ବିଧାନସଭାରେ ଦ୍ରୌପଦୀ ଝଡ଼

0 69

ଭୁବନେଶ୍ୱର, ୧୪ା୭(ଡିକେ ନ୍ୟୁଜ): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଦେଇଥିବା ଟିପ୍ପଣିକୁ ବିରୋଧି କରି ବିଜେପି ସଦସ୍ୟମାନେ ଆଜି ଗୃହରେ ହଟଗୋଳ କରିବାରୁ ବିଧାନସଭାର ପ୍ରଥମାର୍ଦ୍ଧ ଏକ ପ୍ରକାର ଅଚଳ ହୋଇଥିଲା । ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବା ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ । ତେବେ ବାଚସ୍ପତି ସେମାନଙ୍କୁ ଶୂନ୍ୟକାଳରେ ଏହା ଉଠାଇବାକୁ କହିବାରୁ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି ହଟଗୋଳ କରିଥିଲେ । ବିଜେପି ସଦସ୍ୟ ସର୍ବଶ୍ରୀ ମୋହନ ମାଝି, ସନାତନ ବିଜୁଳି, ଭାଷ୍କର ମଢେଇ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ ପ୍ରମୁଖ ହାତରେ ପ୍ଲାକାର୍ଡମାନ ଧରି କଂଗ୍ରେସ ବିରୁଦ୍ଧରେ ସ୍ଲୋଗାନ ଦେଉଥିଲେ । ଏହି ସମୟରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଗୃହ ମଧ୍ୟଭାଗକୁ ଆସି ବିଜେପି ବିରୁଦ୍ଧରେ ଧ୍ୱନିମାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ଏହି ହଟଗୋଳ ମଧ୍ୟରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଜେଡି ସଦସ୍ୟ ସୁଧାଂଶୁ ଶେଖର ପରିଡା ପଚାରିଥିବା ଏକ ପ୍ରଶ୍ନର ଉତ୍ତର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରଖିଥିଲେ । ତେବେ ହଟଗୋଳ ମଧ୍ୟରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନଥିଲା । ହଟଗୋଳ ଜାରି ରହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଶୂନ୍ୟକାଳରେ ବାଚସ୍ପତି ଏହି ପ୍ରସଙ୍ଗରେ ମତ ରଖିବାକୁ ବିଜେପି ସଦସ୍ୟ ମୋହନ ମାଝିଙ୍କୁ ଡାକିଥିଲେ । ଶ୍ରୀ ମାଝି ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ଯେଭଳି ମନ୍ତବ୍ୟ ଦେଇଛି ତାହାକୁ ନିନ୍ଦା କରିବା ସହିତ ଏହା ଉପରେ ନିନ୍ଦା ପ୍ରସ୍ତାବ ପାଇଁ ଅନୁମତି ଦେବାକୁ କହିଥିଲେ । ଶ୍ରୀ ମାଝି କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଜଣେ ଆଦିବାସୀ ନେତ୍ରୀ । ସମଗ୍ର ଆଦିବାସୀ ବର୍ଗଙ୍କ ବକାଶ ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି । ସମାଜର ଦଳିତ ଆଦିବାସୀଙ୍କ ସେବାପାଇଁ ସେ ସର୍ବଦା କାର୍ଯ୍ୟ କରିଥାନ୍ତି । ଏଥିପାଇଁ ଏନ୍‌ଡିଏରେ ସାମିଲ ନଥିବା ବିଜେଡି ଓ ଶିବସେନା ଭଳି ଦଳ ବି ତାଙ୍କୁ ସମର୍ଥନ କରୁଛନ୍ତି । ହେଲେ କଂଗ୍ରେସର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏ ସଂକ୍ରାନ୍ତରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବାଚସ୍ପତ ଅନୁମତି ପ୍ରଦାନ କରନ୍ତୁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଗୃହର କାର୍ଯ୍ୟବିଧି ନିୟମ ଅନୁଯାୟୀ ଯେଉଁ ସଦସ୍ୟମାନେ ଗୃହର ସଦସ୍ୟ ନୁହନ୍ତି ସେମାନଙ୍କ ବିଷୟରେ ଏଠାରେ ଆଲୋଚନା ହୋଇପାରିବ ନାହିଁ । ପୂର୍ବରୁ ବିଜେପି ଏଭଳି ମତ ରଖିଛି । ତେଣୁ ଯେଉଁ କଂଗ୍ରେସ ନେତାଙ୍କ ନାମ ନେଇ ବିଜେପି ବକ୍ତବ୍ୟ ରଖିଛି ସେମାନଙ୍କ ନାମ ବିବରଣୀରୁ ବାଦ୍ ଦିଆଯାଉ । ଶ୍ରୀ ମିଶ୍ର କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଜଣେ ଅତି ଭଲ ଲୋକ । ଏଥିରେ କାହାର ଦ୍ୱିମତ ନାହିଁ । ହେଲେ ସେ ଯେଉଁ ଚିନ୍ତାଧାରାରେ ଅଛନ୍ତି ତାହାକୁ ଆମେ ସମାଲୋଚନା କରୁଛି । ଯେଉଁ ଚିନ୍ତାଧାରାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ସେହି ଚିନ୍ତାଧାରାରେ ଏମାନେ ଅନୁପ୍ରାଣିତ । ଯେଉଁମାନଙ୍କ କାର୍ଯ୍ୟାଳୟରେ ୫୨ବର୍ଷ ଧରି ଦେଶର ଜାତୀୟ ପତାକା ଉଡିନାହିଁ, ଏମିତିକି ଦେଶ ସ୍ୱାଧୀନ ହୋଇଥିବା ବେଳେ ଏମାନଙ୍କ ଦପ୍ତରରେ ତ୍ରିରଙ୍ଗା ବଦଳରେ କଳାପତାକା ଉଡିଥିଲା ସେହି ଚିନ୍ତାଧାରାକୁ ଆମେ ସମର୍ଥନ କରିପାରିବୁ ନାହିଁ । ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ରଖୁଥିବାବେଳେ ବିଜେପି ସଦସ୍ୟମାନେ ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

Leave A Reply

Your email address will not be published.