ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ୨ଲକ୍ଷ କୋଟି ଟପିପାରେ ବଜେଟ୍ ଆକାର

0 80

ଭୁବନେଶ୍ୱର, ୦୧ା୭ (ଡିକେ ନ୍ୟୁଜ୍‌): ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନ ଆସିବ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଗତ ମାର୍ଚ୍ଚ ମାସରେ ବର୍ଷର ପ୍ରଥମ ଚାରିମାସ ପାଇଁ ଲେଖାନୁବାଦ ଆଗତ କରାଯାଇଥିଲା । ଏହି କାମଚଳା ବଜେଟ୍‌ ଆଗତ ବେଳେ ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ପରିମାଣ ୨ଲକ୍ଷ କୋଟି ଟଙ୍କା ଆକଳନ କରିଛନ୍ତି । ଏହି ବଜେଟ୍ ବଢ଼ି ୨ଲକ୍ଷ ୧୦ହଜାର କୋଟି ଟଙ୍କା ହୋଇପାରେ ବୋଲି ସୂଚନା ମିଳିଛି । ବଜେଟ୍‌ରେ ଲୋକାଭିମୁଖୀ ଯୋଜନାକୁ ଗୁରୁତ୍ୱ ଦିଆଯିବା ସହିତ ମହିଳା, ଶିଶୁ, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ବିକାଶ ଓ କୃଷିକୁ ଅଗ୍ରାଧିକାର ଦିଆଯିବ । ଗତ ମାର୍ଚ୍ଚରେ ୧ଲକ୍ଷ ୬ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍ ଆଗତ ହୋଇଥିଲା । ସେ ସମୟରେ ରାଜ୍ୟ ସରକାର ସମୁଦାୟ ବଜେଟ୍‌ର ମାନ ୨ଲକ୍ଷ କୋଟି ହେବ ବୋଲି ଆକଳନ କରିଥିଲା । କିନ୍ତୁ ଏବେ ବଜେଟ୍ ଆକାର ଗତବର୍ଷ ତୁଳନାରେ ୧୭ ପ୍ରତିଶତ ବୃଦ୍ଧି ପାଇବ । ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ବିକାଶ, କୃଷି, ଦକ୍ଷତା ବିକାଶ ଓ ଜନକଲ୍ୟାଣକାରୀ ଯୋଜନାକୁ ଅଗ୍ରାଧିକାର ଦିଆଯିବ । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଆକଳନ କରାଯାଇଛି । ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୧୨ହଜାର କୋଟି, ବିପର୍ଯ୍ୟୟ ମୁକାବିଲା ପାଇଁ ୩୨୦୦ କୋଟି ବ୍ୟୟବରାଦ କରାଯାଇଛି । ଆସନ୍ତାକାଲି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ । ଗତବର୍ଷ ଭଳି ଏଥର ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ବଜେଟ୍ ଆସିବ । ଆର୍ଥିକ ସୁପରିଚାଳନା ଯୋଗୁ ରାଜ୍ୟର ଋଣଭାର ନିନ୍ତ୍ରଣାଧୀନ ଥିବା ବେଳେ ଗତ କିଛିବର୍ଷ ଧରି କ୍ରମାଗତ ଭାବେ ରାଜସ୍ୱ ବଳକା ବଜେଟ୍ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.