ବିଶ୍ୱ ଦରବାରରେ ଶୁଭିବ ଓଡ଼ିଶାର ସ୍ୱର

0 80

ଭୁବନେଶ୍ୱର, ୨୪/୬(ଡିକେ ନ୍ୟୁଜ): ସାରା ବିଶ୍ୱରେ ଶୁଭିବ ଓଡ଼ିଶାର ସ୍ୱର । ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ପରିଚୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘ ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ରାଜ୍ୟର ସଫଳତା କଥା କହିବେ । ବିଶ୍ୱ ଖାଦ୍ୟ ଯୋଜନାର ମୁଖ୍ୟଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଗତ ୨୨ ବର୍ଷରେ ଓଡ଼ିଶାର ରୂପାନ୍ତରଣର ବାସ୍ତବତା ବିଶ୍ୱବାସୀଙ୍କୁ ଜଣାଇବେ । ଖାଦ୍ୟ କ୍ଷେତ୍ରରେ ନିଅଣ୍ଟିଆ ରାଜ୍ୟରୁ ଆଜି ବଳକା ରାଜ୍ୟ ପାଲଟିଛି ଓଡ଼ିଶା । ଅନ୍ୟ ରାଜ୍ୟକୁ ବି ଖାଦ୍ୟ ଶସ୍ୟ ଯୋଗାଇବାକୁ ସକ୍ଷମ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ଏବେ ଅଗ୍ରଣୀ ରାଜ୍ୟ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସୃଷ୍ଟି କରିଛି ବିଶ୍ୱ ପାଇଁ ଉଦାହରଣ । ୧୯୯୯ ମହାବାତ୍ୟା ମହାତାଣ୍ଡବ ପରେ କେବଳ ଓଡ଼ିଶା ବିପର୍ଯ୍ୟୟକୁ ମୁକାବିଲା କରିବା ଶିଖିଲା ନାହିଁ, ବରଂ ଅନ୍ୟମାନଙ୍କୁ ଶିଖାଇଲା । ନିଜ ସମ୍ବଳର ସଠିକ ଉପଯୋଗ, ଟେକ୍ନୋଲୋଜିର ସଠିକ୍‌ ବ୍ୟବହାର, ଟିମ୍ ୱାର୍କ, ଜିରୋ କାଜୁଆଲଟି ନୀତି ସହ ଓଡ଼ିଶା ସରକାରଙ୍କ ପ୍ରବଳ ଇଚ୍ଛାଶକ୍ତି ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ସାରା ବିଶ୍ୱ ମାନ୍ୟତା ଦେଉଛି । ଏସବୁ ସଫଳତା ବାବଦରେ ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବାସୀଙ୍କୁ ଉଦ୍‌ବୋଧନ ଦେବେ । ୨୦୦୦ ମସିହାରେ ରାଜ୍ୟ ଶାସନ ଭାର ନବୀନ ପଟ୍ଟନାୟକ ସମ୍ଭାଳିବା ବେଳେ ରାଜ୍ୟର ସ୍ଥିତି କିପରି ଥିଲା ? ୨୨ ବର୍ଷ ଭିତରେ କେମିତି ଆସିଲା ବ୍ୟାପକ ପରିବର୍ତ୍ତନ ? କିପରି ବିପର୍ଯ୍ୟୟ ପରିଚାଳନାରେ ମାଷ୍ଟର ହୋଇଗଲା ଓଡ଼ିଶା ? ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ସାମଗ୍ରିକ ଟ୍ରାନ୍ସଫର୍ମେସନରେ କେଉଁ ଭୂମିକା ତୁଲାଉଛି ? ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଗ୍ରାଉଣ୍ଡ ଜିରୋରେ କିପରି କାର୍ଯ୍ୟକାରୀ କରୁଛନ୍ତି ଜନ ପ୍ରତିନିଧି ଓ ପ୍ରଶାସକ ? ୧୯୯୯ ମହାବାତ୍ୟାରେ ହଜାର ହଜାର ଜୀବନ ଯାଇଥିବା ଓଡ଼ିଶାରେ କିପରି କାମ କରୁଛି ମିଶନ ଜିରୋ କାଜୁଆଲିଟି ? ଜାତିସଂଘ ବିଶ୍ୱ ଖାଦ୍ୟ ଯୋଜନାର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଏସବୁ କଥା କହିବା ବେଳେ ଓଡ଼ିଶା ନୂଆ ପରିଚୟ ପାଇବ ବୋଲି ବିଶେଷଜ୍ଞ କହିଛନ୍ତି । ୟୁରୋପ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ଦୁବାଇ ଗସ୍ତ କରି ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ଶିଳ୍ପାୟନ ପାଇଁ ରାଜ୍ୟରେ ଥିବା ଅପାର ସୁଯୋଗ ଓ ସମ୍ଭାବନା ବାବଦରେ ଆଲୋଚନା କରିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ମନାଇବାକୁ ଉଦ୍ୟମ କରିବେ । ଉଭୟ ରୋମ ଓ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସହ ମଧ୍ୟ ଆଲୋଚନା କରିବେ ।

Leave A Reply

Your email address will not be published.