ତୃତୀୟ ରଜନୀରେ ଗଜପତି ପଲ୍ଲିଶ୍ରୀମେଳା

0 74


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡିଆ ଠାରେ ଗଜପତି ପ୍ରଶାସନ ନିର୍ଦ୍ଦେଶକ୍ରମେ ଓର୍ମାସ୍ ଆନୁକୁଲ୍ୟରେ ଗତ ୨୩ତାରିଖ ସନ୍ଧ୍ୟାରୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀମେଳା ଆରମ୍ଭ ହୋଇଛି । ଏହି ମେଳା ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହିବା ନିଶ୍ଚିତ ହୋଇଛି । ଆଜିର ତୃତୀୟ ଦିବସର ପଲ୍ଲୀଶ୍ରୀମେଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଷ୍ଟଲ ଗୁଡିକର ବିଭିନ୍ନ ସାମଗ୍ରୀ ଓ ରିହାତି ଦର ଲୋକଙ୍କ ମନକୁ ବେଶ ଛୁଇଁଥିବା ଲକ୍ଷ୍ୟ କରାଯାଇଛି । ଆଜିର ୩ୟ ଦିବସର ସମାବେଶରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ମେଳା ଆୟୋଜନର ଉଦ୍ଦେଶ୍ୟ ପ୍ରକାଶ କରିବା ସହ ପାରଳାଖେମୁଣ୍ଡିର କଳା ସଂସ୍କୃତି ସହ ଗଜପତି ଜିଲ୍ଲାର ବନବାସୀଙ୍କ ଜୀବନ ଶୈଳୀ ଓ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ମେଳାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ପିଏ ଆଇଟିଡିଏ ସରୋଜ କୁମାର ବେହେରା, ଜୀବୀକା ମିଶନର ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ । ମେଳାର ଆକର୍ଷଣ ଯୋଗୁଁ ୩ୟ ଦିବସରେ ପ୍ରବଳ ଭିଡ ରହିଥିଲେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ୍-୧୯ ନିୟମାବଳୀ ଓ ରାଜ୍ୟସରକାରଙ୍କ ମାର୍ଗଦର୍ଶିକାନୁଯାୟୀ ଅନୁଷ୍ଠିତ ହେଉଅଛି । ଲେକଙ୍କୁ ମାସ୍କ ପରିଧାନ ବାଧ୍ୟତା ମୁଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା ପାଳନ କରି ଯୋଗ ଦେବା ପାଇଁ ବାରମ୍ବାର ସାଧାରଣଙ୍କୁ ଅନୁରୋଧ କରାଯାଉଛି । ଏହି ମେଳାରେ ପ୍ରଦର୍ଶନୀ ନିମନ୍ତେ ୧୦୩ଗୋଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରେ କୋଭିଡ୍ ଟିକାକରଣ ଷ୍ଟଲ ମଧ୍ୟ ଖୋଲା ଯାଇଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଏଠାକୁ ଆସି ଟିକା ନେଇପାରିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଏହି ମେଳାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ହାତ ତିଆରି ଆଚାର, ପାମ୍ପଡ, ମାଣ୍ଡିଆ, ଅଦା, ହଳଦୀ ଏବଂ ବିଭିନ୍ନ ବନଜାତ ସାମଗ୍ରୀ ସମେତ ବିଭିନ୍ନ ଘରୋଇ ଉପକରଣ, ବସ୍ତ୍ର ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟରେ ରିହାତି ଦିଆଯାଉଥିବା ଯୋଗୁଁ ବିିଭିନ୍ନ ଷ୍ଟଲ ଗୁଡିକରେ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ବେସ ଭିଡ ଜମିଛି । ପ୍ରଥମ ଓ ୨ୟ ଦିବସରେ ମେଳାର ବିଭିନ୍ନ ଷ୍ଟଲରେ ମୋଟ ପ୍ରାୟ ୧୩ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଓର୍ମାସ ଦାୟିତ୍ୱରେ ଥିବା ଅଧିକାରୀ ଦେବେନ୍ଦ୍ର କର ପ୍ରକାଶ କରିଛନ୍ତି । ମେଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗଜପତିର ବନବାସୀମାନଙ୍କ ଆଦିବାସୀ ନୃତ୍ୟ ସାଧାରଣଙ୍କୁ ବେଶ ଆକର୍ଷିତ କରିଥିଲା । ଏପରିକି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲାର ଆଦିବାସୀ ନୃତ୍ୟର ତାଳେ ତାଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ପଦାଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ସାଧାରଣ ମୋହିତ ହୋଇ ନାଚି ଉଠିଥିବା ଲକ୍ଷ୍ୟକରାଯାଇଥିଲା ।

Leave A Reply

Your email address will not be published.