ସରକାରୀ କ୍ୱାର୍ଟର୍ସରେ ସେକ୍ସ ର‌୍ୟାକେଟ୍‌

0 65

କଟକ : ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା ସେକ୍ସ ର‌୍ୟାକେଟ୍‌ । ତାହା ପୁଣି ହାଇ ସିକ୍ୟୁରିଟି ଜୋନ୍‌ କୁହାଯାଉଥିବା ଜିଲ୍ଲା ଏସ୍‌ପି ଅଫିସ ପଛପଟେ । ଏସ୍‌ପି ଅଫିସ୍‌ ପଛପଟେ ଥିବା ଏକ ସରକାରୀ କ୍ୱାର୍ଟସ୍‌ରେ ପିଏଚ୍‌ଡି ପମ୍ପ ଚାଳକ ଓ ତାଙ୍କ ପତ୍ନୀ ର‌୍ୟାକେଟ୍‌ ଚଳାଇଥିଲେ । ଦୀର୍ଘ ଦିନ ହେବ ଚାଲିଥିବା ଏହି ର‌୍ୟାକେଟ୍‌ର ସୋମବାର ପର୍ଦ୍ଦାଫାସ କରିଛି ଲାଲ୍‌ବାଗ ଥାନା ପୁଲିସ । ପୁଲିସ ଏକ ଟିମ୍‌ ଚଢ଼ଉ କରି ପିଏଚ୍‌ଡି ବିଭାଗର ପମ୍ପ ଚାଳକ ଶରତ ଚନ୍ଦ୍ର ଚାନ୍ଦ ଓ ପତ୍ନୀ ଝୁନା ଚାନ୍ଦଙ୍କ ସହିତ ଗ୍ରାହକ ଓ ଝିଅ ଯୋଗାଡ଼ କରୁଥିବା ଦଲାଲ୍‌ ଚୌଧୁରୀ ବଜାରର ସୁଜାତା ରଣା ଓ ଗ୍ରାହକ ସାର୍ତ୍ତୋଳ ଅଞ୍ଚଳର ଦୁର୍ଯ୍ୟୋଧନ ସେଠୀକୁ ଗିରଫ କରିଛି । ସେହି ଘରୁ ଦୁଇ ଜଣ ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ । ଗତ ୧୫ ଦିନ ମଧ୍ୟରେ କଟକ ସହରରେ ସେକ୍ସ ର‌୍ୟାକେଟ୍‌ ଧରାପଡ଼ିବା ଦ୍ୱିତୀୟ ଘଟଣା ଅଟେ । ସହରର ଆଉ କିଛି ସ୍ଥାନରେ ଏଇଭଳି ର‌୍ୟାକେଟ୍‌ ସକ୍ରିୟ ଥିବା ପୁଲିସ ଆଶଙ୍କା କରୁଛି । କଟକରେ ଏକାଧିକ ସ୍ଥାନରେ ସେକ୍ସ ର‌୍ୟାକେଟ୍‌ ଚାଲିଥିବା ନେଇ ପୁଲିସକୁ ଗୁଇନ୍ଦା ରିପୋର୍ଟ ମିଳିଛି । ଏହି ରିପୋର୍ଟକୁ ତର୍ଜମା କରି ପୁଲିସ କିଛି ନିର୍ଦ୍ଦିଷ୍ଟ ଘର ଉପରେ ନଜର ରଖିଛି । ସେହିକ୍ରମରେ କଟକ ଗ୍ରାମାଞ୍ଚଳ ଏସ୍‌ପି ଅଫିସ ନିକଟ ରାଧାନାଥ ଟ୍ରେନିଂ ସେଣ୍ଟର ପାଖରେ ଥିବା ପିଏଚ୍‌ଡି ବିଭାଗର ଏକ ସରକାରୀ କ୍ୱାର୍ଟର୍ସ ପୁଲିସ ନଜରରେ ଥିଲା । ସୋମବାର ଅପରାହ୍ଣରେ ସେହି ଘରେ ଦେହଜୀବୀଙ୍କ ସହିତ, ଦଲାଲ୍‌ ଓ ଗ୍ରାହକ ଥିବା ଲାଲବାଗ ଥାନା ପୁଲିସକୁ ସୂଚନା ମିଳିଥିଲା । ମହିଳା ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ ସେଠାରେ ଚଢ଼ଉ କରିଥିଲେ । ସେଠାରୁ ଦୁଇ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ମହିଳାଙ୍କ ଘର ଗଂଜାମ ଜିଲ୍ଲା ହୋଇଥିବା ବେଳେ ଅନ୍ୟ ଜଣଙ୍କର କଟକ ବଡ଼ମ୍ବା ଅଞ୍ଚଳରେ । ସେହିପରି ଉକ୍ତ ଘରୁ ଦଲାଲ୍‌ ସୁଜାତା ଓ ଗ୍ରାହକ ଦୁର୍ଯ୍ୟୋଧନକୁ ମଧ୍ୟ ଗିରଫ କରିଛି । ପୁଲିସର କହିବା କଥା, ସୋସିଆଲ୍‌ ମିଡିଆରେ ବିଭିନ୍ନ ମହିଳାଙ୍କ ପ୍ରୋଫାଇଲ୍‌ ଫଟୋ ଦେଖି ଦଲାଲ ସୁଜାତା ସେମାନଙ୍କୁ ଯୋଗାଯୋଗ କରି ଏହି ଧନ୍ଦାରେ ସାମିଲ କରୁଥିଲା । ପ୍ରତି ଗ୍ରାହକ ପିଛା ୧ ହଜାର କରି ନିଆଯାଉଥିଲା । ଘଟଣାସ୍ଥଳରୁ ୪ଟି ମୋବାଇଲ୍‌ ଫୋନ୍‌ ଓ କିଛି ଆପତ୍ତିଜନକ ଜିନିଷ ଜବତ ହୋଇଛି । କଟକ ଜିଲ୍ଲା ଏସ୍‌ପି ଅଫିସ ଥିବା ହାଇ ସିକ୍ୟୁରିଟି ଜୋନ୍‌ ଭିତରେ ଜଣେ ସରକାରୀ କର୍ମଚାରୀ, ସରକାରୀ କ୍ୱାର୍ଟର୍ସ ଭିତରେ ଏଭଳି ର‌୍ୟାକେଟ୍‌ ଚଲାଇବା ସମସ୍ତଙ୍କୁ ଚକିତ କରିଛି । ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ମର୍କତନଗର ଥାନା ପଛରେ ଥିବା ଏକ ହୋଟେଲ୍‌ରୁ ଏକ ର‌୍ୟାକେଟ୍‌ ଠାବ ହୋଇଥିଲା ।

Leave A Reply

Your email address will not be published.