ବ୍ରିଟେନ୍ ରେ ଓମିକ୍ରନ୍ ବ୍ରେକ୍ଫେଲ୍

74

-ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ
-ଜର୍ମାନୀରେ ମାଡ଼ୁଛି, ଲକ୍ଡାଉନ୍ ନେଦରଲ୍ୟାଣ୍ଡ
-ଭାରତରେ ପ୍ରାୟ ଦେଢ଼ଶହ ସଂକ୍ରମିତ

ନୂଆଦିଲ୍ଲୀ : କରୋନାର ଦୁଇ ଦୁଇଟି ଲହର ଆଉ ତା ସହିତ ଓମିକ୍ରନ୍ ନୂଆ ସଂକଟ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢ଼ୁଛି ଚିନ୍ତା ସେତିକି ଘନଉଛି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବଢ଼ୁଛି ସଂକ୍ରମଣ । ଗତକାଲି ୩୦ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ଭାରତରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦେଢ଼ଶହ ହେଲାଣି । ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ନୂଆ ଭାରିଆଣ୍ଟ ବ୍ୟାପିଲାଣି । ଅନାବଶ୍ୟକ ଯାତ୍ରା, ଗହଳି ଏଡାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଏଭଳି ସ୍ଥିତିରେ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟିକାକରଣ ପରେ ସଂକ୍ରମଣ ହେଲେ ବି ଗୁରୁତର ଓ ମୃତ୍ୟୁକୁ ଏଡାଇ ଦିଆଯାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ସେହିପରି ଓମିକ୍ରନ୍ର ହଟ୍ସ୍ପଟ ପାଲଟିଛି ୟୁକେ । ଶନିବାର ପୁଣି ୯୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଅଧିକ ୧୦ହଜାର ଓମିକ୍ରନ୍ ସଂକ୍ରମିତ ଠାବ ହେବା ପରେ ମୋଟ ସଂକ୍ରମଣ ସଂଖ୍ୟା ୨୫ହଜାରରୁ ଅଧିକ ହେଲାଣି ।

ଏଥିସହିତ ଓମିକ୍ରନ୍ ନେଲାଣି ୭ଜଣଙ୍କ ମୁଣ୍ଡ । ଗତ ସପ୍ତାହରେ ୟୁକେରେ ହାରାହାରି ୭୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ନ ଅଟକାଇଲେ ଆଗକୁ ଦୈନିକ ୩ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ଅନୁମାନ କରାଯାଉଛି । ଜର୍ମାନୀରେ ବି ସଂକ୍ରମଣ ବଢ଼ୁଛି । ଶୁକ୍ରବାର ସେଠରେ ୫୦ହଜାର ୯୬୮ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହିତ ୪୩୭ଜଣଙ୍କ ମୃତ୍ୟୁ ହୋଇଛି । ନେଦରଲ୍ୟାଣ୍ଡ ସରକାର ପୁଣିଥରେ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କହିଛନ୍ତି କାମଚଳା ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ । ଶ୍ରୀ ରୁଟ୍ କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ପଞ୍ଚମ ଲହରକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍କୁଲ-କଲେଜ ଅଣ ଆବଶ୍ୟକ ଷ୍ଟୋର ଓ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି । ଘରକୁ କେବଳ ଦୁଇଜଣ ଅତିଥି ଆସିପାରିବେ । ଖ୍ରୀଷ୍ଟମାସ ପାଇଁ ଏହି ସଂଖ୍ୟା ୪ ରଖାଯାଇଛି । ପ୍ୟାରିସ୍ରେ ନୂଆବର୍ଷ ଆତସବାଜି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ଆଲର୍ଟରେ ଓଡ଼ିଶା :

ଓଡ଼ିଶାରେ ମଧ୍ୟ ଓମିକ୍ରନ୍ ସଂକ୍ରମଣ ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି । ଜିନୋମ ସିକ୍ୱେନ୍ସିଂ ପରେ ୪ଜଣଙ୍କ ରିପୋର୍ଟ ନେଗେଟିଭ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟ ତିନିଜଣଙ୍କ ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିବା ସହ ସର୍ଭେଲାନ୍ସ ସବୁଠାରୁ ଭଲ ଉପାୟ ବୋଲି ପରାମର୍ଶ ଦେଇଛନ୍ତି । ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ଅକ୍ସିଜେନ୍ର ବ୍ୟବହାର ଏବଂ ହସ୍ପିଟାଲାଇଜେସନ୍ ସଂଖ୍ୟା ବଢ଼ୁନି । କିନ୍ତୁ ଏଭଳି ସ୍ଥିତିରେ ଖାମଖିଆଲି ମନୋଭାବ ପୋଷଣ କରିବା ଠିକ୍ ନୁହେଁ । ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଟେଷ୍ଟ କରାଇବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Comments are closed.