ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା

0 69

ନୂଆଦିଲ୍ଲୀ, ୩ା୭: ପୁଞ୍ଜି ବଜାରରେ ହ୍ରାସ କେବଳ ଛୋଟ କି ବଡ ନିବେଶକ ନୁହେଁ ବରଂ ବିଶ୍ୱର ବଡ ବଡ ଧନୀଙ୍କ ଅବସ୍ଥା ଖରାପ କରିଦେଇଛି । ୨୦୨୨ରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଶ୍ୱର ଅରବପତିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଡୁବାଇ ଦେଇଛି । ବ୍ଲୁମବର୍ଗ ବିଲିଓନାୟାର ଇଣ୍ଡେକ୍ସ ୨୦୨୨ ସର୍ଭେ ଅନୁସାରେ, ଷ୍ଟକ୍‌ ବଜାରର ଖରାପ ସ୍ଥିତି ଯୋଗୁଁ ପ୍ରଥମ ୬ ମାସରେ ବିଶ୍ୱର ବଡ ବଡ ୫୦୦ ଧନୀ ବ୍ୟକ୍ତି ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା । ଏପରିକି ଦୁନିଆର ନମ୍ବର ୱାନ୍ ଧନୀ ଏଲନ୍ ମସ୍କ ୬୦ ବିଲିଅନ୍ ଡଲାର ହରାଇଛନ୍ତି । ବର୍ଷର ପ୍ରଥମ ୬ ମାସରେ ଏଲନ୍ ମସ୍କଙ୍କ ନେଟ୍ ସମ୍ପତ୍ତି ପରିମାଣ ୨୧୦ ବିଲିଅନ୍ ଡଲାରକୁ ଖସିଆସିଛି । ଏହି ମାସ ମଧ୍ୟରେ ମସ୍କ ୫୯.୯ ବିଲିଅନ୍ ଡଲାରର ସମ୍ପତ୍ତି ହରାଇଛନ୍ତି । ଏହାସହ ବିଶ୍ୱର ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଜେଫ୍‌ ବେଜାସଙ୍କ ସମ୍ପତ୍ତି ମଧ୍ୟ ୫୯.୩ ବିଲିଅନ୍‌ ଡଲାରକୁ ଖସିଛି । ସେହିପରି ଭାରତୀୟ ବିଲିଓନାୟାର ଅଜିମ୍ ପ୍ରେମଜୀଙ୍କ ସମ୍ପତ୍ତିରେ ମଧ୍ୟ ହ୍ରାସ ଘଟିଛି । ଅଜିମ୍ ପ୍ରେମଜି ୧୫.୫ ବିଲିଅନ୍ ଡଲାର ହରାଇଥିବା ବେଳେ ଶିବ ନାଦାର ୮.୫୧ ବିଲିଅନ୍ ଡଲାର କ୍ଷତି ସହିଛନ୍ତି । ସେହିପରି ରାଧାକ୍ରିଷ୍ଣନ୍‌ ଦାମାନୀଙ୍କର ମଧ୍ୟ ୭.୪୦ ବିଲିଅନ୍ ଡଲାର କ୍ଷତି ହୋଇଛି । ଆରବପତି ଲକ୍ଷ୍ମୀ ମିତ୍ତଲ ୪.୫୯ ବିଲିଅନ୍ ଡଲାରର କ୍ଷତି ସହିଛନ୍ତି । ଅନ୍ୟପଟେ ଭାରତର ବଡ ଧନୀ ଆଦାନୀ ଓ ଅମ୍ବାନୀଙ୍କ ଉପରେ କିନ୍ତୁ ଧନ ବର୍ଷା ହୋଇଛି । ବିଶ୍ୱ ଧନୀ ତାଲିକାରେ କେବଳ ଟପ୍ -୧୦ ତାଲିକାରେ ଥିବା ଭାରତୀୟ ଅରବପତି ସେମନଙ୍କର ଧନ ବୃଦ୍ଧି କରିଛନ୍ତି । ଗୌତମ ଆଦାନୀଙ୍କ ପରିମାଣ ୨୨.୩ ବିଲିଅନ୍ ଡଲାର ବୃଦ୍ଧି ହୋଇ ୯୮.୮ ବିଲିଅନ୍ ଡଲାରରେ ପହଞ୍ଚିଛି । ସେ ବର୍ତ୍ତମାନ ଶ୍ରେଷ୍ଠ ୧୦ ଜଣ ଧନୀଙ୍କ ମଧ୍ୟରେ ଅଛନ୍ତି । ଏହା ସହ ରିଲାଏନ୍ସ ଓନର ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ବଢିଛି । ତାଙ୍କର ମୋଟ ସମ୍ପତ୍ତି ଏବେ ୯୩ ବିଲିଅନ୍‌ ଡଲାରରେ ପହଞ୍ଚଛି । ଗତ ଦୁଇବର୍ଷ ଧରି କରୋନା ମହାମାରୀ, ତା\’ପରେ ପୁଣି ଋଷ ଓ ୟୁକ୍ରେନର ଯୁଦ୍ଧ ଏହା ଭିତରେ ସାରା ବିଶ୍ୱରେ ଦେଖାଦେଇଛି ଘୋର ଆର୍ଥିକ ମାନ୍ଦାବସ୍ଥା । ସ୍ଥିତି ଆସି ଏପରି ହୋଇଛି ଯେ, କିଛି ଦେଶରେ ଲୋକଙ୍କ ପାଇଁ ଦିଓଳି ଦିମୁଠା ଖାଇବା ଯୋଗାଡ କରିବା ବି କଷ୍ଟକର ହୋଇପଡିଛି । ଭାରତ ସମେତ ଅଧିକାଂଶ ଦେଶରେ ଦର ବୃଦ୍ଧି ଉତ୍କଟ ହୋଇଛି । ଦୁନିଆର ବଡ ବଡ ଦେଶର କରେନ୍ସି ମୂଲ୍ୟ ହ୍ରାସ ପାଇଛି, ସେୟାର ବଜାର ବି କ୍ରାସ୍ ହୋଇଛି । ଏଥିରେ ପେଶି ହୋଇଯାଇଛନ୍ତି ସବୁ ବର୍ଗର ଲୋକ । ଏଥିରୁ ବାଦ୍ ପଡିନାହାଁନ୍ତି ବଡ ବଡ ଧନୀ । ହରାଇଛନ୍ତି ଅପାର ସମ୍ପତ୍ତି ।

Leave A Reply

Your email address will not be published.