ଆଜି ବିଶ୍ବ ତମାଖୁ ବର୍ଜନ ଦିବସ: ସରକାରଙ୍କ ତମାଖୁ ନିଷେଧାଜ୍ଞାରେ ନାଲିଫିତା !

0 67

କଣ୍ଟାବାଞ୍ଜି, ୩୧.୦୫, ଡୀକେ ନ୍ୟୁଜ୍: ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳନ କରାଯାଉଛି । ଡ଼ବ୍ଲୁଏଚ୍ଓର ସର୍ବେକ୍ଷଣ ରିପୋର୍ଟ କହୁଛି ଯେ ପ୍ରତିବର୍ଷ ବିଶ୍ଵରେ ୭ ମିଲିୟନ ଲୋକେ ତମାଖୁ ସେବନ କରି ମୃତ୍ୟୁ ମୁଖରେ ପଡୁଛନ୍ତି । ଜାତୀୟ ସ୍ତରରେ ତମ୍ବାଖୁ ବର୍ଜନକୁ ନେଇ ବ୍ୟାପକ ସଚେତନତା କରିବା ପାଇଁ ଗତ ୨୦୦୩ ରେ କଟପା ଆଇନ ଲାଗୁ କରାଯାଇଥିଲା । ଏହି ଆଇନ ଦ୍ବାରା ତମ୍ବାଖୁ ପ୍ରସ୍ତୁତକାରୀ ସଂସ୍ଥା କିମ୍ବା ବ୍ୟକ୍ତି , ବିକ୍ରେତା ଓ ଷ୍ଟକିଷ୍ଟ ନାମରେ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ମାତ୍ର ତମ୍ବାଖୁ ସେବନ ରୋକାଯିବା ନେଇ କଣ୍ଟାବାଞ୍ଜି ରେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କିଛି କରାଯାଉ ନାହିଁ । ଜିଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୁଲିସ ବିଭାଗ ର ଆନ୍ତରିକତାର ଅଭାବ ଯୋଗୁଁ କଣ୍ଟାବାଞ୍ଜି ସହ ସମ୍ପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ବେଧଡ଼କ ବିକ୍ରି ଚାଲିଛି ତମ୍ବାଖୁ ଏବଂ ଗୁଟଖା । ତମ୍ବାଖୁ ବିକ୍ରେତା ଓ ଷ୍ଟକିଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଉକ୍ତ ଆଇନକୁ ଗତ ୨୦୧୩ ରେ ରାଜ୍ୟସରକାର କଡାକଡୀ ଭାବେ ଲାଗୁ କରିଥିଲେ । ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯିବା ସହ ଜିଲ୍ଲାରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ ନିଷ୍ପତି ହୋଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଜିଲ୍ଲା ଫୁଡ୍ ଇନସ୍ପେକ୍ଟର , ଡ୍ରଗ୍ ଇନସ୍ପେକ୍ଟରଙ୍କ ସମେତ ମାଜିଷ୍ଟ୍ରେଟ୍ ଟାସ୍କଫୋର୍ସରେ ରହିବେ ବୋଲି କୁହାଯାଇଥିଲା । ସବ୍ ଇନସ୍ପେକ୍ଟର ପାହ୍ୟାର ପୁଲିସ୍‌ ଅଧିକାରୀ ଏହି ଟିମ୍ ଚଢଉରେ ସହଯୋଗ କରିବେ ବୋଲି କୁହାଯାଇଥିଲା । ମାତ୍ର ଏବେବି ରାଜ୍ୟର ପ୍ରାୟତଃ ଜିଲ୍ଲାରେ ଏହି ତମ୍ବାଖୁ ବର୍ଜନ ସକାଶେ ଟାସ୍କଫୋର୍ସ ଗଠନରେ ସରକାର ସଫଳ ହୋଇପାରି ନାହାନ୍ତି । କଣ୍ଟାବାଞ୍ଜି ଅଞ୍ଚଳ ରେ କେହି ଜଣେ ବି ଅଫିସର ନାହାନ୍ତି ଯିଏ କି ତମ୍ବାଖୁ ବର୍ଜନ କରିବାକୁ ଲୋକଙ୍କୁ ସଚେତନ କରିଥିବେ । କଣ୍ଟାବାଞ୍ଜି ଅଞ୍ଚଳ ରେ ତମ୍ବାଖୁ ବିକ୍ରେତା , ଷ୍ଟକିଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ସବୁ କିଛି ନାଲି ଫିତା ତଳେ ଚାପି ହୋଇ ରହିଯାଇଛି । ବର୍ତ୍ତମାନ ରାଜ୍ୟବ୍ୟାପି ଏହି ଆଇନ ଏକ ପ୍ରହସନ ହୋଇଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳ ରେ ସର୍ବସାଧାରଣରେ ବେଧଡ଼କ ତମ୍ବାଖୁ ସେବନ ଓ ଧୂମପାନ ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି । ପ୍ରାରମ୍ଭରେ କିଛି ସୁଧାର ହେବା ନେଇ ସମ୍ଭାବନା ଦେଖାଯାଇଥିଲା । ମାତ୍ର ଟାସ୍କଫୋର୍ସ ଗଠନ ଓ ଏହାର କାର୍ଯ୍ୟକାରିତାରେ ବ୍ୟତିକ୍ରମ ହେବାରୁ ସେ ଆଶା ମଧ୍ୟ ମଉଳି ଯାଇଛି । ପୁର୍ବ ଅପେକ୍ଷା ତମ୍ବାଖୁ ବିକ୍ରେତା ଅଧିକ ଖୋଲାଖୋଲି ଭାବେ ବିକ୍ରି କରିବା ସହ ଦାମ ମଧ୍ୟ ଅଧିକ ବଢେଇ ବିକୁଛନ୍ତି । ତମ୍ବାଖୁ ପ୍ରସ୍ତୁତକାରୀ ସଂସ୍ଥା ତମ୍ବାଖୁ ବର୍ଜନ ଆଇନ ଲାଗୁ ହୋଇଥିବା ଆଳରେ ଅଧିକ ଦାମରେ ଚୋରାରେ ବିକ୍ରି ଆରମ୍ଭ କରିଥିଲେ କିନ୍ତୁ କଣ୍ଟାବାଞ୍ଜି ଏବଂ ଆଖ ପାଖ ଅଞ୍ଚଳରେ ଏହା ଖୁଲମ ଖୋଲା ବିକ୍ରି ଚାଳିଛି । ଏବେ ରାଜ୍ୟବ୍ୟାପି ତମ୍ବାଖୁ ଗୁଟଖା ବିକ୍ରି ଆକଳନ କରାଗଲେ ଢେର ଗୁଣ ଅଧିକ ବଢିଥିବ ଏହା ସ୍ପଷ୍ଟ ଭାବେ କୁହାଯାଇପାରେ । ଏହା ଦ୍ବାରା ଲୋକେ ବହୁ ସଂଖ୍ୟାରେ ମୁଖ କର୍କଟ ଅନ୍ୟାନ୍ୟ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏହା କାହାରିକୁ ଲୁକାଛପା ନାହିଁ । ସ୍କୁଲ ପଢୁଥିବା ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପର୍ଯ୍ୟନ୍ତ ସମସ୍ତେ ଏବେ ଏହି ତମ୍ବାଖୁ ବା ଗୁଟଖାର ବଶବର୍ତ୍ତୀ ହୋଇସାରିଛନ୍ତି | ସ୍କୁଲ କଲେଜ ବା ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଗୁଟଖା , ସିଗାରେଟ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି କରାଯାଉଛି । ଅଞ୍ଚଳରେ ବାହାରୁଥିବା ଅଳିଆ ଆବର୍ଜନାର ଏକ ତୃତୀୟାଂଶ ଗୁଟଖା ଓ ସିଗାରେଟ୍ ପ୍ୟାକେଟ୍‌ର ଥାଏ । ଏଥିପାଇଁ ସହର ମଧ୍ୟ ମଇଳା ହେଉଛି । ଏଥି ପ୍ରତି ପ୍ରଶାସନ କୁ ଶୀଘ୍ର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ଦରକାର ।

Leave A Reply

Your email address will not be published.