ଆଦର୍ଶ ଆଚରଣ ବିଧି ପ୍ରସ୍ତୁତ, ଗାଁ ମୁହାଁ ନେତାଏ : ଯେକୌଣସି ମୁହୂର୍ତ୍ତରେ ବାଜିପାରେ ପଞ୍ଚାୟତ ବିଗୁଲ

71

ଭୁବନେଶ୍ୱର : ନିର୍ବାଚନ କମିଶନ ବଜାଇଛନ୍ତି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପହିଲି ଘଣ୍ଟା । ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଞ୍ଚଳ ବ୍ୟତୀତ ସମସ୍ତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏହି ଆଚରଣ ବିଧି ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ମର୍ମରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ ୨୦୨୨ ପଞ୍ଚାୟତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ କରିଛନ୍ତି ନିର୍ବାଚନ କମିଶନର । ଭୋଟର ତାଲିକା ପ୍ରକାଶ ପାଇସାରିଛି । ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ଘୋଷଣା ହୋଇସାରିଛି । ଦିନ କେଇଟା ପରେ ମଧ୍ୟ ଚୂଡାନ୍ତ ସର୍ବଦଳୀୟ ବୈଠକ ଡକାଯିବାର ସମ୍ଭାବନା ରହିଛି । ଏହି ବୈଠକ ପରେ ସମସ୍ତ ରାଜନୈତିକ ଦଳକୁ ସଂଶୋଧିତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବ । ତେଣୁ ଚଳିତ ମାସ ଶେଷ ସପ୍ତାହରେ ରାଜ୍ୟରେ ଗ୍ରାମାଞ୍ଚଳ ଭୋଟ୍ ନେଇ ବିଗୁଲ୍ ବାଜିପାରେ । ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।

ଏହି ଆଦର୍ଶ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇବ । ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ ଏବଂ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ଆଇନ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ଭୋଟ ଗ୍ରହଣ ସରିବା ପରେ ଗଣତି ପ୍ରକ୍ରିୟା ସମାପନ ଯାଏଁ ଏହି ଆଦର୍ଶ ଆଚରଣ ବିଧି ଲାଗୁ ରହିବ । ଚଳିତ ଥର ଭୋଟ ଗ୍ରହଣ ଦିନ ଗଣତି କରାଯିବ ନାହିଁ । ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ୍ ମୁଖ୍ୟାଳୟରେ ଗଣତି କରାଯିବ । ଗଣତି ୩ ଦିନ ତଥା ୩ ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି । ସେହିପରି ଚଳିତ ଥର ୫ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ନିଷ୍ପତ୍ତି ହୋଇଛି ।

Comments are closed.