ଚନ୍ଦ୍ରଶେଖରପୁର ଡିଏଭି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

0 69

ଭୁବନେଶ୍ୱର, ୨୫ା୬ (ଡିକେ ନ୍ୟୁଜ୍‌): ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ସେମାନେ ଯାତାୟାତ କରୁଥିବା ସ୍କୁଲ ବସ୍‌ର ଫିଟ୍‌ନେସ୍‌, ଇନ୍ସ୍ୟୁରାନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଆଦି ଯାଞ୍ଚ କରାଯାଉଛି । ପିଲାମାନେ କିଭଳି ସ୍କୁଲକୁ ସୁରକ୍ଷିତ ଭାବେ ଯାଇ ପାଠ ପଢ଼ି ଘରକୁ ଫେରିବେ, ସେଥିପ୍ରତି ସରକାର ଯତ୍ନବାନ୍ ଥିଲାବେଳେ କେତେକ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମାନି ଓ ଉଦାସୀନତା ଯୋଗୁ ବେଳେବେଳେ ଅକାଳରେ ପିଲାଙ୍କ ଜୀବନ ଯାଉଥିବାର ଦେଖାଯାଉଛି । ଶନିବାର ପଥରଗାଡ଼ିଆ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି । ଅନେକ ସ୍ୱପ୍ନ ନେଇ ଅଭିଭାବକମାନେ ତାଙ୍କ ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱରେ ଛାଡ଼ୁଥିବା ବେଳେ ସେମାନଙ୍କ ବେପରୁଆ ମନୋବୃତ୍ତି ଅନେକ ସମୟରେ ବିପଦକୁ ଡାକି ଆଣୁଥିବା ଦେଖିବାକୁ ମିଳୁଛି । ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭି ସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦିଗନ୍ତ କୁମାର ଦାସ(୧୮) ଓ ଛାତ୍ରୀ ଆୟେଶାଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ତା’କୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ଛିଡା ହୋଇଛି । ସ୍କୁଲ ସମୟ ୮.୪୫ରୁ ଅପରାହ୍ନ ୩.୩୦ ଥିବାବେଳେ ଦୁର୍ଘଟଣା ଦିନ ୨ଟା ବେଳେ ଘଟିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସ୍କୁଲ ସମୟ ଭିତରେ ସେମାନେ ବାହାରକୁ ଆସିଲେ କିପରି ? ଦୁର୍ଘଟଣା ସ୍ଥଳରେ ସେମାନେ ୟୁନିଫର୍ମ ପିନ୍ଧିଥିବାରୁ ସେମାନେ ସ୍କୁଲରୁ ହିଁ ବାହାରକୁ ଆସିଛନ୍ତି ବୋଲି ଦୃଢ଼ ନିଶ୍ଚିତ । ଯଦି ସେମାନେ ବାହାରକୁ ଆସିଲେ, ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଛୁଟି ଦରଖାସ୍ତ ଦେଇଥିଲେ କି ? ଯଦି ବିନା ଦରଖାସ୍ତରେ ଛୁଟିରେ ପିଲା ରୁହନ୍ତି, ତେବେ ଅଭିଭାବକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଜଣାଇବା କଥା । ଏସବୁ ଉକ୍ତ ସ୍କୁଲ ପକ୍ଷରୁ କରାଯାଇଛି କି ? ଏବେ ଏହା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ପାଇଁ ଏହା ନୂଆ ଘଟଣା ନୁହେଁ । ପୂର୍ବରୁ ଛାତ୍ରଛାତ୍ରୀମାନେ ଛାତ ଉପରେ କିମ୍ବା କ୍ଲାସ୍‌ ସରିବା ପରେ କ୍ଲାସରୁମ୍ ଭିତରେ ଅନୈତିକ କାର୍ଯ୍ୟ କରିବା, ଛାତ୍ର ଉପରୁ ପଡ଼ି ଜୀବନ ଯିବା ଭଳି ଅନେକ ଘଟଣା ଘଟିଛି । ତଥାପି ସ୍କୁଲ କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ସେମାନଙ୍କ ଖାମଖିଆଲି ମନୋଭାବ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଶନିବାର ଅପରାହ୍ନ ୨ଟା ବେଳେ ଚନ୍ଦକା ପଥରଗାଡିଆ ଶିବ ମନ୍ଦିର ନିକଟସ୍ଥ ନିଛାଟିଆ ରାସ୍ତାରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ର ଦିଗନ୍ତ କୁମାର ଦାସ(୧୮) ଓ ଛାତ୍ରୀ ଆୟେଶା ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଦିଗନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆୟେଶା ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆୟେଶାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ଦୈନିକ ଖବରକାଗଜ ‘ଡୁମାଣୀ ଖବର’, ‘ଡୁମାଣୀ ମେଲ୍‌’ ଓ ‘ଡୁମାଣୀ ଟିଭି’ । ଏକ ଦାୟିତ୍ୱବାନ୍ ଗଣମାଧ୍ୟମ ଭାବେ ସମାଜକୁ ଠିକ୍ ବାଟରେ ନେବା ହେଉଛି ଆମର କର୍ତ୍ତବ୍ୟ । ତେଣୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ । ଯେପରି ଆଗକୁ ଏହିଭଳି ଖାମଖିଆଲି ଓ ଅବହେଳା ନୀତି ଯୋଗୁ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ଜୀବନ ହରାଇବାକୁ ନପଡେ, ସେଥିପାଇଁ ସମସ୍ତ ବୁଦ୍ଧିଜୀବୀ, ଅଭିଭାବକ, ସଂଗଠନ, ପ୍ରଶାସନ ଓ ସାଧାରଣ ଲୋକେ ଯତ୍ନବାନ୍ ଓ ସଚେତନ ହେବା ଉଚିତ । ଅନ୍ୟଥା କିଛି ଶିକ୍ଷାନୁଷ୍ଠାନର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ କେତେ ଯେ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ଯିବ ତାହା କହିହେବ ନାହିଁ । ପଥରଗାଡ଼ିଆ ଦୁର୍ଘଟଣାର ସଠିକ୍ ତଦନ୍ତ କରି ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.