ଆହୁରି ୩ ଦିନ ବର୍ଷିବ, ବର୍ଷାରେ ବୁଡିଲା ଭୁବନେଶ୍ୱର

0 52

ଭୁବନେଶ୍ୱର, ୪ା୭(ଡିକେ ନ୍ୟୁଜ): ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ୫ଦିନ ପର୍ଯ୍ୟନ୍ତ ଏହା ପ୍ରଭାବରେ ବର୍ଷା ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ମଧ୍ୟାହ୍ନରେ ହଠାତ୍ ମାଡିଆସିଲା କଳାହାଣ୍ଡିଆ ମେଘ । ପାଖାପାଖି ଅଧଘଣ୍ଟା ଏମିତି ବର୍ଷା ହେଲା ଯେ, ଭୁବନେଶ୍ୱରର ଅଧା ଅଞ୍ଚଳ ପାଣିରେ ବୁଡି ରହିଥିଲା । ରାସ୍ତାରେ ଲହଡି ଭାଙ୍ଗିଲା ବର୍ଷାପାଣି । ସୃଷ୍ଟି ହେଲା ଜଳାଶୟର ଭ୍ରମ । ଲକ୍ଷ୍ମୀସାଗର ଅଞ୍ଚଳରେ ରାସ୍ତା ଉପରେ ଚାଲିଥିଲା ଅଣ୍ଟାଏ ଉଚ୍ଚର ପାଣି । ଯାନବାହନ ଅଧା ରାସ୍ତାରେ ଅଟକି ରହିଥିଲା । ବାଇକ୍‌ର ହ୍ୟାଣ୍ଡେଲକୁ ଛାଡ଼ି ଦେଲେ ଆଉ ବାକି ଅଂଶ ପାଣିରେ ବୁଡି ରହିଥିଲା । ଘର ଭିତରେ ମଧ୍ୟ ପାଣି ପଶିଥିଲା । ସେହିପରି ଇସ୍କନ ମନ୍ଦିର କଥା ନ କହିବା ଭଲ । ସେଠରେ ବେଙ୍ଗ ମୁତିଲେ କାର ଭାସେ । ଆଜି ଅଧଘଣ୍ଟା ବର୍ଷାରେ ଇସ୍କନ୍ ମନ୍ଦିର ଛକ କଥା ନ କହିବା ଭଲ । ରସୁଲଗଡ଼ ଅଞ୍ଚଳର ଦୃଶ୍ୟ ମଧ୍ୟ ଭୟଙ୍କର ଥିଲା । ଏକ୍ସପ୍ଲାନେଡ୍ ମଲ ସମ୍ମୁଖ ରାସ୍ତାରେ କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହୋଇଥିଲା । ସତ୍ୟନଗରଠାରୁ ଆରମ୍ଭକରି ଜୟଦେବ ଛକ, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା ଆଦି ଅଞ୍ଚଳ ବର୍ଷା ପାଣିରେ ବୁଡି ରହିଥିଲା । ବର୍ଷା ପରେ ବିଏମ୍‌ସି କମିଶନର ବିଜୟ କୁଲାଙ୍ଗେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସବୁ ଡ୍ରେନ୍ କାମ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ୱାଟର ଲଗିଂ ଅଞ୍ଚଳ ଉପରେ ନଜର ରଖାଯିବା ସହିତ ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ୍ ଓ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇଛି ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି । ତେବେ ଆଗାମୀ ୭ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଜୁନ୍ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୧୮୧.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ୍‌ଠାରୁ ୨୯ ପ୍ରତିଶତ କମ୍ । ତେବେ ଏହି ପରିପ୍ରେକ୍ଷୀରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୪ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୫ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଂଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ପ୍ରଭୃତି ୧୦ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏତଦ୍‌ ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.