ଭୁବନେଶ୍ୱର : ଜଳୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ । ଗତ ସପ୍ତାହକ ମଧ୍ୟରେ ୧୬ଟି ସ୍ଥାନରେ ନିଆଁ ଲାଗିଲାଣି । ଶୁକ୍ରବାର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ ପାଇଛି । ଶନିବାର ଝଲରା ବିଟ୍ରେ ଗୋଟିଏ ସ୍ଥାନ, ମିନିଚିନ ପାଟଣା ଅମ୍ବିଲୋ ବିଟ୍ରେ ଗୋଟିଏ, ଚନ୍ଦକା ବିଟ୍ରେ ୩ଟି, କୁଜିମହଲ ବିଟ୍ରେ ୮ଟି ସ୍ଥାନରେ ନିଆଁ ଲାଗିଥିଲା । ଯାହାକୁ ଆୟତ୍ତ କରାଯାଇଛି । ବାରମ୍ବାର ନିଆଁ ଲାଗିବା ପରେ ବନବିଭାଗ ସଜାଗ ହୋଇ ପଡ଼ିଛି । ଜଙ୍ଗଲ ନିଆଁକୁ ଜଗିବା ପାଇଁ ଅଭୟାରଣ୍ୟର ଚନ୍ଦକା, ଡମପଡ଼ା, ହଳଦିଆ ଓ ଭୁବନେଶ୍ୱର ଆଦି ୪ ରେଞ୍ଜ୍ରେ ବନ ବିଭାଗର ସମୁଦାୟ ୩୫୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୮ଟି ଫାୟାର ପ୍ରୋଟେକ୍ସନ୍ ସ୍କ୍ୱାଡ୍ ନିୟୋଜିତ ରହିଛନ୍ତି । ୮ଟି ସ୍କ୍ୱାଡ୍ରେ ୬୦ ଜଣ କର୍ମଚାରୀଙ୍କ ସମେତ ଜଙ୍ଗଲରେ ଥିବା ଗ୍ରାମବାସୀଙ୍କୁ ନିୟୋଜିତ କରାଯାଇଛି । ଭିଏଚ୍ଏଫ୍ ନେଟ୍ୱାର୍କ ମାଧ୍ୟମରେ ପରସ୍ପର ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଉଛି । ଗତକାଲି ହଳଦିଆ ରେଞ୍ଜ୍ ଅନ୍ତର୍ଗତ ଝଲରା ନିକଟରେ ବଡ଼ ଧରଣର ନିଆଁ ଲାଗିଥିଲା । ଅପରାହ୍ଣ ୪ଟାରୁ ଲାଗିଥିବା ନିଆଁକୁ ଶନିବାର ଭୋର ସମୟରେ ଆୟତ୍ତ କରା ଯାଇଥିଲା । ୫୦ ବନ କର୍ମଚାରୀଙ୍କ ସହ ସିଆଇଏସ୍ଏଫ୍ର କର୍ମଚାରୀ ଓ ଦମ୍କଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଏନେଇ ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।