ଫୋକସ୍‌ରେ ଟେଷ୍ଟିଂ ଓ ଭ୍ୟାକ୍ସିନେସନ୍‌

0 74

ଭୁବନେଶ୍ୱର, ୧୪ା୭(ଡିକେ ନ୍ୟୁଜ): ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା, କଲ୍ ସେଣ୍ଟରକୁ ୨୪ଘଣ୍ଟା କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଞ୍ଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆଇଏଲ୍‌ଆଇ ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୂରତା, ଭିଡ଼ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍‌ ସୂଚନା ପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪,୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଲ ଏବଂ ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଲ୍ଲା ପ୍ରସ୍ତୁତ ଅଛି । ୧୮ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି । ଉନ୍ନୟନ କମିାନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.