ଆଜି ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍ : ଆଧାର ସହ ସଂଯୁକ୍ତ ହେବ ଭୋଟର ଆଇଡି

72

ନୂଆଦିଲ୍ଲୀ : ଆସନ୍ତାକାଲି ଲୋକସଭାରେ ଆସିବ ଇଲେକ୍ସନ୍ ଲ’ ଆମେଣ୍ଡମେଣ୍ଟ ବିଲ୍-୨୦୨୧ । ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନରେ ବଡ଼ ସଂସ୍କାର ଆଣୁଛନ୍ତି କେନ୍ଦ୍ର ସରକାର । ଡୁପ୍ଲିକେଟ୍ ଭୋଟିଂର ବାଟ ଏଥିଯୋଗୁ ବନ୍ଦ ହେବ । ବିଲ୍ ଆଇନରେ ପରିଣତ ହେଲେ ଆଧାର ସହ ଭୋଟର ଆଇଡି ଲିଙ୍କ କରିବେ ନିର୍ବାଚନ କମିଶନ । ଫଳରେ ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତ କରିହେବ । ଜଣେ ଏକାଧିକ ସ୍ଥାନରେ ଭୋଟ ଦେଇପାରିବେ ନାହିଁ । ପୂର୍ବରୁ ଏକଧିକ ଭୋଟ ପରିଚୟପତ୍ର ରଖିଥିବା ଲୋକେ ଏକାଧିକ ସ୍ଥାନରେ ମତଦାନ କରିପାରୁଥିବେ । ୨୦୧୯ ଅଗଷ୍ଟରେ ଆଧାର-ଭୋଟର ଆଇଡି ଲିଙ୍କ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିଶନ । ପୂର୍ବରୁ ଫେବ୍ରୁଆରୀ ୨୦୧୫ରେ ଭୋଟର ଆଇଡି ଓ ଆଧାର ଲିଙ୍କ୍ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ନିର୍ବାଚନ କମିଶନର । କିନ୍ତୁ ଆଧାର ବୈଧତା ବିବାଦକୁ ନେଇ ଅଗଷ୍ଟ ୨୦୧୫ରେ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ନିର୍ବାଚନ କମିଶନ ଏହାକୁ ସ୍ଥଗିତ ରଖିଥିଲେ । ପରେ ସରକାରୀ ଏଜେନ୍ସିରେ ଆଧାର ବ୍ୟବହାରକୁ ସର୍ବୋଚ୍ଚ ନ୍ୟାୟାଳୟ କାଣ୍ଟଛାଣ୍ଟ କରିଥିଲେ ।

୨୦୧୯ରେ ଆଇନ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନ ସାନି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ସରକାର ଆଇନରେ ସଂଶୋଧନ ଆଣୁଛନ୍ତି । ବିଲ୍ରେ ଥିବା ନିୟମ ଅନୁଯାୟୀ ଜଣେ ଯୁବ ଭୋଟର ବର୍ଷକୁ ଚାରିଥର ପଞ୍ଜିକରଣ କରିପାରିବେ । ପ୍ରଚଳିତ ବ୍ୟବସ୍ଥାରେ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କ ବୟସ ୧୮ବର୍ଷ ହୋଇଥିବ ସେମାନେ ପଞ୍ଜିକରଣ କରିବାକୁ ଯୋଗ୍ୟ ବିବେଚିତ ହେଉଥିଲେ । ବର୍ଷକରେ ଗୋଟିଏ କଟଅଫ୍ ଡେଟ୍ ଥିଲା । ଜାନୁଆରୀ ୨ରେ ୧୮ ବର୍ଷ ହେଉଥିଲେ ପଞ୍ଜିକରଣ ପାଇଁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ୁଥିଲା । ଏସବୁ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥିରେ ସଂଶୋଧନ ଆଣୁଛନ୍ତି । ଫଳରେ ଅନେକ ଯୁବ ଭୋଟର ଏହାର ସୁବିଧା ପାଇପାରିବେ ।

Comments are closed.