କେବିଏନ୍ ଗ୍ୟାଙ୍ଗ୍ ମୁଖ୍ୟ ବୁବୁ ଜେନା ଗିରଫ

0 48

ଭୁବନେଶ୍ବର ୨୮।୧: କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ଗିରଫ । ବୁବୁକୁ ଭୁବନେଶ୍ବରରୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି । ୩ ମାସ ପରେ ପୋଲିସ ହାତରେ ଧରାପଡିଛି ବୁବୁ । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରାଲ୍ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ଗ୍ୟାଙ୍ଗ୍‌ର ୭ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଭାଇରାଲ୍ ଭିଡ଼ିଓରେ ବୁବୁ ଦେଖାଇ ଥିବା ଖଣ୍ଡାକୁ ପୋଲିସ ଜବତ କରିଛି । ରାଜଧାନୀରେ ଆତଙ୍କ ଖେଳାଇଥିଲା କେବିଏନ୍ ଗ୍ୟାଙ୍ଗ୍ । ସନ୍ଧ୍ୟା ହେଲେ ହାଇଫାଇ ବାର୍ କିମ୍ବା ପବ୍‌ରେ ଦେଖିବାକୁ ମିଳୁଥିଲା ଏମାନଙ୍କୁ । ଆଉ ଦାମୀ ଦାମୀ କାର୍‌ରେ ବୁଲୁଥିଲେ ଏହି ଗ୍ୟାଙ୍ଗ୍‌ର ସଦସ୍ୟ । ଏହାସହ ଦାମୀ ଦାମୀ ବନ୍ଧୁକ ବି କିଣୁଥିଲେ ଏମାନେ । ରାତି ଅଧରେ ରାଜଧାନୀରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଭିଡିଓ ଭାଇରାଲ୍ କରୁଥିଲେ । ତେବେ ରାଜଧାନୀରେ ଆତଙ୍କ ଖେଳାଇଥିବା ଏହି କେବିଏନ ଗ୍ରୁପ ସଦସ୍ୟଙ୍କୁ ଧରିବା ପାଇଁ ନୟାପଲ୍ଲୀ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । କମିଶନରେଟ୍‌ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଏହି ଚଢାଉରେ ସାମିଲ ହୋଇଥିଲା । ନଭେମ୍ବର ମାସରେ କେବିଏନ୍ ଗ୍ରୁପର ମୁଖ୍ୟ କୁହାଯାଉଥିବା ବୁବୁର ଏକ ଜିପ୍‌କୁ ଜବତ କରାଯାଇଥିଲା । ପରେ ବୁବୁକୁ ଧରିବା ପାଇଁ କମିଶନରେଟ୍ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବାହାର ରାଜ୍ୟକୁ ଯାଇ ମଧ୍ୟ ତନାଘନା ଆରମ୍ଭ କରିଥିଲା । କେବିଏନ୍ ଗ୍ରୁପ ଆଡ୍ଡା କରୁଥିବା ରାଜଧାନୀର ପାୱାର ହାଉସ୍ ଛକ, ବ୍ରିଟ୍ କଲୋନୀ ଓ ଖଣ୍ଡଗିରିର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ । ତେବେ ଭୁବନେଶ୍ବରରୁ ହିଁ ବୁବୁକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

Leave A Reply

Your email address will not be published.