ରୋଚକ ମୋଡ଼ରେ ମହାରାଷ୍ଟ୍ର ମହାଡ୍ରାମା ବୁଡୁଛି ଉଦ୍ଧବଙ୍କ ଡଙ୍ଗା !

0 77

ମୁମ୍ବାଇ, ୨୪/୬: ରୋଚକ ମୋଡରେ ମହାରାଷ୍ଟ୍ର ମହାଡ୍ରାମା । ସେଠାରେ ଘଟିକେ ଘୋଡା ଛୁଟୁଛି । ଏକାନାଥ ସିନ୍ଦେଙ୍କ ବିଦ୍ରୋହ ଭିତରେ ଆଜି ବ୍ୟାକ୍‌ଫୁଟ୍ ଯାଇଛି ଶିବସେନା । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଓହରିବାକୁ ଶିବସେନା ପ୍ରସ୍ତୁତ ଅଛି । ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ଭିତରେ ଗୌହାଟୀ ଛାଡ଼ି ମୁମ୍ବାଇ ଫେରନ୍ତୁ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସିଧାସଳଖ ଆଲୋଚନା କରନ୍ତୁ । ସେମାନେ ଏନ୍‌ସିପି, କଂଗ୍ରେସ ସହ ରହିବାକୁ ଚାହୁଁନଥିଲେ ମେଣ୍ଟ ସରକାରକୁ ଶିବସେନା ଓହରିବାକୁ ପ୍ରସ୍ତୁତ ଅଛି । ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦ୍ରୋହୀ କ୍ୟାମ୍ପର ୨୧ଜଣ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେଣୁ ସରକାର ବଞ୍ଚାଇବା ପାଇଁ ଉଦ୍ଧବ ସକ୍ଷମ ହେବେ
ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏକାନାଥ ସିନ୍ଦେଙ୍କ ପଲା ଦିନକୁ ଦିନ ଭାରି ହେବାରେ ଲାଗିଛି । ମୋଟ ୪୨ଜଣ ବିଧାୟକ ତାଙ୍କ ସହିତ ଅଛନ୍ତି । ସେମାନଙ୍କ ଭିତରେ ଶିବସେନାର ୩୪ ଓ ୮ ଜଣ ସ୍ୱାଧୀନ ବିଧାୟକ । ସଞ୍ଜୟ ରାଉତଙ୍କ ବୟାନ ପରେ କଂଗ୍ରେସ ଓ ଏନ୍‌ସିପି ବିଧାୟକଙ୍କ ଜରୁରି ବୈଠକ ବସିଛି । ସରକାର ବଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା ଏନ୍‌ସିପି କହିଥିବା ବେଳେ କଂଗ୍ରେସ କହିଛି କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ବିଜେପି ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଛି । ସୂଚନାଯୋଗ୍ୟ ଯେ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ୫୫ ବିଧାୟକ ଅଛନ୍ତି । ଶିବସେନାର ୩୪ ବିଧାୟକ ଏକାନାଥଙ୍କୁ ସମର୍ଥନ କରିବା ପରେ ମେଣ୍ଟ ୧୬୫ରୁ ୧୩୧କୁ ଖସିଆସିବା ସମ୍ଭାବନା ରହିଛି । ଫଳରେ ମହାବିକାଶ ଅଘାଡି ମେଣ୍ଟ ସଂଖ୍ୟା ଗରିଷ୍ଠତା ହରାଇବା ଜଳଜଳ ହୋଇ ଦିଶୁଛି । ଦଳବଦଳ ଆଇନ ଆନୁସାରେ ଅଯୋଗ୍ୟ ହେବାରୁ ବର୍ତ୍ତିବା ପାଇଁ ସିନ୍ଦେଙ୍କୁ ୩୭ଜଣ ବିଧାୟକଙ୍କ ସମର୍ଥନ ଦରକାର । ପୂର୍ବରୁ ୧୯୯୪ରେ ଏସ୍‌.ଆର.ବୋମାଇଙ୍କ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଫ୍ଲୋର ଟେଷ୍ଟ ହିଁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାର ନିର୍ଣ୍ଣାୟକ ହେବ । ତେଣୁ ଆଗକୁ ମହାରାଷ୍ଟ୍ରର ମହାଡ୍ରାମା କେଉଁ ମୋଡ଼ ନେବ ତାହା ଉପରେ ସମଗ୍ର ଦେଶର ନଜର ରହିଛି ।

Leave A Reply

Your email address will not be published.