ଦ୍ରୁତ ବିକାଶ ପଥେ ଓଡ଼ିଶା

0 64

ଭୁବନେଶ୍ୱର, ୧୯ା୬ (ଡିକେ ନ୍ୟୁଜ୍‌): ଆର୍ଥିକପରିଚାଳନାରେ ଓଡ଼ିଶା ଆଗୁଆ । ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି ରାଜ୍ୟ । ଏଥର ବି ଜାତୀୟ ଅଭିବୃଦ୍ଧି ହାରଠାରୁ ରାଜ୍ୟ ଅଭିବୃଦ୍ଧି ହାର ଆଗରେ ରହିବ । ବିଭିନ୍ନ କାରଣରୁ ଜାତୀୟ ଅର୍ଥନୀତି ଭୀଷଣ ପ୍ରଭାବିତ ହେଉଥିଲେ ମଧ୍ୟ ଓଡ଼ିଶାର ସ୍ଥିତି ଭଲ ରହିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ହେଲେ ଓଡ଼ିଶାର ଅଭିବୃଦ୍ଧି ଦେଶଠାରୁ ଅଧିକ ରହିବ ବୋଲି ଜଣାଯାଇଛି । ୨୦୨୨- ୨୩ରେ ରାଜ୍ୟର ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ହେବ ବୋଲି ଅନୁମାନ କରାଯାଉଛି । ଖଣି ସାଙ୍ଗକୁ ଅନ୍ୟାନ୍ୟ କ୍ଷେତ୍ରରେ ରାଜସ୍ୱ ବୃଦ୍ଧି ପାଇବା ସହିତ ଏ ସବୁକୁ ରାଜ୍ୟର ବିକାଶରେ ସଠିକ୍‌ ବିନିଯୋଗ କରାଯାଇପାରୁଛି । ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେଉଥିବାରୁ ଗାଁଠୁ ସହର ସବୁଠି ରୋଜଗାର ସୃଷ୍ଟି ହୋଇପାରୁଛି । ଏହା ସାଙ୍ଗକୁ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ରାଜ୍ୟର ଅର୍ଥନୀତି ସ୍ଥିତିକୁ ବୁଷ୍ଟର ଡୋଜ୍ ଭଳି ସାବ୍ୟସ୍ତ ହୋଇଛି । ଗତ ଆର୍ଥିକ ବର୍ଷରେ ରାଜ୍ୟର ଖଣି ରାଜସ୍ୱ ୫୦ହଜାର କୋଟି ଟପି ରେକର୍ଡ କରିଛି । ଅନ୍ୟ କ୍ଷେତ୍ରରେ ବି ରାଜସ୍ୱ
ବୃଦ୍ଧି ପାଉଛି । ୨୨ବର୍ଷ ମଧ୍ୟରେ ରାଜ୍ୟ ବଜେଟ୍‌ ଅଟକଳ ୧୧ହଜାର ୪୭ କୋଟିରୁ ଦୁଇ ଲକ୍ଷ
କୋଟି ଟପିଲାଣି । ଅନ୍ୟପକ୍ଷରେ ସାଧାରଣ ସେବା କ୍ଷେତ୍ରରେ ୨୦୦୪ ମସିହାରେ ୪୯ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଏବେ ଏହା ୨୫ ପ୍ରତିଶତକୁ ଖସିଛି । ଏହା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେଉଥିବା ଜଣାଯାଇଛି । ଏଥିସହିତ ଠିକ୍ ସମୟରେ ବଜେଟ୍‌ରେ ବ୍ୟୟବରାଦ ଅର୍ଥ ଖର୍ଚ୍ଚ କରିବାକୁ ଟାର୍ଗେଟ ଦିଆଯାଉଛି । ଯାହାଫଳରେ ଋଣର ସଠିକ୍ ପରିଚାଳନା ହୋଇପାରିବାରୁ ରାଜ୍ୟ ସବୁ କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ହାସଲ କରୁଛି । ରାଜ୍ୟ ସରକାରଙ୍କ ବିତ୍ତୀୟ ସୁପରିଚାଳନା ଯୋଗୁ ଓଡ଼ିଶା ଅନ୍ୟ ରାଜ୍ୟ ଓ ଜାତୀୟ ସ୍ତରଠାରୁ ଆଗରେ ରହିଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

Leave A Reply

Your email address will not be published.