ସିଂହଦ୍ୱାରରେ ଲାଗିଲା ତିନି ରଥ

0 67

ପୁରୀ, ୯ା୭(ଡିକେ ନ୍ୟୁଜ): ନବଦିନାତ୍ମକ ରଥଯାତ୍ରାର ଅନ୍ତିମ ଦିବସରେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ତାଳଧ୍ୱଜ ଓ ଦର୍ପଦଳନ ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଥିବା ବେଳେ ସଂନ୍ଧ୍ୟା ୭ଟା ୨୦ ମିନିଟ୍ ସମୟରେ ନନ୍ଦିଘୋଷ ରଥ ସିଂହଦ୍ୱାରରେ ଲାଗିଛି । ରାଜାଙ୍କ ଶ୍ରୀନଅର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ପରେ ନନ୍ଦିଘୋଷ ରଥ ସିଂହଦ୍ୱାରରେ ଲାଗିଛି । ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରଥାରୁଢ଼ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରୁଛନ୍ତି । ଆଜି ଭୋର୍ ୪ଟା ଠାରୁ ବିଭିନ୍ନ ନୀତିକାନ୍ତି ପରେ ଟାହିଆ ଲାଗି ହୋଇ ଧାଡ଼ି ପହଣ୍ଡିରେ ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ସକାଳ ୭ଟା ୫୫ରେ ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଦର୍ପଦଳନ ରଥରେ ଉପବେଶନ କରିଥିଲେ ସୁଦର୍ଶନ । ଏହାପରେ ତାଳଧ୍ୱଜ ରଥରେ ବିଜେ କରିଥିଲେ ଶ୍ରୀ ବଳଭଦ୍ର । ପରେ ପରେ ମା ଜଗତଜନନୀ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିଜେ କରିଥିଲେ । ଶେଷରେ ଟାହିଆ ହଲାଇ କାହାଳୀ, ଘଣ୍ଟ ଘଣ୍ଟାର ତାଳେ ତାଳେ ଝୁଲି ଝୁଲି ନନ୍ଦିଘୋଷ ରଥାରୁଢ଼ ହୋଇଥିଲେ ଜଗତର ନାଥ ଶ୍ରୀ ଜଗନ୍ନାଥ । ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଶରଧାବାଲି । ଝିପି ଝିପି ବର୍ଷାରେ ଭିଜି ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଏହି ପହଣ୍ଡିକୁ ଅପଲକ ନୟନରେ ଚାହିଁ ରହିଥିଲେ । ପୂର୍ବାହ୍ନ ୧୧ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା । ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ଯଥାକ୍ରମେ ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ବିଜେ କରିଥିଲେ । ରଥ ଉପରେ ତିନି ଠାକୁରଙ୍କ ବେଶ ସମ୍ପନ୍ନ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିଥିଲେ । ସାଢ଼େ ୧୨ଟାରେ ଛେରାପହଁରା ଆରମ୍ଭ ହୋଇ ଅପରାହ୍ନ ୧ଟା ୧୫ ସୁଦ୍ଧା ଶେଷ ହୋଇଥିଲା । ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ଏହାପରେ ତିନି ରଥରେ ଘୋଡ଼ା ଯୋଚାଯିବା ସହ ଦଉଡ଼ି ବନ୍ଧା ଯାଇଥିଲା । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଅପରାହ୍ନ ୧ଟା ୪୫ ରେ ଆରମ୍ଭ ହୋଇଥିଲା । ଏହାପରେ ଦେବୀ ସୁଭଦ୍ରା ଦର୍ପଦଳନ ରଥଟଣା ୨ଟା ୧୦ ରେ ଏବଂ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ୨ଟା୫୦ରେ ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।

Leave A Reply

Your email address will not be published.