୨୦୩୦ ସୁଦ୍ଧା ୧୪୦ ନିୟୁତ ଟନ୍‌ କୋକିଂ କୋଲ୍ ଉତ୍ପାଦନ ଲକ୍ଷ୍ୟ

0 73

ନୂଆଦିଲ୍ଲୀ,୨୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ କୋଇଲା ମନ୍ତ୍ରାଳୟ ୨୦୩୦ ସୁଦ୍ଧା ୧୪୦ ନିୟୁତ ଟନ୍ କୋକିଂ କୋଲ୍ ଉତ୍ପାଦନ ଲକ୍ଷ୍ୟ ରଖିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ମୋଟ ୫୧.୭ ନିୟୁତ ଟନ୍ କୋକିଂ କୋଲ ଉତ୍ପାଦନ କରିଛି । ୨୦୨୦-୨୧ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ । ୨୦୨୧ ମେ ମାସରେ ୬.୯ ନିୟୁତ ଟନ କୋକିଂ କୋଲ୍‌ ଉତ୍ପାଦନ ହୋଇଥିଲା । ୨୦୨୨ ମେ\’ରେ ଏଥିରେ ୨୦ ପ୍ରତିଶତ ବୃଦ୍ଧି ଘଟି ୮.୩ ନିୟୁତ ଟନ ରହିଛି । ଦେଶରେ ସଂପ୍ରତି କୋକିଂ କୋଲ୍‌ ୱାସିଂ କ୍ଷମତା ପ୍ରାୟ ୨୩ ନିୟୁତ ଟନ ରହିଛି । ଏଥିରେ ଘରୋଇ କ୍ଷେତ୍ରର କ୍ଷମତା ୯.୨୬ ନିୟୁତ ଟନ । ତେବେ କୋଲ୍ ଇଣ୍ଡିଆ ଲିମିଟେଡ ୯ଟି ନୂଆ ୱାସେରି କାର୍ଯ୍ୟକ୍ଷମ କରିବା ଯୋଜନା ରଖିଛି । ସେଗୁଡ଼ିକର ବାର୍ଷିକ ଉତ୍ପାଦନ କ୍ଷମତା ୩୦ ନିୟୁତ ଟନ । ଇସ୍ପାତ କ୍ଷେତ୍ରକୁ କୋଲ ଇଣ୍ଡିଆ ଲିମିଟେଡ ପ୍ରାୟ ୧୫ ନିୟୁତ ଟନ କୋକିଂ କୋଲ୍ ଯୋଗାଇ ଦେବ । ଫଳରେ ଦେଶର କୋକିଂ କୋଲ୍ ଆମଦାନି ହ୍ରାସ ପାଇବ । ୨୦୨୧-୨୨ରେ କୋଲ ଇଣ୍ଡିଆ ଲିମିଟେଡ ୧.୭ ନିୟୁତ ଟନ କୋକିଂ କୋଲ୍ ଇସ୍ପାତ କ୍ଷେତ୍ରକୁ ଯୋଗାଇ ଥିବାବେଳେ ୨୦୨୨-୨୩ ପାଇଁ ୩.୪୫ ନିୟୁତ ଟନ୍ ଯୋଗାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି । କୋକିଂ କୋଲ୍ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କୋଇଲା ମନ୍ତ୍ରାଳୟ ଗତ ୨ ବର୍ଷରେ ୧୦ଟି କୋଇଲା ବ୍ଲକ ନିଲାମ କରିଛି । ଏଗୁଡ଼ିକରୁ ଉତ୍ପାଦନ ୨୦୨୫ ସୁଦ୍ଧା ଆରମ୍ଭ ହେବା ନେଇ ଆଶା ରହିଛି । କୋଲ୍ ଇଣ୍ଡିଆ ବର୍ତ୍ତମାନର ଖଣିଗୁଡ଼ିକରୁ କୋକିଂ କୋଲ୍ ଉତ୍ପାଦନ କ୍ଷମତା ୨୬ ନିୟୁତ ଟନକୁ ବୃଦ୍ଧି କରିବା ଯୋଜନା ରଖିଛି ।

Leave A Reply

Your email address will not be published.