ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦେହାନ୍ତ

0 77

ଭୁବନେଶ୍ୱର,୧ା୭(ଡିକେ ନ୍ୟୁଜ): ପବିତ୍ର ଘୋଷଯାତ୍ରା ଅବସରରେ ଆସିଛି ଏକ ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା । ଦୈନିକ ଖବର କାଗଜ \”ସମୟ\’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ ଫଟୋ ସାମ୍ବାଦିକ ଅଶୋକ କୁମାର ପଣ୍ଡା । ସେ ପୁରୀ ଯାଉଥିଲେ ଘୋଷଯାତ୍ରା ଅବସରରେ ଫଟୋ ଉଠାଇବା ପାଇଁ । ଭୋର ପ୍ରାୟ ୫ଟା ବେଳେ ସେ ବାଇକ୍ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ ସାତଶଙ୍ଖ ନିକଟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଗୁରୁତର ଅବସ୍ଥାରେ ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଶୋକ ପଣ୍ଡା \”ସମୟ\’ ବ୍ୟତୀତ ବହୁ ପ୍ରତିଷ୍ଠିତ ଖବରକାଗଜରେ ଫଟୋ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ । ସେ ଇଷ୍ଟର୍ନ ପ୍ରେସ୍ ଏଜେନ୍ସୀରୁ ଫଟୋ ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏଠାରେ ସେ ୧୯୮୪ରୁ ୧୯୯୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୬ରେ ସେ ଦୈନିକ ଖବର କାଗଜ \”ସମୟ\’ରେ ଯୋଗ ଦେଇଥିଲେ । ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ସେ ଦି ଏସିଆନ୍ ଏଜ୍ ଓ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ଦି ଟାଇମ୍ସ ଅଫ୍ ଇଣ୍ଡିଆକୁ ମଧ୍ୟ ଫଟୋ ଦେଉଥିଲେ । ଏହା ସହିତ ସେ ନିଉଜଟାଇମ୍ସ, ଇନାଡୁ ଓ ସନ୍‌ମାର୍ଗକୁ ଫଟୋ ଦେଉଥିଲେ । ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ । ଅଶୋକ ପଣ୍ଡାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.