ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କଳା ଓ ଧନ୍ଦାମୂଳକ ରେଜଲ୍ଟ

0 67

ଭୁବନେଶ୍ୱର, ୯ା୭(ଡିକେ ନ୍ୟୁଜ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ +୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ । ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁଲାଇ ୩୦ ସୁଦ୍ଧା ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ +୨ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଥିବାବେଳେ ୧୦ ତାରିଖ ସୁଦ୍ଧା ମୂଲ୍ୟାୟନ ଶେଷ ହେବ । ସେହିପରି ୨୫ ସୁଦ୍ଧା ଟେବୁଲେସନ୍ ପ୍ରକ୍ରିୟା ସାରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ସିଏଚଏସଇ ପ୍ରକ୍ରିୟା ଜାରି ରଖିଥିବାବେଳେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି । ତେବେ ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଛନ୍ତି । କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାରର ପଦ୍ଧତି ଗ୍ରହଣ କରାଯାଇଛି । ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍‌ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କରୁ ୨୦% ୱେଟେଜ୍‌(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜକୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯିବ । ପିଲାଙ୍କ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ । ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯିବୟ ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍‌ୱରକୁ ଶତ ପ୍ରତିଶତ ୱେଟେଜ୍ ଭାବେ ଗ୍ରହଣ କରାଯିବ । ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍‌ଏସ୍‌ଇ ଦର୍ଶାଇଛି ।

Leave A Reply

Your email address will not be published.