ମାର୍ଚ୍ଚ ୧ରୁ ଝାରସୁଗୁଡାରୁ ମୁମ୍ବାଇକୁ ସ୍ପାଇସ୍ ଜେଟ୍ ସେବା

0 65

ଝାରସୁଗୁଡା ୨୧।୨: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ସ୍ପାଇସ୍ ଜେଟ୍ ମୁମ୍ବାଇକୁ ବିମାନ ସେବା ଆରମ୍ଭ କରିବା ସହ ଦିଲ୍ଲୀକୁ ଏକ ଅତିରିକ୍ତ ବିମାନ ଉଡାଣ କରିବ । ଏଥିପାଇଁ ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ନୂଆ ସିଡ୍ୟୁଲ୍‌ ଘୋଷଣା କରାଯାଇଥିବା ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେକ ସୂଚନା ଦେଇଛନ୍ତି । ମୁମ୍ବାଇ ଓ ଦିଲ୍ଲୀକୁ ବିମାନ ଚଳାଚଳ ଲାଗି ସମୟ ସାରଣୀ ଉଲ୍ଲେଖ କରାଯିବା ସହ ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ସ୍ପାଇସ୍ ଜେଟର ବୋଇଂ-୮୦୦ ବିମାନ (ଏସ୍‌ଜି-୧୬୩) ମୁମ୍ବାଇ-ଝାରସୁଗୁଡ଼ା ମଧ୍ୟରେ ମଙ୍ଗଳବାର, ଗୁରୁବାର, ଶନିବାର ଚଳାଚଳ କରିବ । ଏହି ବିମାନ ମୁମ୍ବାଇରୁ ଉଡାଣ ଭରି ଝାରସୁଗୁଡ଼ାକୁ ଅପରାହ୍ନ ୩ଟା ୨୫ ମିନିଟରେ ପହଞ୍ଚି ପୁଣି ୩ଟା ୫୫ ମିନିଟରେ ଝାରସୁଗୁଡାରୁ ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରିବ । ସେହିପରି ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ପ୍ରତ୍ୟହ ସ୍ପାଇସ୍‌ ଜେଟ୍ (ଏସ୍‌ଜି-୯୯୫) ଦ୍ବାରା ଅତିରିକ୍ତ ବିମାନ ସେବା ପ୍ରଦାନ କରିବ । ଯାହା ଦିଲ୍ଲୀରୁ ବାହାରି ସନ୍ଧ୍ୟା ୬ଟା ୨୦ମିନିଟରେ ଝାରସୁଗୁଡା ପହଞ୍ଚିବ ଏବଂ ୬ଟା ୫୦ରେ ପୁଣି ଦିଲ୍ଲୀ ଅଭିମୁଖେ ଉଡାଣ ଭରିବ । ଅନ୍ୟପଟେ ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ପୂର୍ବରୁ ବିମାନ ସେବା ପ୍ରଦାନ କରୁଥିବା ସ୍ପାଇସ୍‌ ଜେଟର ବୋଇଂ-୮୦୦ (ଏସଜି-୮୯୪୧) ବିମାନର ସମୟ ସାରଣୀର ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ସମୟ ସାରଣୀ ଅନୁଯାୟୀ ଏହି ବିମାନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର  ଦିଲ୍ଲୀରୁ ବାହାରି ଝାରସୁଗୁଡ଼ାରେ ସକାଳ ୧୦ଟା ୧୦ମିନିଟରେ ପହଞ୍ଚିବା ପରେ ୧୦ଟା ୪୦ମିନିଟରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବ । ଅନ୍ୟପଟେ ହାଇଦ୍ରାବଦ ଓ କଲିକତାକୁ ଚାଲୁଥିବା ବିମାନଗୁଡିକ ପ୍ରତ୍ୟହ ନିଜର ପୂର୍ବ ସମୟ ସାରଣୀ ଅନୁସାରେ ଚଳାଚଳ କରିବ । ତେବେ ତୃତୀୟ ଲହର ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରେ ପ୍ରତ୍ୟେକ ଦିନ ଯାତ୍ରୀଙ୍କ ସଂଖ୍ୟା ୧୧ ଶହରୁ ଉର୍ଦ୍ଧ୍ବ ରହୁଥିଲା । ହେଲେ କରୋନାର ତୃତୀୟ ଲହର ସମୟରେ ଏହା ହ୍ରାସ ପାଇ ୯ ଶହକୁ ଖସି ଆସିଛି । ତେବେ ମୁମ୍ବାଇକୁ ନୂତନ ବିମାନ ସେବା ଏବଂ ଦିଲ୍ଲୀକୁ ଅତିରିକ୍ତ ବିମାନ ସେବା ପ୍ରଦାନ କରିବା ପରେ ଯାତ୍ରୀଙ୍କ ସଂଖ୍ୟା ଖୁବ୍ ଶୀଘ୍ର ବଢିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ପବନ କୁମାର ଜୁତ୍ସି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.