ଦ୍ରୌପଦୀଙ୍କୁ ନେଇ ଦୁଲୁକୁଛି ଦିଲ୍ଲୀ

0 79

ଭୁବନେଶ୍ୱର, ୨୪/୬ (ଡିକେ ନ୍ୟୁଜ୍‌): ଦିଲ୍ଲୀରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କୁ ନେଇ ଦୁଲୁକୁଛି ଦିଲ୍ଲୀ । ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଆଜି ଭେଟିଛନ୍ତି । ଦ୍ରୌପଦୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ମନୋନିତ ହୋଇଥିବାରୁ ସାରା ଦେଶରେ ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି । ତୃଣମୂଳସ୍ତରର ସମସ୍ୟା ଏବଂ ଦେଶର ବିକାଶ ନେଇ ଥିବା ଦର୍ଶନକୁ ସେ ଅସାଧାରଣ ଭାବେ ବୁଝିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ । ଆସନ୍ତାକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏଥିପାଇଁ ବିଜେଡିରୁ ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ପ୍ରସ୍ତାବକ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଉଭୟ ମନ୍ତ୍ରୀ ଆଜି ଦିଲ୍ଲୀ ଯାଇ ଦ୍ରୌପଦୀଙ୍କ ପ୍ରାର୍ଥୀପତ୍ରରେ ସ୍ୱାକ୍ଷର କରିଛନ୍ତି ଏବଂ କାଲି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉଭୟ ମନ୍ତ୍ରୀ ସେଠାରେ ମଧ୍ୟ ଉପସ୍ଥିତ ରହିବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଜେ.ପି.ନଡ୍ଡା । ଏହାପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ତାଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ । ଆଜି ଦ୍ରୌପଦୀ ଦିଲ୍ଲୀରେ ପହଞ୍ôଚବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଏବେ ଓଡ଼ିଶା ଭବନରେ ଅବସ୍ଥାପିତ କରୁଛନ୍ତି । ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.