ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ନବୀନ

0 78

ପୁରୀ, ୧ା୭(ଡିକେ ନ୍ୟୁଜ): ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ ପରିଦର୍ଶନ କରିଛନ୍ତି । କେତେ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି? ପରିକ୍ରମା ପ୍ରକଳ୍ପ ମ୍ୟାପ୍ ଦେଖି ନିର୍ମାଣ କାର୍ଯ୍ୟର ଅଗ୍ରଗତି ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଯାହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି । ଦକ୍ଷିଣ ଦ୍ୱାର ପାଖରେ ୯୦ପ୍ରତିଶତ ନିର୍ମାଣ କାମ ଶେଷ ହୋଇଛି । ସେହିପରି ସେଲ୍ଟର ପାଭିଲିୟନ୍‌ ବୁଲି ଦେଖିବା ସହ ପାଖାପାଖି ୧୫ମିନିଟ୍‌ ଧରି ନିର୍ମାଣ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାସ୍ତବ ରୂପ ନେଉଛି ନବୀନଙ୍କ ଶ୍ରୀକ୍ଷେତ୍ର ନବକଳେବର ସ୍ୱପ୍ନ । ପରିକ୍ରମା ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକୀକରଣ କରାଯାଇଛି । ପ୍ରକଳ୍ପ କାମ ଚାଲିଥିବା ବେଳେ ଏବେଠୁ ଆକର୍ଷଣର କେନ୍ଦ୍ର ପାଲଟିଛି । ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଆହୁରି ଚିତ୍ତାକର୍ଷକ ହେବ । ଫାଷ୍ଟଟ୍ରାକ୍‌ରେ ଚାଲିଛି ପରିକ୍ରମା ପ୍ରକଳ୍ପ କାମ । ଆସନ୍ତା ୯ମାସ ମଧ୍ୟରେ କାମ ସାରିବାକୁ ଟାର୍ଗେଟ୍‌ ରଖାଯାଇଛି । ଐତିହ୍ୟ ପ୍ରକଳ୍ପ କାମ ସରିଲେ ଶ୍ରୀଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ରୀତିନୀତି ଓ ପର୍ବପର୍ବାଣୀ ଅତି ସହଜରେ ପାଳନ ହେବ । ପରିକ୍ରମା ପ୍ରକଳ୍ପରେ ପାଞ୍ଚଟି ଜୋନ୍ ରହିଛି । ପ୍ରବେଶ ନିଷେଧ ଜୋନ୍‌, ଭିତର ପ୍ରଦକ୍ଷିଣ ଜୋନ୍‌, ଶ୍ରୀମନ୍ଦିର ପରିସର, ବାହାର ପ୍ରଦକ୍ଷିଣ ଜୋନ୍‌, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ଜୋନ୍‌ କରାଯାଇଛି । ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବଦେବୀଙ୍କ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ପରିକ୍ରମା ପାଇଁm ବ୍ୟବହାର କରାଯିବ । ସବୁଜ ବଳୟରେ କଳାକୃତିରେ ଝଲସିବ ଶ୍ରୀଜଗନ୍ନାଥ ସଂସ୍କୃତିର ଝଲକ । ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩୧.୨୮କୋଟି ଟଙ୍କା ଖର୍ଚ୍ଚ ହେଉଛି ।

Leave A Reply

Your email address will not be published.