ଅସହାୟ ମହିଳାଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଲେ ଜିଲ୍ଲା ମାନବାଧିକାର ରକ୍ଷକ ସଂସ୍ଥାର କର୍ମକର୍ତ୍ତା

0 69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡ ଠାରେ ବୁଧବାର ରାତ୍ର ସମୟରେ ଜଣେ ପାରିବାରିକ କହୋଳରେ ନିର୍ଯାତିତା ହେଉଥିବା ଅସହାୟ ମହିଳାଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ଜିଲ୍ଲା କର୍ମକର୍ତ୍ତାମାନେ । ଘଟଣାରୁ ପ୍ରକାଶ ଯେ, ଆର୍.ଉଦୟଗିରି ବ୍ଲକର ଏକ ଗ୍ରାମାଞ୍ଚଳ ଜଣେ ମହିଳା ନିଜର ୨ବର୍ଷର ଶିଶୁକୁ ଧରି ଗତକାଲି ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡ ଠାରେ ବସିଥିଲେ । ମହିଳାଜଣକ ଅତି ଦୁଃଖ ଏବଂ ଚିନ୍ତିତ ଥିବାର ଦେଖି କିଛି ଯାତ୍ରୀଙ୍କ ସହ ସ୍ଥାନୀୟ ଲୋକେ ପଚରା ଉଚରା କରିଥିଲେ । ତେବେ ମହିଳା ଜଣକ କିଛି ପ୍ରକାଶ କରିନଥିଲେ । ଏହାପରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ଗଜପତି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର, ସଭାନେତ୍ରୀ ଶ୍ରୀମତୀ ଶତପଥୀ ଓ ଉପସଭାପତି ଶ୍ରୀମାଳ ବିଶୋୟୀଙ୍କୁ ଖବର ଦିଆଯାଇଥିଲା । ସେ ସେଠାରେ ପହଞ୍ଚି ମହିଳା ଜଣଙ୍କ ଠାରୁ ସମସ୍ତ ତଥ୍ୟ ପଚାରି ବୁଝି ଥିଲେ । ମହିଳା ଜଣକ କହିବା ପ୍ରକାରେ ସେ ଅନାଥ ଭାବେ ବଢିଥିଲେ । ଏହାପରେ ଆର୍.ଉଦୟଗିରି ବ୍ଲକ ଅଞ୍ଚଳର ଗୋଟିଏ ଗ୍ରାମର ଯୁବକ ତାଙ୍କୁ ପ୍ରେମରେ ଫସାଇ ବିବାହ କରିଥିଲେ । ବିବାହ ପରେ ତାଙ୍କ ଶାଶୁ ଓ ସ୍ୱାମୀ ଅସହ୍ୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଦୁଇବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିବା ଶିଶୁଟି ତାଙ୍କର ନୁହେଁ ବୋଲି ସନ୍ଦେହ କରି ସ୍ୱାମୀ ଓ ଶାଶୁ ଅକଥନୀୟ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ । ଏପରି ଭାବେ ଶିଶୁ ଜନ୍ମ ହେବାର ଦୁଇବର୍ଷ ବିତିବା ପରେ ବର୍ତ୍ତମାନ ୨ମାସ ଗର୍ଭବତୀ ହୋଇଥିବାକୁ ନେଇ ମଧ୍ୟ ସ୍ୱାମୀ ଓ ଶାଶୁ ଆହୁରି ଅତ୍ୟାଚାର କରିବାକୁ ଲାଗିଲେ । ଏହି ଗର୍ଭଧାରଣ ମୋ ଦ୍ୱାରା ହୋଇନାହିଁ ବୋଲି ସ୍ୱାମୀ ଆହୁରି ମାରପିଟ ସହ ଅତ୍ୟାଚାର କରିଥିଲେ । ଏହାକୁ ନେଇ ସେ ବିଚଳିତ ହୋଇ ଘରୁ କେଉଁଆଡେ ପଳାୟନ କରିବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ବସ୍ ଚଢି ଆସିଥିଲେ । ଏହେଲେ ସେ ଏଠାରେ ନିସହାୟ ଓ ନିରୂପାୟ ହୋଇ ବସିଥିଲେ । ଇତି ମଧ୍ୟରେ କେତେକ ବ୍ୟକ୍ତି ବିଶେଷ ଦେଖି ପଚରା ଉଚରା କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା । ଅନ୍ତର୍ଜାତୀୟ ମାନବଧିକାରର ଜିଲ୍ଲା କର୍ମକର୍ତ୍ତାମାନେ ସବୁ ଶୁଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏହାପରେ ଉଦ୍ଧାର ହୋଇଥିବା ମହିଳା ଓ ୨ବର୍ଷର ଶିଶୁକୁ ସଖୀ-ୱାନଷ୍ଟପ ସେଣ୍ଟରରେ ରଖାଯାଇଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଘଟଣା ସମ୍ପର୍କରେ ତଦନ୍ତ ବା ଅନୁସନ୍ଧାନ ପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.