ଜାତିପ୍ରଥା, ସାମାଜିକ ବୈଷମ୍ୟ ଓ ହିନ୍ଦୁଧର୍ମର ବିବିକ୍ଷଣ

0 69

ସଭ୍ୟତାର ଅଗ୍ରଗତି ସହିତ ସୃଷ୍ଟି ହୁଏ ସାମାଜିକ ବୈଷମ୍ୟ । ବୈଦିକ ଯୁଗରୁ ଭାରତୀୟ ଆର୍ଯ୍ୟ ସଭ୍ୟତାରେ ଉଚ୍ଚଜାତିର ଲୋକଙ୍କ ଦ୍ୱାରା ସୃଷ୍ଟ ଜାତିପ୍ରଥା ଏକ ସାମାଜିକ ବୈଷମ୍ୟ ଏବଂ ହିନ୍ଦୁଧର୍ମ ଓ ଦର୍ଶନ ସାମାଜିକ ବୈଷମ୍ୟକୁ ପ୍ରତିପାଦିତ କରେ ବୋଲି ଲେଖିକା ଶ୍ରୀମତୀ ସୁପ୍ରିୟା ମଲ୍ଲିକ୍ ମତ ପ୍ରକାଶ କରନ୍ତି । ବିଭିନ୍ନ ପତ୍ରିକାରେ ପ୍ରକାଶିତ ନଅଗୋଟି ପ୍ରବନ୍ଧକୁ ନେଇ ତାଙ୍କର ପ୍ରବନ୍ଧ ସଂକଳନ ବୈଷମ୍ୟ-ବିରୋଧୀ ସଂଗ୍ରାମରୁ ଦଳିତ ସାହିତ୍ୟ ସମାଜର ଦଳିତ ନିଷ୍ପେଷିତ ବର୍ଗର ଲୋକଙ୍କର ବିରୋଧର ସ୍ୱର ରୂପେ ପ୍ରତିଫଳିତ । ବୁଦ୍ଧଙ୍କୁ ଏକ ଦଳିତମୁକ୍ତ ସମାଜର ପ୍ରଥମ ତଥା ଚିରନ୍ତନୀ ଉତ୍ସ ରୂପେ ସେ ପ୍ରତିଷ୍ଠା କରିଛନ୍ତି । ସମାଜର ଉଚ୍ଚ ଜାତିର ଯୁଗବ୍ୟାପ୍ତ ଅତ୍ୟାଚାର ବିରୁଦ୍ଧରେ ପ୍ରାବନ୍ଧିକା ଶ୍ରୀମତୀ ମଲ୍ଲିକଙ୍କର ସ୍ୱର ଖୁବ୍ ଶାଣିତ । ସଂକଳନରେ ଅନେକ ପ୍ରବନ୍ଧରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ କ୍ରାନ୍ତିର ପ୍ରତୀକ ଓ ଦଳିତ ସମାଜର ଆଦର୍ଶ ଭାବରେ ଉପସ୍ଥାପନ କରାଯାଇଛି । ଯେତେବେଳେ ଜଣେ ଦଳିତର ସାମାଜିକ ବୈଷମ୍ୟ ବିରୁଦ୍ଧରେ ଚେତନା ଜାଗ୍ରତ ହୁଏ ସେ ଏକ ଅସମଞ୍ଜ ବ୍ୟବସ୍ଥାରୁ ଉର୍ଦ୍ଧ୍ୱକୁ ଉଠି ବୈଷମ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ ଆଉ ତହା ହିଁ ହୁଏ ଦଳିତ ସାହିତ୍ୟ ବୋଲି ଲେଖିକାଙ୍କର ମତ । ସଂକଳନର ସମସ୍ତ ପ୍ରବନ୍ଧରେ ଏହା ସ୍ପଷ୍ଟ । ପ୍ରଥମ ପ୍ରବନ୍ଧ ବୁଦ୍ଧ ନୁହେଁରେ ପ୍ରାବନ୍ଧିକା ବୁଦ୍ଧଙ୍କୁ ହିନ୍ଦୁଧର୍ମରେ ନବମ ଅବତାରରେ ସ୍ଥାନିତ କରିବା ସହ ଓଡ଼ିଶାରେ ବୌଦ୍ଧଧର୍ମର ପରିସ୍ଫୁଟନ ଓ ମୌଳିକ ବୌଦ୍ଧ ଆଦର୍ଶର ମୃତ୍ୟୁ ବିଷୟରେ ଗଭୀର ଆଲୋକପାତ କରିଛନ୍ତି । ହତ୍ୟା, ଧର୍ଷଣ ପରି ପାପରେ ଭାଗୀଦାର କୃଷ୍ଣ ରୋହିଣୀକୁଣ୍ଡର ପବିତ୍ର ଜଳରେ କାୟା ପରିବର୍ତ୍ତନ କରି ବୁଦ୍ଧରେ ରୂପାନ୍ତରିତ ହୁଅନ୍ତି ଏବଂ ନବମ ଅବତାରରେ ସ୍ଥାନିତ ହୁଅନ୍ତି ଯାହା ପଛରେ ଅନେକ କାରଣ ଥାଇପାରେ । ଓଡ଼ିଶାରେ ବୌଦ୍ଧଧର୍ମ ବୈଷ୍ଣବ ଧର୍ମର ବହୁ ପୂର୍ବରୁ ଥିଲା । ସମ୍ରାଟ ଅଶୋକଙ୍କ ଶିଳାଲିପି; ରତ୍ନଗିରି, ଲଳିତଗିରି ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼, ଓ ପ୍ରାୟ ସମସ୍ତ ଜିଲ୍ଲାରେ ପରିବ୍ୟାପ୍ତ ଅଞ୍ଚଳରେ ଆବିଷ୍କୃତ ସ୍ତୂପ ଓ ବୌଦ୍ଧବିହାରର ଭଗ୍ନାବଶେଷ ପ୍ରମାଣ କରନ୍ତି ଏକ ଐଶ୍ୱର୍ଯ୍ୟମୟ ବୌଦ୍ଧ ସଂସ୍କୃତି । ବୌଦ୍ଧଦର୍ଶନର ଆଧାର ପ୍ରଜ୍ଞା, କରୁଣା ଓ ସମତାର ପ୍ରଭାବରେ ଓଡ଼ିଆ ଅଧିକ ଅହିଂସ୍ର, ଉଦାର ଓ ଯତ୍ନଶୀଳ । ଇତିହାସବିତ୍ ଏ ଏଲ୍ ବସାମ୍‌, ରାମଶରଣ ଶର୍ମା ଓ ପ୍ରଫେସର ରୋମିଲା ଥାପାର ଏବଂ ଡକ୍ଟର ରାଧାକୃଷ୍ଣନ୍ ଓ ଡକ୍ଟର ଜନ୍ ବୋଲ୍ଟନଙ୍କ ଉକ୍ତିକୁ ଅନେକ ସ୍ଥାନରେ ସେ ଉଦ୍ଧୃତ କରିଛନ୍ତି । ସେ ବର୍ଣ୍ଣନା କରିଛନ୍ତି କିପରି ଅହିଂସାର ସାକାର ସ୍ୱରୂପ ଐତିହାସିକ ପୁରୁଷ ବୁଦ୍ଧଙ୍କୁ ମହାଯାନୀମାନଙ୍କ ଦ୍ୱାରା ଦେବତା ରୂପରେ ସଜାଇ ଦିଆଯାଇ ରାମ, ପର୍ଶୁରାମ ଓ କଳ୍କୀ ଆଦି ଆୟୁଧଧାରୀ ହିଂସ୍ର ଅବତାରମାନଙ୍କ ମଝିରେ ସ୍ଥାପନ କରାଗଲା । ଜାତିପ୍ରଥା, ବଳିପ୍ରଥା, ମୂର୍ତ୍ତିପୂଜା ଆଦିରେ କଳୁଷିତ ବେଦବିଶ୍ୱାସୀ ଗୋଷ୍ଠୀ ବୌଦ୍ଧସଂଘର ପ୍ରାଚୁର୍ଯ୍ୟ, ପ୍ରତିଷ୍ଠା ଓ ଲୋକପ୍ରିୟତାରେ ପ୍ରଲୁବ୍ଧ ହୋଇ ସଂଘର ସଦସ୍ୟ ହେଲେ । କିନ୍ତୁ ସେମାନେ ହୀନଯାନୀମାନେ ପାଳନ କରୁଥିବା ଜ୍ଞାନ, ଧର୍ମ, ଦର୍ଶନ, ବୈଜ୍ଞାନିକ ବିଚାର, ସତ୍‌ ଆଚାର ସମନ୍ନିତ ଜୀବନଶୈଳୀ ପରି ବୁଦ୍ଧଙ୍କର ମୌଳିକ ଆଦର୍ଶଗୁଡ଼ିକୁ ଅନୁସରଣ ନ କରି ସେଥିରେ ବୈଦିକ ଉପଚାର ସବୁକୁ ପ୍ରବେଶ କରାଇ ମହାଯାନୀ ସଂପ୍ରଦାୟ ଗଠନ କଲେ । ତାପରେ ତନ୍ତ୍ରର ପ୍ରବେଶରେ ବଜ୍ରଯାନର ସୃଷ୍ଟି । ବୌଦ୍ଧ ଧର୍ମର ମୌଳିକ ଉପାଦାନଗୁଡ଼ିକ ପ୍ରଥମେ ମିଶ୍ର, ତାପରେ ପ୍ରଦୂଷିତ ଓ ଶେଷରେ ଧ୍ୱଂସ ହୋଇଗଲା । କାମନାର ବିନାଶରେ ଦୁଃଖର ବିନାଶ ବୁଦ୍ଧଙ୍କର ଏ ପରମବାଣୀ ବିଲୁପ୍ତ, ଅସ୍ତମିତ ବୌଦ୍ଧ-ଆଲୋକ । ନିର୍ବାଣ ଥିଲା ଯେଉଁ ବ୍ୟକ୍ତିର ଆତ୍ମ ଉତ୍ତରଣ, ପରବର୍ତ୍ତୀ ରଚନାମାନଙ୍କରେ ସେ ମୁଁ ପୁଣିଥରେ ଜନ୍ମ ନେବି ଓ ତୁମମାନଙ୍କର ମୁକ୍ତ ଦେବି ବୋଲି କହିବାର ଲେଖାଗଲା । ବୁଦ୍ଧ ବୁଦ୍ଧଦେବ ବା ଅମିତାଭ ହୋଇ ପୂଜା ପାଇଲେ । ପୁନର୍ଜନ୍ମ ବିଷୟରେ ନିରବ ଥିବା ବୁଦ୍ଧଙ୍କୁ ବୋଧିସତ୍ତ୍ୱର ବାରମ୍ବାର ଜନ୍ମରେ ଛନ୍ଦି ଦିଆଗଲା । ଥାପାରଙ୍କ ପୁସ୍ତକରେ ବର୍ଣ୍ଣିତ ପ୍ରାଚୀନ ଭାରତର ଏକ ଜୀବନ୍ତ ଓ ସମୃଦ୍ଧ ଅବତାରଣା ଥର୍ପା ଙ୍କ ଭାଷାରେ ଜୀବନ୍ତ ପ୍ରାଚୀନ ଭାରତ ପ୍ରବନ୍ଧରେ ପ୍ରଦତ୍ତ । ମୁଁ ସର୍ବଶେଷ ବୁଦ୍ଧ ନୁହେଁ ବରଂ ନିରଞ୍ଜନା ପ୍ରବନ୍ଧରେ ବୁଦ୍ଧଙ୍କର ଜୀବନୀ, ଆଲୋକ ପ୍ରାପ୍ତି ତଥା ନିର୍ବାଣର ପରିଭାଷା ପ୍ରଦତ୍ତ ।୧୯୮୦ରେ ରଚିତ ନାଟକରେ ସଂଳାପ ମୁଁ ସର୍ବଶେଷ ବୁଦ୍ଧ ନୁହେଁ ର ଅର୍ଥ ବୁଝେଇବାକୁ ଯାଇ ସେ ଉପସ୍ଥାପନ କରନ୍ତି ଦୀଘା ନିକାୟରେ ବୁଦ୍ଧ ଆନନ୍ଦଙ୍କୁ କହିଥିବା ବକ୍ତବ୍ୟ ବିନୟ ଓ ଧର୍ମ ମଣିଷର ଉତ୍ତରଣ ଦିଗରେ ସହାୟକ । ପ୍ରତ୍ୟେକ ମଣିଷ ଭିତରେ ଥିବା ସମ୍ଭାବନା ତାକୁ ଆଲୋକପ୍ରାପ୍ତି ଦିଗରେ ଆଗେଇନେଇପାରେ ଓ ରୂପାନ୍ତରିତ କରିପାରେ ବୁଦ୍ଧରେ ।ତାଙ୍କ ଆଲୋକପ୍ରାପ୍ତିର ସାକ୍ଷୀ ନିରଞ୍ଜନା ତଟିନୀର ନିରନ୍ତର ଧାବମାନ ଧାରା ପରି ଏହା ପ୍ୱବହମାନ । ଏହି ବକ୍ତବ୍ୟ ତାଙ୍କ ମୃତ୍ୟୁର ୫୦୦ ବର୍ଷ ପରେ ପୁସ୍ତକରେ ପରିଣତ ହୋଇଛି ଓ ବୌଦ୍ଧଧର୍ମ ନିଜର ଅସ୍ତିତ୍ୱ ବଜାୟ ରଖିଛି । ଶିକ୍ଷିତାନାରୀ କେତେ ସ୍ୱାଧୀନ ପ୍ରବନ୍ଧରେ ସେ କହିଛନ୍ତି ଯେ ଯୁଗ ସହିତ ତାଳ ଦେଇ ନାରୀ ଉଚଶିକ୍ଷିତା ହୋଇ ପାରିଥିଲେ ମଧ୍ୟ ସ୍ୱତନ୍ତ୍ର ହୋଇପାରିନାହିଁ । କାରଣ ପରିବାର ଓ ସମାଜର ମାନସିକତା ଯୁଗ ସହିତ ପାଦ ମିଳାଇ ଚାଲିପାରିନି । ଆଜି ବି ସମାଜ ପୁରୁଷକୈନ୍ଦ୍ରିକ । ଖାଲି ପୁରୁଷ ନୁହେଁ । ଘରେ, ବାହାରେ, ଦପ୍ତରରେ ନାରୀ ଆଉ ଗୋଟିଏ ନାରୀ ଦ୍ୱାରା ନିର୍ଯାତିତା । ଓଡ଼ିଶା ରାଜନୀତିରେ ନାରୀରେ ତାଙ୍କର ଅସନ୍ତୋଷ ସୁସ୍ପଷ୍ଟ । ଗାନ୍ଧୀଙ୍କ ଡାକରାରେ ମାଳତୀ ଦେବୀ, ସାରଳା ଦେବୀଙ୍କ ପରି ଶହଶହ ନାରୀ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ହେଁ ସ୍ୱାଧୀନତା ପରେ ଓଡ଼ିଆ ନାରୀ ପୁଣି ଘରକୋଣରେ । ରାଜ୍ୟ ବା ଜାତୀୟ ସ୍ତରରେ ନାରୀ ପ୍ରତିନିଧିତ୍ୱ ଗୌଣ । ଏଥିପାଇଁ ସେ ପୁରୁଷତାନ୍ତ୍ରିକ ସମାଜକୁ ଦାୟୀ କରିଛନ୍ତି । ଏପରିକି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ନିଜର ପାଞ୍ଚବର୍ଷ ଶାସନ ପୂରଣ କରିପାରି ନଥିବା ସେ ଦର୍ଶାଇଛନ୍ତି । ଗାନ୍ଧୀ ଓ ଆମ୍ବେଦକର ପ୍ରବନ୍ଧରେ ଜାତିପ୍ରଥାକୁ ନେଇ ଗାନ୍ଧୀଙ୍କର ମତ ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ନ ଥିଲା ବୋଲି ତାଙ୍କର ମତ । ଅସ୍ପୃଶ୍ୟତାକୁ ପାପ ବୋଲି ବକ୍ତବ୍ୟ ଦେଉଥିଲେ ସୁଦ୍ଧା ଗାନ୍ଧୀ ବର୍ଣ୍ଣବ୍ୟବସ୍ଥା ଓ ଜାତିବ୍ୟବସ୍ଥାର ଦୃଢ଼ ସମର୍ଥକ ଥିଲେ । ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ସେ ଶିଖ୍ ଓ ମୁସଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାର ପ୍ରସ୍ତାବ ରଖିଥିଲେ ମଧ୍ୟ ୧୯୩୧ ମସିହାରେ ବମ୍ବେର ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ଅସ୍ପୃଶ୍ୟ ମାନଙ୍କୁ କୌଣସି ସଂରକ୍ଷଣ ଦେବାକୁ ସେ ପ୍ରସ୍ତୁତ ନୁହନ୍ତି କାରଣ ଏହା ଅସ୍ପୃଶ୍ୟତାକୁ ତ୍ୱରାନ୍ୱିତ କରିବ । ଅନ୍ୟ ପକ୍ଷରେ ଆମ୍ବେଦକର ଅନୁଭବ କରୁଥିଲେ ବ୍ରିଟିଶ୍ ସରକାର ଯଦି ସବର୍ଣ୍ଣବହୁଳ କଂଗ୍ରେସ ହାତରେ କ୍ଷମତା ହସ୍ତାନ୍ତର କରି ଭାରତରୁ ବିଦାୟ ନିଅନ୍ତି ତେବେ ରକ୍ଷଣଶୀଳ ହିନ୍ଦୁ ଶାସନରେ ଦଳିତ ଦାସତ୍ୱ ଦୃଢ଼ୀଭୂତ ହେବ । ରାଜନୈତିକ କ୍ଷମତା ବିନା ନିଯୁକ୍ତି ଅସମ୍ଭବ ବୋଲି ତାଙ୍କର ବିଶ୍ୱାସ ଥିଲା । ଏ ସମ୍ପର୍କରେ ଗାନ୍ଧୀ ଓ ଆମ୍ବେଦକରଙ୍କ ଭିତରେ ଗଭୀର ମତପାର୍ଥକ୍ୟ ଥିଲା । ଦଳିତ ସାହିତ୍ୟର ପୃଷ୍ଠଭୂମି ପ୍ରବନ୍ଧରେ ସେ ବ୍ରାହ୍ମଣବାଦୀ ସଂସ୍କୃତି ଓ ତାର ବିପରୀତ ଦିଗରେ ଶୂଦ୍ର ସଂସ୍କୃତିର ଅଭିବ୍ୟକ୍ତିର ବିକାଶକୁ ଦଳିତ ସାହିତ୍ୟର ପୃଷ୍ଠଭୂମି ଭାବରେ ସ୍ଥାପନା କରିଛନ୍ତି । ମନୁସଂହିତା ଦ୍ୱାରା ପ୍ରତିପାଳିତ ବ୍ରାହ୍ମଣବାଦ ଅବଦମନକୁ ସଂହତି, ଅନ୍ଧବିଶ୍ୱାସକୁ ପରମ୍ପରା, ଶୋଷଣକୁ ସଂସ୍କୃତିର ନାମ ଦେଇ ସାମାଜିକ ନିୟମର ସଂରଚନା କରିଥାଏ । ଆମ୍ବେଦକର, ଭୀମଭୋଇ, ପଞ୍ଚସଖା ଆଦି ନିର୍ଯାତିତ ମଣିଷର ଆଶାଆକାଂକ୍ଷା, ମର୍ଯ୍ୟାଦା, ଅଧିକାର, ସାମାଜିକ ନ୍ୟାୟ ଆଦିକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରି ଦାୟବଦ୍ଧ ସାହିତ୍ୟ ମାଧ୍ୟମରେ ଦଳିତ ସାହିତ୍ୟର ପୃଷ୍ଠଭୂମି ସଜାଡ଼ିଛନ୍ତି । ସେହିପରି ଶେଷ ପ୍ରବନ୍ଧ ଆଧୁନିକ ସାହିତ୍ୟର ଧାରା ରେ ସମାଜରେ ପ୍ରଚଳିତ ଦଳିତ ନିଷ୍ପେଷଣ କିପରି ବୈଦିକ ଯୁଗରୁ ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ପରିପୁଷ୍ଟ ହୋଇଛି ତାହା ଉପରେ ଆଲୋକପାତ କରିଛି । ଏହି ନିଷ୍ପେଷଣ ବିରୁଦ୍ଧରେ ଦଳିତ ଭିତରେ ଚେତନା ଜାଗ୍ରତ ହେଲେ ହିଁ ଦଳିତ ସାହିତ୍ୟ ସୃଷ୍ଟି ହୋଇପାରିବ ବୋଲି ପ୍ରାବନ୍ଧିକାଙ୍କର ମତ । ବିଭିନ୍ନ ସମୟରେ ବିଭିନ୍ନ ପ୍ରଦେଶରେ ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ଅସ୍ପୃଶ୍ୟ ଜାତିର ଅନୁଭୂତି ଓ ଅନୁଭବନିଃସୃତ ଲେଖା ଯୋଗୁ ହିଁ ଦଳିତ ସାହିତ୍ୟ ସୃଷ୍ଟି ସେକଥା ଦର୍ଶାଯାଇଛି । । ଓଡ଼ିଶାରେ ଏହି ସ୍ୱର ଆଦୌ ଦୃଷ୍ଟ ନୁହେଁ ବୋଲି ତାଙ୍କର ଦୃଢ଼ୋକ୍ତି । ଉଚ୍ଚକୋଟୀର ଗବେଷଣାପ୍ରସୂତ ଏହି ପୁସ୍ତକଟି ସ୍ୱୟଂସଂପୂର୍ଣ୍ଣ ଓ ସୁଜାତା ପ୍ରହରାଜ ସୁପାଠ୍ୟ ।ଏହା ନିଶ୍ଚିତ ଭାବରେ ପାଠକୀୟ ଆଦୃତି ଲାଭ କରିବ ଏଥିରେ ଦ୍ୱିମତ ନାହିଁ ।

Leave A Reply

Your email address will not be published.