ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଭକ୍ତ ବନକଲାଗି ନୀତି ପାଇଁ ୩ ଘଣ୍ଟା ଦର୍ଶନ ବନ୍ଦ

0 76

ପୁରୀ, ୩ା୭(ଡିକେ ନ୍ୟୁଜ): ଆଜି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସକାଳେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଅଧରପୋଛା ନୀତି ସମ୍ପନ୍ନ ହୋଇଥିଲା । ପରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଠାକୁର ଦର୍ଶନ ନିମନ୍ତେ ଛଡ଼ାଯାଇଥିଲା । ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ଦୀର୍ଘ ୨ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣଦର୍ଶକ ମାନେ ପ୍ରବେଶ କରିପାରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଶରଧାବାଲିରେ ଲାଇନରେ ଛିଡ଼ା ହୋଇଥିଲେ । ପବିତ୍ର ଶରଧାବାଲିରେ ରବିବାର ଲୋକାରଣ୍ୟ ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଭକ୍ତ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଏଥିନିମନ୍ତେ ବ୍ୟାରିକେଡ୍ କରାଯାଇଛି । ଏହା ଭିତର ଦେଇ ଶ୍ରଦ୍ଧାଳୁମାନେ ଜଣଙ୍କ ପରେ ଜଣେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଶ୍ରଦ୍ଧାଳୁଙ୍କୁ ଯାଞ୍ଚ କରି ଭିତରକୁ ଛଡ଼ା ଯାଇଥିଲା । ସେପଟେ ଆଡ଼ପ ଅବଢ଼ା ବାହାରିବା ପରେ ହର୍ଷୋଲ୍ଲାସ ସହିତ ଭକ୍ତମାନେ ଏହାକୁ ନେଇଛନ୍ତି । ମହାପ୍ରଭୁଙ୍କ ଏହି ମହାପ୍ରସାଦ ବର୍ଷକ ମଧ୍ୟରେ କେବଳ ନିର୍ଦ୍ଧାରିତ ସମୟରେ ମିଳୁଥିବାରୁ ଭକ୍ତମାନେ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି । ୨୦୨୦ ଓ ୨୦୨୧ ମସିହାରେ ରଥଯାତ୍ରା କଟକଣାର ସହିତ ସଂପନ୍ନ ହୋଇଥିବାରୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନେଇ ବାରଣ କରାଯାଇଥିଲା । ଏବେ କରୋନା ଏକ ପ୍ରକାର ନିୟନ୍ତ୍ରିତ ଥିବାରୁ ସରକାର ଓ ପ୍ରଶାସନ ରଥଯାତ୍ରା ସମତେ ଆଡପମଣ୍ଡପ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି । ଅନ୍ୟପଟେ ଆସନ୍ତାକାଲି (ଜୁଲାଇ ୪) ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ଅବସରରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପ୍ରାୟ ୩ ଘଣ୍ଟା ପାଇଁ ବନ୍ଦ ରହିବ ।

Leave A Reply

Your email address will not be published.