ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ନିଖୋଜ

0 94

ସମ୍ବଲପୁର: ରାଜ୍ୟର ପଶ୍ଚିମ ଓ ପୂର୍ବାଞ୍ଚଳକୁ ଯୋଡିବାରେ ଜୀବନରେଖା ସଦୃଶ୍ୟ କାମ କରୁଥିବା ସମ୍ବଲପୁରୀ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସର କିଛି ଖୋଜଖବର ନାହିଁ। ଏହି ଟ୍ରେନ ପୁଣି କେବେ ଚଳାଚଳ ଆରମ୍ଭ କରିବ ସେ ନେଇ ବିଭାଗ ପାଖରେ ମଧ୍ୟ ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ। ଗୋଟିଏ ଦିନରେ ପୁରୀରୁ ଦର୍ଶନ ସାରି ଫେରିବା ଏବଂ ରାଜଧାନୀ ଭୁବନେଶ୍ବରକୁ ସରକାରୀ କାର୍ୟ୍ୟ ତଥା ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇଁ ଯିବାକୁ ଏହି ଟ୍ରେନ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସେହିପରି ରାଜ୍ୟ ପଶ୍ଚିମାଞ୍ଚଳରେ କାର୍ୟ୍ୟ କରୁଥିବା ପୂର୍ବାଞ୍ଚଳ ଲୋକେ ସୁବିଧାରେ ଏହି ଅଞ୍ଚଳକୁ ଯା’ଆସ କରି ପାରୁଥିଲେ। କରୋନା କଟକଣା କୋହଳ ପରେ ବିଭିନ୍ନ ଟ୍ରେନ ପୁଣି ପୂର୍ବ ରୁଟ୍‌ରେ ସ୍ବାଭାବିକ ଚଳାଚଳ ଆରମ୍ଭ କରିଥିବା ବେଳେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏହି ତାଲିକାରେ ସାମିଲ ହୋଇପାରି ନାହିଁ। ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳୀ ସମ୍ବଲପୁର ସହ ପୂର୍ବ ଓଡ଼ିଶାକୁ ଯୋଡ଼ିବା ପାଇଁ ତଥା ଶ୍ରୀ ଜଗନ୍ନାଥ ଧାମକୁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସୁଗମ କରିବା ପାଇଁ ଇଷ୍ଟକୋଷ୍ଟ ରେଳବାଇ ଜୋନ୍‌ରେ ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଆରମ୍ଭ କରାଯାଇଥିଲା। ୧୮୩୦୩/୧୮୩୦୪ ନମ୍ବର ଟ୍ରେନଟି ୨୦୦୨ ମସିହା ଅକ୍ଟୋବର ୧୩ ତାରିଖରେ ଚଳାଚଳ ଆରମ୍ଭ କରିଥିଲା। କେବଳ ସମ୍ବଲପୁର ନୁହେଁ ଆଖପାଖ ଜିଲାର ହଜାର ହଜାର ଲୋକ ଏହି ଟ୍ରେନ ଉପରେ ନିର୍ଭର କରୁଥିଲେ। ୨୦୨୦ ପ୍ରଥମାର୍ଦ୍ଧରେ କରୋନା ମହାମାରୀ ସମୟରେ ଶହ ଶହ ସଂଖ୍ୟାରେ ଟ୍ରେନଗୁଡ଼ିକ ବାତିଲ ହେବା ସହ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ମଧ୍ୟ ବାତିଲ କରାଗଲା। କଟକଣା କୋହଳ ପରେ ଏହି ଏକ୍ସପ୍ରେସ୍‌ ଟ୍ରେନ ସ୍ବାଭାବିକ ଚଳାଚଳ କରିବ ବୋଲି ଲୋକେ ଆଶା କରୁଥିଲେ। ବିଶେଷତଃ ଓଡ଼ିଶାର ସାଂସଦ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ଏହି ଅଞ୍ଚଳର ରେଳକୁ ନେଇ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିଚାଲିଥିବା ବେଳେ ସମ୍ବଲପୁର-ପୁରୀ ଇଣ୍ଟରସିିଟି ଏକ୍ସପ୍ରେସ୍‌ ନେଇ ସକରାତ୍ମକ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା; ମାତ୍ର ଏନେଇ ଏଯାବତ୍‌ କୌଣସି ପଦକ୍ଷେପ ନିଆ ନ ଯିବା ଲୋକଙ୍କୁ ନିରାଶ କରିଛି। ୨୦୦୨ ମସିହାରେ ଆରମ୍ଭ ହୋଇଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ୧୪ଟି ରହଣୀ (ଷ୍ଟପେଜ୍‌) ସହ ୩୪୧ କିଲୋମିଟର ୬ ଘଣ୍ଟା ୩୫ ମିନିଟରେ ଯାତ୍ରା କରିଥାଏ। ଏଥିରେ ସଂରକ୍ଷିତ ୨ଟି ବାତାନୁକୁଳିତ ଚେୟାର୍ କାର ଓ ଦ୍ବିତୀୟ ଶ୍ରେଣୀ ବସିବା ଏବଂ ଅଣସଂରକ୍ଷିତ ବଗି ରହିଛି। ସମ୍ବଲପୁର ଜଙ୍କସନ୍‌ରୁ ବାହାରି ସମ୍ବଲପୁର ରୋଡ, ଯୁଯୁମୁରା, ରେଢ଼ାଖୋଲ, ବାମୁର, ବଇଣ୍ଡା, ଜରପଡ଼ା, ଅନୁଗୋଳ, ତାଳଚେର ରୋଡ, ମେରାମୁଣ୍ଡଳୀ, ଢେଙ୍କାନାଳ, ନରାଜ ମାର୍ଥାପୁର, ମ‌େଞ୍ଚଶ୍ବର, ଭୁବନେଶ୍ବର,‌ ଖୋର୍ଦ୍ଧାରୋଡ ଜଙ୍କସନ ଓ ଶେ​‌ଷ ରହଣୀ ପୁରୀ ହୋଇଥାଏ। ସପ୍ତାହର ସାତ ଦିନ ଏହି ଇଣ୍ଟରସିଟି ଟ୍ରେନ ଚାଲିଥାଏ। ସମ୍ବଲପୁର ଜଙ୍କସନ୍‌ରୁ ସକାଳ ୬ଟାରେ ବାହାରି ଅପରାହ୍ନ ୧୨ଟା ୫୦ ମିନିଟରେ ଏହି ଟ୍ରେନ ପୁରୀରେ ପହଞ୍ଚୁଥିବାବେଳେ ସେଠାରୁ ଅପରାହ୍ନ ୪ଟା ୫ ମିନିଟରେ ପୁରୀରୁ ବାହାରି ରାତି ୧୦ଟା ୩୦ ମିନିଟରେ ସମ୍ବଲପୁରରେ ପହଞ୍ଚିଥାଏ। ଗୋଟିଏ ଦିନ ସକାଳୁ ବାହାରି ଭକ୍ତ ପୁରୀରେ ଦର୍ଶନ କରି ସେହି ଟ୍ରେନରେ ଫେରିି ଆସିଥାନ୍ତି। ଭୁବନେଶ୍ବରରେ ସଚିବାଳୟ ସହିତ ସମସ୍ତ ବିଭାଗର ମୁଖ୍ୟ କାର୍ୟ୍ୟାଳୟ ଥିବାରୁ ପୂର୍ବାହ୍ନ ୧୧ଟା ୧୭ ମିନିଟରେ ସେଠାରେ ପହଞ୍ଚି ନିଜ କାମ ସାରି ସନ୍ଧ୍ୟା ୫ଟା ୨୫ରେ ଟ୍ରେନରେ ବସି ରାତିରେ ଘରକୁ ଫେରି ଆସିଥାନ୍ତି। ଏଭଳି ସମୟାନୁଯାୟୀ ସୁବିଧା ଥିବା ରେଳ ବନ୍ଦ କରି ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏନେଇ ଦାବି ଉଠୁଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ରେଳମଣ୍ଡଳ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବାରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଚଳାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିଥିବା ସୂଚନା ଦେଇଥିଲେ।

Leave A Reply

Your email address will not be published.