ଆରମ୍ଭ ହେଲା ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା

0 76

ଭୁବନେଶ୍ୱର ୦୫/୦୧ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ କୁହାଯାଉଥିବା ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । କୋଭିଡ୍‌ କଟକଣା ମଧ୍ୟରେ ୮ ହଜାର ୯୩୧ ବିଦ୍ୟାଳୟର ମୋଟ୍‌ ୫ ଲକ୍ଷ ୭୧ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ୩ ହଜାର ୯୩ଟି ସେଣ୍ଟରରେ ଏହି ପରୀକ୍ଷା ଦେଉଛନ୍ତି । ଓମିକ୍ରନ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟର୍‌ରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି ବୋଲି ବୋର୍ଡ ସଭାପତି ରାମଶିଷ ହାଜରା କହିଛନ୍ତି । ସମେଟିଭ୍‌-୧ ପରୀକ୍ଷା ୮ ତାରିଖ ଯାଏ ଚାଲିବ । ୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ରେ ହେବ । ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା କରାଯିବ । ଆସନ୍ତାକାଲି ପ୍ରଥମ ଦିନ ପ୍ରଥମ ସିଟିଂରେ ସାହିତ୍ୟ ପରୀକ୍ଷା ହେବ । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେହିପରି ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୧ଟା ୧୫ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀଙ୍କ ଲାଗି ଗଣିତ ପରୀକ୍ଷାରେ ହିଁ କେବଳ ଅତିରିକ୍ତ ୧୫ ମିନିଟ୍‌ ସମୟ ଅଧିକ ଦିଆଯାଇଛି । ବାକି ଅନ୍ୟ ସବୁ ବିଷୟରେ ପରୀକ୍ଷା ସମୟ ୧ ଘଣ୍ଟା ରହିଛି । ରାଜ୍ୟରେ ୩୧୧ଟି ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନପତ୍ରଗୁଡ଼ିକ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପରୀକ୍ଷା କେନ୍ଦ୍ରରେ ସକାଳ ୮ଟା ସୁଦ୍ଧା ପହଞ୍ଚିଯିବ ବୋଲି ସଭାପତି ହାଜରା କହିଛନ୍ତି । କପି ରୋକିବା ଲାଗି ବୋର୍ଡ ପକ୍ଷରୁ ୬୨ଟି ଫ୍ଲାଇଂ ସ୍କ୍ୱାଡ୍‌ ଓ ୪୦ଟି ସ୍ପେସାଲ୍‌ ସ୍କ୍ୱାଡ୍‌ ଗଠନ କରାଯାଇଛି । ସେହିପରି ଜିଲ୍ଲା ସ୍ତରରେ ମଧ୍ୟ ସ୍କ୍ୱାଡ୍‌ ଗଠନ କରାଯାଇଛି ଓ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନିଷେଧ କରାଯାଇଛି ବୋଲି ସେ କହିଛନ୍ତି । ପ୍ରଶ୍ନପତ୍ରର ସୁରକ୍ଷା ଲାଗି ୩୧୧ଟି ନୋଡାଲ୍‌ ସେଣ୍ଟର ରହିଛି । ଏହି ନୋଡାଲ୍‌ ସେଣ୍ଟର ମଧ୍ୟରେ ୨୨ଟି ଥାନା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏଥିରେ କୋରାପୁଟ ଜିଲ୍ଲାରେ ୫ଟି ଥାନା ଓ ମାଲକାନଗିରିରେ ୨୦ଟି ଥାନାକୁ ନୋଡାଲ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଉଛି । ସେହିପରି କନ୍ଧମାଳ ଜିଲ୍ଲାରେ ୭ଟି ଥାନାରେ ନୋଡାଲ୍‌ ସେଣ୍ଟର କରାଯାଇ ପ୍ରଶ୍ନପତ୍ର ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ଅନ୍ୟପକ୍ଷରେ ନୋଡାଲ୍‌ ସେଣ୍ଟରରୁ ପ୍ରଶ୍ନଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ ନେଇ ସେଣ୍ଟରରେ ପହଞ୍ଚାଇବା ଲାଗି ୮୪୨ଟି ଡିସ୍‌ପୋଜାଲ୍‌ ଟିମ୍‌ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଚଳିତ ନୂତନ ବ୍ୟବସ୍ଥାରେ ପରୀକ୍ଷାର୍ଥୀମାନଙ୍କୁ ନିଜ ସ୍କୁଲ୍‌ ପରିବର୍ତ୍ତେ ନିକଟବର୍ତ୍ତୀ ଅନ୍ୟ ସ୍କୁଲ୍‌ରେ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଛି । ଏଥିରେ ୫ ହଜାର ୬୦୪ ଟି ସ୍କୁଲ୍‌ର ପରୀକ୍ଷା କେନ୍ଦ୍ରର ଦୂରତା ୫ କିମି ମଧ୍ୟରେ ରହିଛି । ସେହିପରି ୬ କମିରୁ ୧୦ କିମି ଦୂରତା ମଧ୍ୟରେ ୨୯୨୬ଟି ସ୍କୁଲ୍‌ର ପରୀକ୍ଷାର୍ଥୀ ଓ ୪୦୧ଟି ସ୍କୁଲ୍‌ର ପରୀକ୍ଷାର୍ଥୀ ୧୦ କିମିରୁ ଅଧିକ ଦୂରତାରେ ପରୀକ୍ଷା ଦେବାକୁ ଯିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.