ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ରୋକିବା ଉପରେ ଗୁରୁତ୍ୱ

0 57

ରାୟଗଡ,୨3/୬(ଡିକେ ନ୍ୟୁଜ): ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ଜିଲ୍ଲାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ସହିତ ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି, ବାଲ୍ୟ ବିବାହ ନିଷେଧ ଅଧିକାରୀ ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ, ରାୟଗଡ଼, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ଆଜି
ରାୟଗଡ ସ୍ଥିତ ମିଶନ ଶକ୍ତି ସମ୍ମିଳନୀକକ୍ଷ ଠାରେ ଏହି ବୈଠକର ଆୟୋଜନ କରଯାଇଥିଲା । ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା ସାଧନ କର୍ମୀ ଭାବେ ଯୋଗଦେଇ ଶିଶୁ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ଆଇନଗତ ଦିଗ ଗୁଡିକ ବିଷୟରେ ଉପସ୍ଥିତ ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ପାରା ଲିଗାଲ ଭଲ୍ୟୁଣ୍ଟିଅର ମାନଙ୍କୁ ବୁଝାଇଥିଲେ । ବାଲ୍ୟ ବିବାହ ଯୋଗୁଁ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢୁଛି କମ ବୟସରେ ଅନେକ ଶିଶୁ ଓ କିଶୋର କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରନ୍ତି ନାହିଁ । ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠ ପଢି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜର କିଛି ଉନ୍ନତି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରନ୍ତି ନାହିଁ । ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ଉଭୟ ପୁଅ ଓ ଝିଅ ମାନଙ୍କର ବୟସ ଯାଞ୍ଚ କରିନେବା ଆବଶ୍ୟକ । ପ୍ରକୃତ ବୟସ ଯାଞ୍ଚ କରିବା ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟର ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ ଓ ୧୮ ବର୍ଷ ବୟସ ପୂର୍ବରୁ ଯୌନ ସମ୍ପର୍କକୁ ଯୌନ ଶୋଷଣ ବୋଲି କୁହାଯାଏ । ତେଣୁ ସମସ୍ତେ ଏହି
ବିଷୟରେ ସଚେତନ ହେବା ସହ ସମସ୍ତ ବ୍ୟକ୍ତି ବିଶେଷ ଓ କିଶୋର କିଶୋରୀ ମାନଙ୍କୁ ଜଣାଇବା ଆବଶ୍ୟକ ଓ ପ୍ରକାଶ ଥାଉକି ଯେ, ରାୟଗଡ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗର ମିଳିତ ସମନ୍ୱୟରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଜିଲ୍ଲାରେ ପ୍ରତ୍ୟକ ସ୍ତରରେ ସଚେତନ କରାଇବା, ପ୍ରତ୍ୟେକ ଶିଶୁ କିପରି ନିୟମିତ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୁଷ୍ଟିକୁ ରୋକିବା, ପ୍ରାକ ବିଦ୍ୟାଳୟ ଶିକ୍ଷା ନିଶ୍ଚିତ କରାଇବା, ଶିଶୁ ମାନଙ୍କ ପାଇଁ ଶିଶୁ ଉପଯୋଗୀ ପରିବେଶ ନିଶ୍ଚିତ କରାଇବା, ଶିଶୁ ସୁରକ୍ଷାର ବିଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା, କିଶୋର ଓ କିଶୋରୀ ମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକରେ ସାମିଲ କରାଇବା, ସ୍ୱାସ୍ଥ୍ୟ ସୁବିଧାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବେ ସେଥି ପ୍ରତି ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନାକ୍ରମେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇ ପ୍ରତି ୩ ମାସରେ ଥରେ ସମୀକ୍ଷା ହୋଇ ଆସୁଛି । ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୁପ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ରାୟଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିପରି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ତୀବ୍ର କରାଯିବ ସେଥି ନିମନ୍ତେ ଆଲୋଚନା ହୋଇଥିଲା ଏବଂ ପ୍ରସ୍ତାବକ୍ରମେ ଏକ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ\ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜ କିଶୋର ସାହୁ ଶିଶୁ ମାନକ ସୁରକ୍ଷା ନିମନ୍ତେ ବିଭିନ୍ନ କର୍ମଚାରୀ ମାନଙ୍କର ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ଓରମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓ ଆକ୍ସନ ଏଡ-ୟୁନିସେଫ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ, ଜିଲ୍ଲାର ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ଏବଂ ପାରା ଲିଗାଲ ଭଲ୍ୟୁଣ୍ଟିଅର ମାନେ ଉପସ୍ଥିତ ଥିଲେ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରି ପାଢୀ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡିକୁ ଆଲୋକପାତ କରିଥିଲେ ।

Leave A Reply

Your email address will not be published.