ଲଘୁଚାପ ଆଣୁଛି ବଡ଼ ବର୍ଷା

0 70

ଭୁବନେଶ୍ୱର, ୧୧ା୭(ଡିକେ ନ୍ୟୁଜ): ବର୍ତ୍ତମାନ ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିତ୍ତ ସ୍ଥାନରେ ବର୍ଷା ହେଉଛି । ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ରାଜ୍ୟ ତମାମ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ୩ ଦିନ ହେଲା ଓଡ଼ିଶା ଉପରେ ରହିଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳର ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେଉଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ରେକର୍ଡ କରାଯାଇଛି । ୧୫ କିମ୍ବା ୧୬ ବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ପୂରା ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଥିବା ସେ କହିଛନ୍ତି । ଓଡ଼ିଶାର ବର୍ଷା ପରିମାଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଜୁନ୍ ମାସରେ ସମଗ୍ର ରାଜ୍ୟରେ ୩୭% କମ ବର୍ଷା ହୋଇଥିଲା । ଜୁନ୍‌ ମାସରେ ୨୧ ସେମି ବର୍ଷା ହେବା କଥା । କିନ୍ତୁ ସମଗ୍ର ରାଜ୍ୟରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁଲାଇରେ ସ୍ଥିତି ବଦଳିଛି । ଜୁଲାଇ ୧ରୁ ୧୧ ମଧ୍ୟରେ ୧୩.୬ ସେମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଏହି ସମୟରେ ୧୦.୫ ସେମି ବର୍ଷା ହେବା କଥା । କିନ୍ତୁ ଚଳିତ ବର୍ଷ ୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁନ ୧ରୁ ଜୁଲାଇ ୧୧ ମଧ୍ୟରେ ହାରାହାରି ୨୭ ସେମି ବର୍ଷା ହୋଇଛି । ବାସ୍ତବରେ ୩୧ ସେମି ବର୍ଷା ହେବା କଥା । ତେଣୁ ଏଯାଏ ରାଜ୍ୟରେ ୧୫% କମ ବର୍ଷା ହୋଇଛି ।

Leave A Reply

Your email address will not be published.