ଦେଓଗାଁ କୁଶଳେଶ୍ଵର ଶିବ ମନ୍ଦିରରୁ ଚୋରି, ଟେର୍ ପାଉନି ପୋଲିସ ||

0 73

ଘସିପୁରା, ୧୨ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଦେଓଗାଁ ସ୍ଥିତ ସର୍ବପୁରାତନ ଶୈବ ପୀଠ କୁଶଳେଶ୍ଵର ମନ୍ଦିରରୁ ଚୋରି ଘଟଣାର ୧୩ ଦିନ ପରେ ବି ଚୋରଙ୍କ ଟେର୍ ପାଉନି ପୋଲିସ । ଫଳରେ ମନ୍ଦିରରୁ ଚୋରି ହୋଇଥିବା ଶ୍ରୀ ଚନ୍ଦ୍ରଶେଖରଙ୍କ ୧୦ କେଜିରୁ ଉର୍ଦ୍ଧ୍ଵ ଓଜନର ଚାନ୍ଦି ରୂପାର ଚଳନ୍ତି ପ୍ରତିମାକୁ ଅଦ୍ୟାବଧି ଉଦ୍ଧାର କରାଯାଇପାରିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସର କାର୍ଯ୍ୟଦକ୍ଷତା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଅଂଚଳବାସୀ ।

ଏନେଇ ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ, ପୋଲିସ ଘଟଣାରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିଲା, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସର୍ତମୂଳକ ଭାବେ ଛାଡିଛି । ତେବେ ସମ୍ପୃକ୍ତ ଦୁଇ ଜଣଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

ଅନ୍ୟପକ୍ଷରେ ମନ୍ଦିରର ନିର୍ବାହୀ ଅଧିକାରୀ ଉମାକାନ୍ତ ବେହେରାଙ୍କୁ ଏ ବାବଦରେ ପଚାରିବାରୁ ମୂର୍ତି ଚୋରି ସମ୍ପର୍କରେ ପୋଲିସକୁ କିଛି ତଥ୍ୟ ମିଳିଥିବା ସେ କହିଛନ୍ତି । ସେହିପରି ଚୋରି ହୋଇଥିବା ଶ୍ରୀ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା ସ୍ଥାନରେ ବରଣି କରି ଆଣିଥିବା ଏକ ଗୁଆ ରଖାଯାଇ ପୂଜକ ନୀତିକାନ୍ତି ଚାଲୁ ରଖିଥିବା ଶ୍ରୀ ବେହେରା କହିଛନ୍ତି । ସ୍ଥାନୀୟ ଲୋକ ନିଜ ପ୍ରତିକ୍ରିୟାରେ ଏଭଳି ଚୋରି ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ପୋଲିସର ତଦନ୍ତ ପ୍ରକ୍ରିୟାରେ ଶିଥିଳତା ଯୋଗୁଁ ଚୋରମାନଙ୍କୁ ଧରିବା ଓ ଚୋରି ମୂର୍ତି ଉଦ୍ଧାରରେ ବିଳମ୍ବ ହେଉଥିବା ସେମାନେ କହିଛନ୍ତି ।

ପ୍ରକାଶ ଥାଉକି, ଗତ ୩୧ ତାରିଖ ବିଳମ୍ବିତ ରାତିରେ ଏହି ସର୍ବପୁରାତନ କୁଶଳେଶ୍ଵର ମନ୍ଦିରରୁ ଚୋରି ହୋଇଥିଲା । ଚୋରମାନେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରେ ପଶିବା ସହ ଶ୍ରୀ ଚନ୍ଦ୍ରଶେଖରଙ୍କ ଚାନ୍ଦି ରୂପାର ଚଳନ୍ତି ପ୍ରତିମା ଚୋରି କରିନେଇଥିଲେ । ଏହି ପୁରାତନ ମୂର୍ତିର ଓଜନ ୧୦ କେଜିରୁ ଉର୍ଦ୍ଧ୍ଵ ହେବ । ଯାହାର ଆନୁମାନିକ ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ ୨୦ ଲକ୍ଷ ହେବ । ଘଟଣା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏନେଇ ଘସିପୁରା ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଛି । ତେବେ ଅଦ୍ୟାବଧି ଚୋରୀ ମୂର୍ତିକୁ ଉଦ୍ଧାର କିମ୍ବା ଚୋର ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନି ।

Leave A Reply

Your email address will not be published.