ପିତୃପୁରୁଷଙ୍କ ପ୍ରିୟ ଆଡ଼ପ ଅଭଢ଼ା

0 86

ନୀଳଗିରି ଏବେ ଶୂନ୍ୟ ପଡ଼ିଥିବା ବେଳେ ହସି ଉଠୁଛି ସୁନ୍ଦରାଚଳ ଜନକପୁରୀରେ ଲାଗିଛି ଗହଳଚହଳ । ବିଜେ କାହାଳି ବାଜିବା ପରେ ଘଣ୍ଟ ଘଣ୍ଟା ମର୍ଦ୍ଦଳ, ଛତ, ତରାସ, ବାଜ, ବୈଜୟନ୍ତ୍ରୀର ରାଜକୀୟପଟୁଆରରେ ହଲିଝୁଲି ରଥରୁ ଓହ୍ଲାଇଥିଲେ ଓଡ଼ିଆ ଜାତିର ସମ୍ରାଟ କଳା ସାଆନ୍ତ ପ୍ରଭୁ ଜଗନ୍ନାଥ । ଏହି ଗୁଣ୍ଡିଚା ମନ୍ଦିରକୁ କେତେକ ଭକ୍ତ ଭୁଲ ବଶତଃ ମାଉସୀ ମା ମନ୍ଦିର ବୋଲି କହିଥାନ୍ତି । ବାସ୍ତବରେ ଏହା ହେଉଛି ପ୍ରଭୁଙ୍କ ଜନ୍ମସ୍ଥାନ । ସ୍କନ୍ଧ ପୁରାଣ ଓ ନୀଳାଦ୍ରୀ ମହୋଦୟ ଅନୁସାରେ ଏହାକୁ ନରସିଂହ କ୍ଷେତ୍ର ବୋଲି କୁହାଯାଇଥାଏ । ପ୍ରଭୁ ନୀଳକଣ୍ଠେଶ୍ୱର ମହାଦେବଙ୍କ ଦକ୍ଷିଣରେ ଅବସ୍ଥିତ ଏହି ପବିତ୍ର କ୍ଷେତ୍ରରେ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ଠାରେ ହିଁ ଯଜ୍ଞଶାଳା ନିର୍ମାଣ କରିବା ସହ ଯଜ୍ଞ ନୃସିଂହଙ୍କୁ ପ୍ରତିଷ୍ଠା କରିଥିଲେ । ସେହି ଯଜ୍ଞବେଦୀରେ ଏବେ ଚତୁର୍ଦ୍ଧାମୂର୍ତ୍ତି ବିଦ୍ୟମାନ କରିଛନ୍ତି । ନୀଳାଦ୍ରୀ ମଣ୍ଡପରେ ବର୍ଷ ବର୍ଷ ଧରି ଦର୍ଶନ କଲେ ଯେତିକି ପୂର୍ଣ୍ଣ ଲାଭ ହୁଏ, ଆଡ଼ପ ମଣ୍ଡପରେ ଏହି ସାତ ଦିନ ଦର୍ଶନରେ ସେତିକି ପୂଣ୍ୟଲାଭ ହୋଇଥାଏ । ଆଡ଼ପ ମଣ୍ଡପରେ ବିଜେ କରିବାପରେ ପ୍ରଭୁଙ୍କୁ ପୁଣି ଅନ୍ନ ବ୍ୟଞ୍ଜନ ନୈବେଦ୍ୟ କରାଯାଉଛି । ଭୋଗ ପ୍ରସ୍ତୁତ ହୋଇ ସାରିବା ପରେ ନୀତି ଅନୁସାରେ ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଅର୍ପଣରେ ଗର୍ଭଗୃହ ବା ବିମାନଗୃହ ସଂଲଗ୍ନ ଜଗମୋହନରେ ବିମଳାଙ୍କା ସ୍ଥିତି କଳ୍ପନା କରାଯାଇଥିବାରୁ ସେଠାରେ ନୈବେଦ୍ୟ ସମର୍ପିତ ହୁଏ । ମାତ୍ର ଗୁଣ୍ଡିଚା ମନ୍ଦିର ଯଜ୍ଞବେଦୀ ହୋଇଥିବାରୁ ଏଠାରେ ବିମଳା ସମର୍ପଣ ସେତେଟା ପରିଗୃହିତ ହୋଇନଥାଏ । ଶ୍ରୀମନ୍ଦିରସ୍ଥିତ ବିମଳା ମନ୍ଦିରକୁ ଥାଳିଏ ଅନ୍ନ ଭୋଗ ପଠାଯାଇ ସାରିବାପରେ ପରିବେଷଣ ଇତ୍ୟାଦି ଆରମ୍ଭ ହୁଏ । ଏହି ପ୍ରସାଦକୁ ଭକ୍ତମାନେ ଆଡ଼ପ ଅଭଡ଼ା ବୋଲି କହିଥାନ୍ତି । ଶ୍ରୀକ୍ଷେତ୍ରର ଅନ୍ୟନାମ ମର୍ତ୍ତ୍ୟବୈକୁଣ୍ଠ । ମା\’ଲକ୍ଷ୍ମୀ ନୈବେଦ୍ୟକୁ ରନ୍ଧନ କରିଥାନ୍ତି । ବିଷ୍ଣୁଙ୍କୁ ଅର୍ପିତ ନୈବେଦ୍ୟରୁ କଣିକାଏ ପ୍ରାପ୍ତ କରିବା ପାଇଁ ବିପ୍ର ଓ ଦେବତା ମାନଙ୍କ ପାଇଁ ଦୁର୍ଲ୍ଳଭ ଘଟିଥାଏ । ପଦ୍ମପୁରାଣରେ ଲେଖାଅଛି \”ତତ୍ରାନ୍ନ ପାଚିକା ଲକ୍ଷ୍ମୀଃ ସ୍ୱୟଂଭୋକ୍ତାଜନାର୍ଦ୍ଦନଃ, ତସ୍ମାତ୍ତଦନ୍ନଂ ବିପ୍ରର୍ଷେ ଦୈବତୈରପି ଦୁର୍ଲଭମ୍ ।\’ ମହାପ୍ରସାଦ, ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତାର ମୂର୍ତ୍ତିମନ୍ତ ପ୍ରତୀକ, ସେଥିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ମହାପ୍ରସାଦ । ଶ୍ରୀଚୈତନ୍ୟ ମହାପ୍ରଭୁ ମହାପ୍ରସାଦର ମାହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି – \”ଆଜିମୋର ପୂର୍ଣ୍ଣହୈଲ ସବ ଅଭିଳାଷ, ସାର୍ବଭୌମେର ହୈଲ ମହାପ୍ରସାଦ.. ବିଶ୍ୱାସ । ଆଜି ନିଷ୍କପଟେ ତୁମି ହେଲା କୃଷ୍ଣାଶ୍ରୟ, କୃଷ୍ଣ ନିଷ୍କପଟେ ହେଲା ତୋମାର ସଦୟ । ଆଜିସେ ଖଣ୍ଡିଲ ତୋମୋର ଦେହାଦି ବନ୍ଧନ, ଆଜି ଛିନ୍ନ କୈଲେତୁମି ମାୟାର ବନ୍ଧନ । ଆଜି କୃଷ୍ଣପ୍ରାପ୍ତି ଯୋଗ୍ୟ ହୈଲ ତୋମାରମନ, ବେଦ ଧର୍ମ ଲଙ୍ଘି କୈଲ ପ୍ରସାଦ ଭକ୍ଷଣ ।\’ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଅର୍ପିତ ନୈବେଦ୍ୟ ମହାପ୍ରସାଦର ଭୈରବୀଚକ୍ରର ମାହାତ୍ମ୍ୟ ହେତୁ ନଥାଏ ଶୋଚାଶୌଚ, ଭକ୍ଷାଭକ୍ଷ, ଛୁଆଁଅଛୁଆଁ ଭେଦଭାବ । ପ୍ରାଣତୋଷିଣି ତନ୍ତ୍ର ସ୍ୱୀକାରକରେ ଗଙ୍ଗାବାରି ପଛେ ଅପବିତ୍ର ହୋଇପାରେ, ଶିବଙ୍କୁ ଅର୍ପିତ ପ୍ରସାଦରେ ଛୁଆଁ ଦୋଷ ଲାଗିପାରେ ମାତ୍ର ପରଂବ୍ରହ୍ମ ନୀଳାଚଳ ନିବାସୀ ଶ୍ରୀଜଗନ୍ନାଥଙ୍କ ଠାରେ ଅର୍ପିତ ଦ୍ରବ୍ୟ ଛୁଆଁଅଛୁଆଁ ଦୋଷରେ ଦୂଷିତ
ହେବନାହିଁ । ଶାସ୍ତ୍ରରେ ଉଲ୍ଲେଖ ରହିଛି – \”ଗଙ୍ଗାତୋୟେ ଶିବାଦୌଚ ସ୍ପର୍ଶ ଦୋଷାଽପି ବର୍ତ୍ତତେ । ପରଂବ୍ରହ୍ମାର୍ପିତେ ଦ୍ରବ୍ୟେ ସ୍ପୃଷ୍ଟାସ୍ପୃଷ୍ଟର୍ନ ଦୁଷ୍ୟତି, ନାତ୍ରବର୍ଣ୍ଣ ବିଚାରୋଽସ୍ତି ନୋଚ୍ଛିଷ୍ଟାଦି ବିଚାରଣମ୍ । ନ କାଳ ନିୟମୋଽପ୍ୟତ୍ର ଶୌଚାଶୌଚଂ ତଥୈବଚ ।\’ ଶୁଷ୍କ ଅର୍ନ୍ନ ମହାପ୍ରସାଦ ସର୍ବସାଧାରଣରେ ନିର୍ମାଲ୍ୟ ନାମରେ ସୁପରିଚିତ । ଶ୍ରୀମନ୍ଦିର ବାହାର ବେଢ଼ା ପରିସରସ୍ଥ ଦକ୍ଷିଣ- ପଶ୍ଚିମକୋଣରେ ନୀଳାଚଳ ଉପବନ ମଧ୍ୟରେ ନିର୍ମାଲ୍ୟ ମଣ୍ଡପ ବା ନିର୍ମାଲ୍ୟ ଖଳା ରହିଛି । ଶୁଷ୍କ ମହାପ୍ରସାଦର ନିର୍ମାଲ୍ୟ ନାମକରଣ ନେଇ ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି – \”ପୁଷ୍ପ ଚନ୍ଦନ ମାଲ୍ୟାଦି ୟଃ ଅଙ୍ଗୈରୁପଧାର୍ଯ୍ୟତେ, ଅପନୀତଂ ଯଥାକାଳେ ନିର୍ମାଲ୍ୟଂ ତତ୍ ପ୍ରକୀର୍ତ୍ତିତମ୍ ।\’ ଶ୍ରୀକ୍ଷେତ୍ରରେ ଏବେ ଶହ ଶହ ଭକ୍ତ, ସାଧୁସନ୍ଥ ଓ ସନ୍ୟାସୀମାନେ ନବଦିନ ବ୍ରତ ପାଳନ କରୁଛନ୍ତି । ଏହି ବ୍ରତ ପାଳନକାରୀମାନେ ଆଡ଼ପ ଅଭଡ଼ା ସେବନ କରିବା ସହ ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଭକ୍ତଗଣ ଆଡ଼ପ ଅଭଡ଼ା ଅର୍ପଣ କରିଚାଲିଛନ୍ତି । ଶ୍ରୀମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ଥିବା ରୋଷଘରେ ଏହି ଅଭଡ଼ା ପ୍ରସ୍ତୁତ ହେଉଛି । ମାତ୍ରାଧିକ ଦର ସତ୍ତ୍ୱେ ଭକ୍ତମାନେ ବହୁ ସଂଖ୍ୟାରେ ଆଡ଼ପ ଅଭଡ଼ା କିଣିଥିବା ପରିଲକ୍ଷିତ ହେଉଛି । ମହାପ୍ରଭୁ ଅଗ୍ରଜ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ଘରେ ଥିବା ସମୟରେ ଆଡ଼ପ ଅଭଢ଼ା ଭକ୍ତଜନଙ୍କ ପାଇଁ ଦୁର୍ମୂଲ୍ୟ ହୋଇଥାଏ । କେହି କେହି ଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଏହି ଆଡ଼ପn ଅଭଢ଼ା ଅତିରିକ୍ତ ମୂଲ୍ୟ ହୋଇଥିଲେ ବି କିଣି ଗରିବ ଅସହାୟ ଲୋକମାନଙ୍କୁ ବାଣ୍ଟିଥାନ୍ତି ତ କେହି କେହି ବ୍ରାହ୍ମଣ ମାନଙ୍କୁ ଭୋଜନ ଦେଇ ଅଶେଷ ପୂଣ୍ୟ ଅର୍ଜନ କରିଥାନ୍ତି । ଶାସ୍ତ୍ରରେ କୁହାଯାଇଛି ଆଡ଼ପ ଅଭଢ଼ା ସ୍ୱୟଂ ନିର୍ମାଲ୍ୟତୁଲ୍ୟ । ଏହାକୁ ଟିକିଏ ପାଇବା ପାଇଁ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ବିଭିନ୍ନ ରାଜ୍ୟ, ବିଭିନ୍ନ ପ୍ରାନ୍ତରରୁ ଛୁଟି ଆସିଥାନ୍ତି । ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ ।
ସୌର ଚନ୍ଦ୍ର ମହାପାତ୍ର, ବରିଷ୍ଠ ଆଇନଜୀବୀ, ଓଡ଼ିଶା
ହାଇକୋର୍ଟ, କଟକ, ଦୂରଭାଷ : ୯୪୩୭୦୦୪୪୬୬

Leave A Reply

Your email address will not be published.