ରାଜ୍ୟରେ ବର୍ଷା ବିତ୍ପାତ୍‌ ଧସିଲା ପାହାଡ, ଭାଙ୍ଗିଲା ଘର

0 63

ଭୁବନେଶ୍ୱର, ୧୨ା୭(ଡିକେ ନ୍ୟୁଜ): ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଲଘୁଚାପ ଏବେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଦକ୍ଷିଣ ଓଡ଼ିଶା ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହା ସହ ଜ଼ଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତାରେ ବ୍ୟାପିଛି । ମୌସୁମୀ ସକ୍ରିୟ ରହିଥିବାରୁ ଗତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ମାଲକାନଗିରି, କଳାହାଣ୍ଡି, ଗଜପତି, ଗଞ୍ଜାମ ଓ କୋରାପୁଟ ଆଦି ଜିଲ୍ଲା । ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ମୋଟୁଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି । ମୋଟୁ-ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଚିନ୍ତୁରଠାରୁ ଭଦ୍ରାଞ୍ଚଳମ ଯାଇଥିବା ମୁଖ୍ୟ ରାସ୍ତାର ନିଲିପକା ନିକଟରେ ମଧ୍ୟ ପୋଲ ବନ୍ୟା ପାଣିରେ ବୁଡ଼ି ଯାଇଛି । ଏହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି । ଉଭୟ ପଟେ ବହ ଦୂରଗାମୀ ବସ ଓ ଟ୍ରକ ଅଟକି ରହିଛି । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲୁଥିବାରୁ ନଦୀର ପଛୁଆ ଜଳରେ ଏହି ରାସ୍ତା ସବୁ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି । ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ଏଣେ ଗତ ତିନିଦିନ ହେଲା ବଣ୍ଡାଘାଟିରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ବଣ୍ଡାଘାଟିରେ କଚ୍ଚା ରାସ୍ତାଗୁଡିକ ଖରାପ ହେବା ଯୋଗୁଁ ଯିବା ଆସିବା ସମ୍ଭବପର ହୋଇ ପାରୁନଥିବା ଜଣାପଡିଛି । ତେବେ ବିଶେଷ କ୍ଷତି ହୋଇଛି ଅଣ୍ଡ୍ରାହାଲ ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲିକୁ ଯାଉଥିବା ରାସ୍ତାରେ ଥିବା ବ୍ରିଜ । ଏହି ବ୍ରିଜଟି ଭାଙ୍ଗିଯିବାରୁ ଏହି ରାସ୍ତାରେ ଆଉ ଲୋକେ ଯିବା ଆସିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି । ପ୍ରତି ସପ୍ତାହରେ ବଣ୍ଡାଘାଟିରେ ଶହ ଶହ ମହିଳା ପୁରୁଷ ସାପ୍ତାହିକ ହାଟ ସହ ବିଭିନ୍ନ ଅତ୍ୟାବଶକୀୟ ଜିନିଷ କିଣିବାକୁ ଅନକାଡେଲିକୁ ଯାଇଥାନ୍ତି । ଅନ୍ୟପକ୍ଷରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗାଁରେ ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିବାରୁ ୫ଟି ଘର ନଷ୍ଟ ହୋଇଯାଇଛି । ଏହି ଘରଗୁଡ଼ିକ ପଥର ଓ କାଦୁଅରେ ପୋତି ହୋଇଯାଇଛି । ଗ୍ରାମବାସୀ ଭୟଭୀତ ହୋଇ ଗାଁ ଛାଡ଼ି ପଳାଇଛନ୍ତି । ବ୍ଲକ ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଗାଁର ଅନ୍ୟ ଲୋକମାନଙ୍କୁ ସ୍କୁଲ ଘର ଓ ନିରାପଦ ସ୍ଥାନକୁ
ସ୍ଥାନାନ୍ତର କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି ବର୍ଷା ପ୍ରକୋପ । ଭଞ୍ଜନଗର ଦମକଳ କେନ୍ଦ୍ର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷା ଜଳ । ବାଉଁଶରୁଢ଼ି ପଞ୍ଚାୟତ ବାଲିସାହି ନାଳରେ ପାଣି ଆସିବାରୁ କିଛି ଘରେ ପାଣି ପଶିଛି । ୨୦ ପରିବାର ପାଣି ଘେରରେ ରହିଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯାଇଛି । ସେହିପରି ମୁଦୁଲିପଲି ପଞ୍ଚାୟତର ସାଳୁଆପଲି, ବାଲିଆଘାଇ ଓ ଡେଙ୍ଗାପଦର ଗାଁର ୨୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ ହୋଇପଡ଼ିଛି । ଡହ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ଯେକୌଣସି ମୁହୂର୍ତ୍ତରେ ସେଠାରୁ ପାଣି ଛଡ଼ାଯିବାର ସମ୍ଭାବନା ରହିଛି । କନ୍ଧମାଳ ଜିଲ୍ଲାରେ ୩ଦିନ ଧରି ଲାଗିରହିଛି ବର୍ଷା । କୋଟଗଡ଼, ତୁମୁଡିବନ୍ଧ, ବାଲିଗୁଡ଼ା ଓ ରାଇକିଆ ଅଞ୍ଚଳରେ କିଛି କଚ୍ଚା ଘର ଭୁଶୁଡ଼ି ପଡ଼ିଛି । ସ୍ଥାନୀୟ ତହସିଲଦାର ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲଗାଣବର୍ଷାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ବଡ଼ବସୁଠାରେ ଥିବା ଅସ୍ଥାୟୀ ପୋଲ ଭାଙ୍ଗିଯାଇଛି । ଫଳରେ ଭବାନୀପାଟଣା-ଧର୍ମଗଡ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । କୋରାପୁଟ ଜିଲ୍ଳାରେ ଗତ ୨୪ ଘଣ୍ଟାରେ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାଷୀଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଖାଲୁଆ ଜମିକୁ କାଦୁଅ କରି ତଳିରୁଆ ଆରମ୍ଭ କରିଛି ଚାଷୀ ।

Leave A Reply

Your email address will not be published.