ମହଣ ମହଣ ସୁନାରେ ବିଭୂଷିତ ହେଲେ ଶ୍ରୀଜୀଉ ସୁନାବେଶ ଦେଖି ଆତ୍ମବିଭୋର ଭକ୍ତ

0 74

ପୁରୀ, ୧୦ା୭(ଡିକେ ନ୍ୟୁଜ): ସକାଳୁ ତିନିରଥ ଉପରେ ଦୈନନ୍ଦିନ ନୀତି ସରିବା ପରେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜୀଉ । ଦୁଇବର୍ଷ ପରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦେଖି ଆତ୍ମ ବିଭୋର ହୋଇ ଉଠିଥିଲେ । ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ପୁରୀକୁ ଲୋକଙ୍କ ଆଗମନୀ ମଧ୍ୟ ବଢ଼ିବାରେ ଲାଗିଥିଲା । ଆଜି ରଥ ଉପରେ ନିତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯାଇଥିଲା । ୨ ବର୍ଷ ପରେ ସ୍ୱଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ । ଶ୍ରୀବିଗ୍ରହଙ୍କୁ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ କରାଯାଇଥିଲା । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହୋଇଥିଲା । ଏହି ବେଶକୁ ବଡ଼ ତଢ଼ାଉ ବେଶ ମଧ୍ୟ କୁହାଯାଏ । ଇତିହାସ କୁହେ ତତ୍କାଳୀନ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ୧୪୬୦ ଖ୍ରୀଷ୍ଟାବ୍ଦରେ ସମଗ୍ର ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀରେ ବିପୁଳ ରତ୍ନ ଅଳଙ୍କାର ଆଣିଥିଲେ । ଠାକୁରଙ୍କୁ ଏ ସମସ୍ତ ଅଳଙ୍କାର ଗଜପତି ଉତ୍ସର୍ଗ କରିବା ସହିତ ଆଗ୍ରହ କରିଥିଲେ ଠାକୁରଙ୍କୁ ଏସବୁ ଲାଗି କରିବା ପାଇଁ । ଅଳଙ୍କାର ଦାୟିତ୍ୱରେ ଥିବା ତଢ଼ାଉକରଣ ଗଜପତିଙ୍କୁ ଅନୁରୋଧ କରିଥିଲେ ରଥ ଉପରେ ସର୍ବସମ୍ମୁଖରେ ଠାକୁରଙ୍କ ସୁନାବେଶ କରିବା ପାଇଁ । ଏଣୁ ରଥ ଉପର ସୁନାବେଶକୁ ବଡ଼ତଢ଼ାଉ ବେଶ କୁହାଯାଉଛି । ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ଲାଗି କରାଯାଇଥିଲା । ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି ହୋଇଥିଲେ । ସେହିଭଳି ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୋଇଥିଳା । ଶ୍ରୀମନ୍ଦିର ରତ୍ନସିଂହାସନରେ କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଦଶହରା(ବିଜୟା ଦଶମୀ)ରେ ଠାକୁରଙ୍କ ସୁନାବେଶ ହୁଏ । ଅହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଦର୍ଶନାର୍ଥୀ ଅସରନ୍ତି ଆନନ୍ଦ ପାଏ । କରୋନା ମହାମାରୀ ପାଇଁ ଦୁଇବର୍ଷ ହେଲା ସ୍ୱଚକ୍ଷୁରେ ସୁନାବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ । ବାଧ୍ୟ ହୋଇ ଶ୍ରଦ୍ଧାଳୁମାନେ ଟିଭି ପରଦାରେ ଠାକୁରଙ୍କ ସୁନାବେଶ ଦେଖିଥିଲେ । ଏଣୁ ଚଳିତବର୍ଷ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରଥାରୂଢ ଠାକୁରଙ୍କୁ ସୁନାବେଶରେ ଦେଖି ନିଜକୁ ଧନ୍ୟ ମଣିଥିଲେ ଭକ୍ତ ।

Leave A Reply

Your email address will not be published.