ଖୋଲିଲା ଶ୍ରୀମନ୍ଦିର, ମହାବାହୁଙ୍କ ଦର୍ଶନ କରୁଛନ୍ତି ଭକ୍ତ

0 99

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ରତ୍ନସିଂହାସନ ବିଜେ ମହାବାହୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଦୀର୍ଘ ୨୨ ଦିନର ବିରହ ବେଦନା ପରେ ଭକ୍ତ ଆଉ ଭଗବାନଙ୍କ ପୁନଃମିଳନ ହୋଇଛି । ପୂର୍ବ ଘୋଷଣା ଅନୁଯାୟୀ ଶ୍ରୀମନ୍ଦିର ଖୋଲିବା ନେଇ ସୋମବାର ଏସ୍‌ଓପି ଜାରି କରାଯାଇଛି। ଜୀବନ ଜୀବିକାର ସୁରକ୍ଷା ପାଇଁ ଭକ୍ତମାନେ କୋଭିଡ୍‌ କଟକଣାକୁ ମାନି ପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପରାମର୍ଶ ଦେଇଛନ୍ତି । ଦର୍ଶନ କରିବା ବେଳେ କୋଭିଡ୍‌ ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବିନା ମାସ୍କରେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଏସ୍‌ଓପି ଜାରି ହୋଇଛି । ପ୍ରବେଶ ନିମନ୍ତେ ପ୍ରମାଣପତ୍ର ବାଧ୍ୟତାମୂଳକ କଟକଣାକୁ ଆସନ୍ତା ୧୭ ତାରିଖରେ ସମୀକ୍ଷା କରାଯିବ । ସମୀକ୍ଷା ପରେ ପ୍ରମାଣପତ୍ର କଟକଣାକୁ ପ୍ରତ୍ୟାହାର କରାଯିବାର ଆଭାସ ଏସ୍‌ଓପିରୁ ମିଳିଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସୋମବାର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତି ସମୀକ୍ଷା କରିଥିଲେ । ଭକ୍ତଙ୍କ ସୁରକ୍ଷା, ଶାନ୍ତିପୂର୍ଣ୍ଣ ଦର୍ଶନ, ଧାଡ଼ି ଦର୍ଶନ, ଦର୍ଶନ ବେଳେ ସାମାଜିକ ଦୂରତା ରକ୍ଷା ପାଇଁ ଦେଉଳ ଭିତରେ ପ୍ରସ୍ତୁତି ହୋଇଛି । ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତି ଅନୁଧ୍ୟାନ କରିବା ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ ଯେ କୋଭିଡ୍‌ ସଂକ୍ରମଣ ଥମି ନାହିଁ । ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । କୋଭିଡ୍‌ କଟକଣା ମାନି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ହେବ । ପ୍ରଶାସନର ଫେବ୍ର୍ରୁଆରି ମାସ ଏସ୍‌ଓପିରେ ମାର୍ଗଦର୍ଶିକା ରହିଛି ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉନ୍ମୁକ୍ତ ରହିବ। ପ୍ରତି ରବିବାର ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । ଦର୍ଶନାର୍ଥୀମାନେ ଯେ କୌଣସି ପରିଚୟପତ୍ର (ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର) ସହ ଦୁଇ ଥର କୋଭିଡ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଯଦି ଦୁଇଥର ଟିକା ନେଇଥିବାର ପ୍ରମାଣପତ୍ର ନ ଥିବ ତେବେ ୯୬ ଘଣ୍ଟା ପୂର୍ବର କୋଭିଡ୍‌ ଟେଷ୍ଟ ନେଗେଟିଭ୍‌ ପ୍ରମାଣପତ୍ର ନେଇ ଆସିବେ। ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଛି । ଏହି କଟକଣାକୁ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି। ନିକଟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମଧ୍ୟ ମନ୍ଦିର ପ୍ରବେଶ ପ୍ରମାଣପତ୍ର କଟକଣାକୁ ହଟାଇବାକୁ ଦାବି ଉଠିଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ଜାରି ପ୍ରଶାସନର ଏସ୍‌ଓପିରେ ପ୍ରବେଶପତ୍ର ବାଧ୍ୟତାମୂଳକ ସର୍ତ୍ତର ସମୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ଏହା ବ୍ୟତୀତ ମାର୍ଗଦର୍ଶିକାରେ ସୂଚନା ରହିଛି ଦର୍ଶନାର୍ଥୀମାନେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ମାସ୍କ ପରିଧାନ କରିବାକୁ ବାଧ୍ୟ । ଏଥିରେ ବ୍ୟତିକ୍ରମ ହେଲେ ଦଣ୍ଡ ପାଇବେ । ମାସ୍କ ପିନ୍ଧି ନ ଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରବେଶ ଏବଂ ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରିବେ । ହାତ ବିଶୋଧନ କରି ଶ୍ରୀମନ୍ଦିର ପ୍ରବେଶ କରିବେ । କୋଭିଡ୍‌ ସଂକ୍ରମଣ ନିରାକରଣ ପାଇଁ ସେବାୟତଙ୍କୁ ଟିକା ଦେବାକୁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଚାଲିଛି । ଏଥିରେ ୧୮ରୁ୬୦ବର୍ଷର ସେବାୟତମାନେ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.