ ।

ଆଜି ଲୋକାର୍ପିତ ହେବ ‘ଟି ସେତୁ’ :

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ । ଏଣିକି କଟକ ଜିଲ୍ଲା ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କୀ ଓ ଖୋର୍ଦ୍ଧାକୁ ଆହୁରି ସୁଗମ ହେବ ଯାତାୟାତ । ଆଜି ଉଦ୍ଘାଟିତ ହେବ ରାଜ୍ୟର ସବୁଠୁ ଦୀର୍ଘତମ ସେତୁ ‘ଟି ସେତୁ’ । ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୪ ମସିହା ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୩୧ କୋଟି ଟଙ୍କା ବ୍ୟୟରେ ଏହି ଦୀର୍ଘତମ ସେତୁର ନିର୍ମାଣ ଶେଷ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିବେ । ଏହାଦ୍ୱାରା କଟକ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର ଜନସାଧାରଣ ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ । ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀ ମଧ୍ୟରେ ୩ କିଲୋମିଟର ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ପରେ ବର୍ଷା ଦିନେ ଭାସି ଯାଉଥିଲା ମାଟି ରାସ୍ତା । ଏଣୁ ସେତୁ ନିର୍ମାଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ଜନସାଧାରଣ । ଏବେ ଆଶା ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

Comments are closed.