ବଡ଼ଧରଣର ପୁଞ୍ଜି ପାଇଁ ଦୁବାଇରେ ନବୀନ, ନିବେଶର ପ୍ରମୁଖ ଡେଷ୍ଟିନେସନ୍ ଓଡ଼ିଶା

0 69

ଭୁବନେଶ୍ୱର, ୨୭ା୬(ଡିକେ ନ୍ୟୁଜ): ଆଉ ଦିନକ ପରେ ଦୁବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍ । ଓଡ଼ିଶାକୁ ବଡ଼ଧରଣର ପୁଞ୍ଜି ଆଣିବା ପାଇଁ ଏବେ ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୯ରେ ଦୁବାଇରେ ଓଡ଼ିଆ ଇନ୍‌ଭେଷ୍ଟର୍ସ ମିଟ୍‌ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଦୁବାଇ ସାରା ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର ଲଗାଯାଇଛି । ପୂର୍ବତନ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଏକ ପ୍ରତିନିଧି ମଣ୍ଡଳୀ ଧରି ଆବୁଧାବି ଯାଇଥିଲେ । ସାରା ଦେଶରେ ଶିଳ୍ପ ସଂସ୍ଥାଙ୍କ ନିବେଶ ଲାଗି ଅନ୍ୟତମ ପ୍ରମୁଖ ଡେଷ୍ଟିନେସନ୍ ପାଲଟିଛି ଓଡ଼ିଶା । ଗତ ଦୁଇ ଦଶନ୍ଧି ଭିତରେ ଓଡ଼ିଶା ପୂର୍ବ ଭାରତର ମ୍ୟାନୁଫାକଚ୍‌ରିଂ ହବ୍ ହୋଇଛି । ଆସନ୍ତା ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ପୂର୍ବରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପ୍ରତିରୋଧୀ କାର୍ଯ୍ୟକ୍ରମ ପ୍ରସ୍ତୁତି, ଖାଦ୍ୟ ସୁରକ୍ଷା, ଶିକ୍ଷାରେ ରୂପାନ୍ତରୀକରଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କେବଳ ଦେଶର ଅନ୍ୟ ରାଜ୍ୟ ନୁହେଁ; ଅନେକ ବିଦେଶୀ ରାଷ୍ଟ୍ର ପାଇଁ ଉଦାହରଣ ପାଲଟିଛି । ଏହିକ୍ରମରେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସମୃଦ୍ଧ କରିବା ନିମନ୍ତେ ଶିଳ୍ପାୟନ ଓ ପୁଞ୍ଜି ନିବେଶ ଉପରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିର ସରକାର, ସୁସ୍ଥ ଶିଳ୍ପ ନୀତି ଓ ନିବେଶ ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶା ଦେଶବିଦେଶର ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି । ଆଇଟି, ପେଟ୍ରୋ କେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଧାତବ ଶିଳ୍ପ, ବୟନ ଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନିବେଶ ନିମନ୍ତେ ଦେଶର ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏପରିକି କୋଭିଡ଼ ସମୟରେ ମଧ୍ୟ ଓଡ଼ିଶାକୁ ଆସିଛି ବିପୁଳ ପୁଞ୍ଜି ।ଏହି ନିବେଶର ଆଉ ଏକ ଅଧ୍ୟାୟ ଏବେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ରୋମ୍ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ପହଞ୍ଚିଛନ୍ତି ଏବଂ ରାଜ୍ୟ ଓ ଦେଶର ବହୁ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ବହୁ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ । ଏକ ଆର୍ଥିର୍କ ଦୁର୍ବଳ ରାଜ୍ୟକୁ ସବଳ ରାଜ୍ୟରେ ପରିଣତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୫ରୁ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏକ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ପଥ ପରିଷ୍କାର କରିଥିଲା । ନିଅଣ୍ଟିଆ ରାଜ୍ୟ ଓଡ଼ିଶା ୨୦୧୦ ବେଳକୁ ଆର୍ଥିର୍କ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାକୁ ସକ୍ଷମ ହୋଇଥିଲା ଏବଂ ରାଜ୍ୟ ସରକାର ସମତୁଲ ବଜେଟ୍‌ ପ୍ରସ୍ତୁତ କରିବାକୁ ସମର୍ଥ ହୋଇଥିଲେ । ମାତ୍ର ୨୦୧୦ ମସିହା ପରେ ରାଜ୍ୟରେ ଶିଳ୍ପାୟନର ଦ୍ରୁତ ଯାତ୍ରା ଆରମ୍ଭ ହୋଇଥିଲା । ୨୦୧୬ ଓ ୨୦୧୮ରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ବିପୁଳ ନିବେଶର ପଥ ସୁଗମ ହୋଇଥିଲା । ଜାପାନ, ଚୀନ, ଇଟାଲୀ, ଜର୍ମାନୀ, ସାଉଦୀ ଆରବ, ଦକ୍ଷିଣ କୋରିଆ ସମେତ ରେଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌, ବିର୍ଲା, ଟାଟା ସନ୍ସ ଆଦି କମ୍ପାନୀଗୁଡ଼ିକୁ ମଧ୍ୟ ପାଖାପାଖି ୫ ଲକ୍ଷ କୋଟି ଟଙ୍କାର ନିବେଶ ନିମନ୍ତେ ପ୍ରତିଶ୍ରୁତିଦେଇଥିଲେ । ସେହିପରି କୋଭିଡ୍ ସମୟରେ ଓଡ଼ିଶାରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ବିଭିନ୍ନ ନିବେଶ ହୋଇ ପାରିଥିଲା । ଏହି ନିବେଶ ରାଜ୍ୟକୁ ଆର୍ଥିକ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଯୁବକମାନେ ରାଜ୍ୟର ସମ୍ଭାବନା ବୋଲି ମୁଖ୍ୟମନ୍ତ୍ରୀ ସର୍ବଦା କହି ଆସିଛନ୍ତି । ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଉଛନ୍ତି । ଯୁବପିଢ଼ି ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଶିଳ୍ପାୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନିବେଶକ ସମ୍ମେଳନ ଏହି ଦୃଷ୍ଟିରୁ ବହୁ ଗୁରୁତ୍ୱବହନ କରୁଛି । ଶିଳ୍ପ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏକକ ବାତାୟନ ବ୍ୟବସ୍ଥା, ଜମି ଯୋଗାଣ ନିମନ୍ତେ ସ୍ୱତନ୍ତ୍ର ନୀତି, ବିଦ୍ୟୁô ଓ ଜଳ ଯୋଗାଣ ନିମନ୍ତେ ସରଳ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଅବଗତ କରିବେୟ ଏହା ସହ ଓଡ଼ିଶାରେ ନିବେଶ ନିମନ୍ତେ ବିଦେଶୀ ଶିଳ୍ପପତି, ପ୍ରବାସୀ ଓଡ଼ିଆ ଓ ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାକୁ ନିମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି । ଦୁବାଇର ଓବରୟ ହୋଟେଲଠାରେ ଅନୁଷ୍ଠିତ ଏହି ସମାବେଶରେ ବିଦ୍ୟୁତ୍‌, ରିଫାଇନାରୀ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ ଶିଳ୍ପ ସହ ରିୟଲ ଇଷ୍ଟେଟ୍‌, ରାସାୟନିକ ଶିଳ୍ପ, ଇସ୍ପାତ ଓ ଆନୁସଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ବିଭିନ୍ନ ନିବେଶକମାନଙ୍କ ସହ ଆଲୋଚନା ହେବ । ଦେଶ ବିଦେଶର ନିବେଶକଙ୍କ ସହ ଓଡ଼ିଶାର ଏକ ଶିଳ୍ପ ପ୍ରତିନିଧିଦଳ ମଧ୍ୟ ଏହି ସମ୍ମେଳନରେ ଯୋଗଦେବେ । ସୂଚନା ଅନୁସାରେ ଓଡ଼ିଶାରୁ ଇମ୍ଫା, ଟାଟା, ବେଦାନ୍ତ, ଆଇଓସିଏଲ୍ ପରି ବଡ଼ବଡ଼ ଶିଳ୍ପ ସଂସ୍ଥା ଯୋଗ ଦେବେ । ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଇସ୍ପାତ କାରଖାନା ସ୍ଥାପନ ନିମନ୍ତେ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ଜେଏସ୍‌ଡବ୍ଲ୍ୟୁ ଓ ନିପ୍ପନ ଷ୍ଟିଲ୍ ମଧ୍ୟ ଏହି ସମାବେଶରେ ଯୋଗ ଦେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.