ଓମିକ୍ରନ୍ ଓ ଡେଲ୍ଟା ମିଶି ସୃଷ୍ଟି ହୋଇପାରେ ବିପଜ୍ଜନକ ଷ୍ଟ୍ରେନ

70

ଲଣ୍ଡନ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ବିଶ୍ୱର ଚିନ୍ତା ବଢ଼ୁଥିବା ବେଳେ ଆଉ ଏକ ନୂଆ ବିପଦକୁ ନେଇ ଆଶଙ୍କା କଲେଣି ବିଶେଷଜ୍ଞ । ଯଦି ଓମିକ୍ରନ୍ ଡେଲ୍ଟା ସହ ମିଶିଯାଏ ତେବେ ଏକ ବିପଜ୍ଜନକ ଷ୍ଟ୍ରେନ୍ ସୃଷ୍ଟି ହୋଇପାରେ ବୋଲି ମଡର୍ଣ୍ଣା ଚିଫ୍ ମେଡିକାଲ ଅଫିସର ଡ.ପର୍ଲ ବର୍ଟନ କହିଛନ୍ତି । ଭାରତରେ ମଧ୍ୟ ଓମିକ୍ରନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜନସଂଖ୍ୟା ଅଧିକ ହୋଇଥିବାରୁ ନୂଆ ଷ୍ଟ୍ରେନ୍ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିପାରେ । ବ୍ରିଟେନ ପରି ସ୍ଥିତି ରହିଲେ ଦେଶର ଦୈନିକ ୧୪ ଲକ୍ଷ ମାମଲା ଆସିବ ବୋଲି ନିତି(ସ୍ୱାସ୍ଥ୍ୟ) ଆୟୋଗ ସଦସ୍ୟ ଭି.କେ ପଲ କହିଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନାକୁ ନେଇ ମୁଣ୍ଡ ବିନ୍ଧା ବଢ଼ାଇବା ଭଳି ଚେତାବନୀ ଦେଇଛନ୍ତି । ମଡର୍ଣ୍ଣାର ଚିଫ୍ ମେଡିକାଲ ଅଫିସର ଡ. ପର୍ଲ ବର୍ଟନ କହିଛନ୍ତି ଯେ ଓମିକ୍ରନ ଏବଂ ଡେଲ୍ଟା ମିଶି ସୁପର ଭାରିଆଣ୍ଟ ସୃଷ୍ଟି କରିପାରନ୍ତି । ଦୁଇ ଭାରିଆଣ୍ଟ ମିଶି କାହାକୁ ସଂକ୍ରମିତ କଲେ ଏହି ସମ୍ଭାବନା ଅଧିକ ବୃଦ୍ଧି ପାଇବ । ବ୍ରିଟେନରେ ଡେଲ୍ଟା ଏବଂ ଓମିକ୍ରନର ସଂକ୍ରମଣ ବେଗ ସୁପର ଭାରିଆଣ୍ଟର ବିପଦକୁ ଦ୍ୱିଗୁଣିତ କରିଛି । ଡ. ବର୍ଟନ କହିଛନ୍ତି ଯେ ସାଧାରଣତଃ କରୋନାର ଗୋଟିଏ ଷ୍ଟ୍ରେନ୍ ମନୁଷ୍ୟକୁ ପ୍ରଭାବିତ କରିଥାଏ । କିନ୍ତୁ କିଛି ସ୍ୱତନ୍ତ୍ର ମାମଲାରେ ଜଣେ ରୋଗୀ ୨ଟି ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି । ଯଦି ଡେଲ୍ଟା ଏବଂ ଓମିକ୍ରନ ଗୋଟିଏ ସେଲ୍କୁ ସଂକ୍ରମିତ କରନ୍ତି ତେବେ ଉଭୟ ଷ୍ଟ୍ରେନ୍ ଡିଏନ୍ଏ ଅଦଳବଦଳ କରିପାରନ୍ତି । ସେମାନେ ମିଶିଗଲେ କରୋନାର ଏକ ନୂଆ ସୁପର ଷ୍ଟ୍ରେନ୍ ସୃଷ୍ଟି ହୋଇପାରେ । ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ହୋଇପାରେ । ଉଭୟ ଭୂତାଣୁ ମିଶି ଜିନ ସହଭାଗିତା କିମ୍ବା ବଦଳାଇପାରନ୍ତି । ଚଳିତ ମାସରେ ଏକ ସୁପର ଷ୍ଟ୍ରେନ୍ ସୃଷ୍ଟି ହେବ ବୋଲି ନ୍ୟୁ ସାଉଥ୍ ୱେଲ୍ସ ୟୁନିଭର୍ସିଟିର ଭୂତାଣୁବିଜ୍ଞାନୀ ପିଟର ହ୍ୱାଇଟ ଚେତାବନୀ ଦେଇଥିଲେ । ଜାନୁଆରୀରେ ବ୍ରିଟେନ ବିଶେଷଜ୍ଞମାନେ ସ୍ପେନରୁ ଏକ ନିଆରା ମାମଲା ଚିହ୍ନଟ କରିଥିଲେ । ଏଥିରେ ଆଲଫା ଏବଂ ବି.୧.୧୭୭ ଷ୍ଟ୍ରେନ୍ ମିଶିଯାଇଥିବା ଜାଣିବାକୁ ପାଇଥିଲେ ।

ସେହିପରି କାଲିଫର୍ଣ୍ଣିଆ ବୈଜ୍ଞାନିକମାନେ ଫେବୃଆରୀରେ କ୍ୟାଣ୍ଟ ଏବଂ ବି.୧.୪୨୯ ଷ୍ଟ୍ରେନ୍ ମିଶି ଯାଇଥିବା ଜାଣିବାକୁ ପାଇଥିଲେ । ଗତ ତିନି ଦିନ ହେଲା ବ୍ରିଟେନର କରୋନା ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରି·ଲିଛି । ଶୁକ୍ରବାର ବ୍ରିଟେନରୁ ୯୩ ହଜାର ରୋଗୀ ଚିହ୍ନଟ ହୋଇଥିଲେ । ଏ ପର୍ଯ୍ୟନ୍ତ ସେଠାରୁ ୧୪୯୦୯ ଓମିକ୍ରନ୍ ମାମଲା ଚିହ୍ନଟ ହେଲାଣି । ନୂଆ ମାମଲାରୁ ପ୍ରତି ୫ ଜଣଙ୍କ ମଧ୍ୟରେ ଜଣେ ଓମିକ୍ରନ ସଂକ୍ରମିତ ସାମିଲ ଅଛନ୍ତି । ଏ ପର୍ଯ୍ୟନ୍ତ ଏହି ଭାରିଆଣ୍ଟ ୫୧ ଦେଶକୁ ବ୍ୟାପିଲାଣି । ଅନ୍ୟପକ୍ଷରେ ବିଶ୍ୱରେ କରୋନା ମାମଲା ବୃଦ୍ଧିକୁ ନେଇ ଭିକେ ପଲ ଚିନ୍ତାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଭାରତରେ ବ୍ରିଟେନ ପରି ସଂକ୍ରମଣ ବଢ଼ିଲେ ଭୟାନକ ସ୍ଥିତି ସୃଷ୍ଟି ହେବ । ଦୈନିକ ୧୪ ଲକ୍ଷ ନୂଆ ମାମଲା ଆସିବ । ତେବେ ପ୍ରତି ମାମଲାର ଜିନୋମ ସିକ୍ୱେନ୍ସିଂ କରାଯାଇପାରିବ ନାହିଁ । ଓମିକ୍ରନ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି । କିନ୍ତୁ ଏ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । ଏହା ଉପରେ ଗବେଷଣା ଜାରି ରହିଛି ଏବଂ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଓମିକ୍ରନ ଯୋଗୁଁ ସାମାନ୍ୟ ସଂକ୍ରମଣ ହେଉଥିବା ଜଣାପଡିଛି । ଭାରତ ଜିନୋମ ସିକ୍ୱେନ୍ସିଂ ମାମଲାରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed.